Home ଜିଲ୍ଲା ପରିକ୍ରମା ପୌର ବିବାଦ ଥମୁନି, ସମସ୍ୟାର ସମାଧାନ ପାଇଁ ଶତାଧିକ ଜନସାଧାରଣ ଜିଲାପାଳଙ୍କୁ ଭେଟିଲେ

ପୌର ବିବାଦ ଥମୁନି, ସମସ୍ୟାର ସମାଧାନ ପାଇଁ ଶତାଧିକ ଜନସାଧାରଣ ଜିଲାପାଳଙ୍କୁ ଭେଟିଲେ

31

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ବିବାଦ ଥମୁନି ବରଂ ବଢିବାରେ ଲାଗିଛି। ରାଜନୀତିକି ପ୍ରଶାସନିକ ସ୍ଥାଣୁତା ଏହି ବିବାଦୀୟ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ପୌର ନିର୍ବାହୀ ଅଧିକାରୀଙ୍କୁ କେନ୍ଦ୍ରକରି ଏବେ ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ଯୋଗୁଁ ପୌର କାର୍ଯ୍ୟାଳୟରେ ଗତ କିଛିଦିନ ଧରି ଅଚଳାବସ୍ଥା ସୃଷ୍ଟି କରିଛି। ପୌର ପାରିଷଦ ଏହାକୁ ନେଇ ଦୁଇଭାଗରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ପୌର ନିର୍ବାହୀ ଅଧିକାରୀଙ୍କୁ ସମର୍ଥନ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ନିର୍ବାହୀ ଅଧିକାରୀଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି। ବଦଳି ନହେଲେ ଏକ ବଡ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପୌରାଞ୍ଚଳର ଶତାଧିକ ଜନସାଧାରଣ ଆଜି ସନ୍ଧ୍ୟାରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ପୌର ନିର୍ବାଚନ ୮ ମାସ ବିତିଗଲାଣି। ପୌରାଧ୍ୟକ୍ଷାଙ୍କୁ ପୌର ନିର୍ବାହୀ ଅଧିକାରୀ କୌଣସି କାର୍ଯ୍ୟରେ ସହଯୋଗ କରୁନାହାଁନ୍ତି।

ଫଳରେ ଜନସାଧାରଣଙ୍କ ସର୍ବନିମ୍ନ ମୌଳିକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଭତ୍ତା ହେଉ କିମ୍ବା ରାସନ୍ କାର୍ଡରୁ ବାଦ୍ ପଡିଥିବା ପରିବାରଙ୍କ ନାମ ସଂଯୋଗ ହେଉ ପୌରାଧ୍ୟକ୍ଷା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହିସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନ ହେଉନାହିଁ। ଏହାବ୍ୟତୀତ ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷଙ୍କୁ ଏକ ପ୍ରକାର ବାସନ୍ଦ କଲାଭଳି ଜଣାପଡୁଛି। ଭଦ୍ରକ କଲେଜର ପୌରାଧ୍ୟକ୍ଷ ପୁରାତନ ଛାତ୍ରୀ ହୋଇଥିଲେ ମଧ୍ୟ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଆମନ୍ତ୍ରଣ କରାଯାଉନାହିଁ। ନିକଟରେ ହୋଇଥିବା ଜିଲା ନିଯୁକ୍ତି ମେଳାକୁ ମଧ୍ୟ ପୌରାଧ୍ୟକ୍ଷାଙ୍କୁ ଡକାଯାଇନାହିଁ। ୮ ମାସ ଧରି ବହୁତ ସହିଲୁଣି, ଏବେ ଅସହ୍ୟ ହୋଇପଡିଲାଣି। ଏହିସବୁ ଅବ୍ୟବସ୍ଥାର ସମାଧାନ ପାଇଁ ଆଜି ଜିଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିବାକୁ ଆସିଛୁ। ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ମନୋରଂଜନ ଦାସ, ଶରତ ଚନ୍ଦ୍ର ଦାସ, ମହେଶ୍ୱର ରାଉତ, ବଟକୃଷ୍ଣ ନାୟକ, ଭାଗୀରଥି ମହାନ୍ତି, ଦୁଃଶାସନ ପୃଷ୍ଟି, ଅଭିମନ୍ୟୁ ଦାଶ, ସୁଶାନ୍ତ ରାଉତ, ବିଜୟ କୁମାର ରାଉତ, ସେକ୍ ନୁର ମଜାସମ୍‌, ସେକ୍ ଗୋଲାମ ଅଜମେର, ଆସିଫ୍ ଅଲ୍ଲୀ ଖାନ, ସେକ୍ ସିରାଜୁଦ୍ଦିନ୍‌, ସେକ୍ ମୁସ୍ତାକିନ୍‌, ମିର୍ ସମସୁଲ, ମିର୍ଜା ମୋଜାହିଦ୍ ବେଗ୍‌ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.