Home ଓଡ଼ିଶା ଯୋଡା : ଖଣି କାର୍ଯ୍ୟ ଶୁଭାରମ୍ଭ କଲା ଜେଏସ୍‌ଡବ୍ଲୁ

ଯୋଡା : ଖଣି କାର୍ଯ୍ୟ ଶୁଭାରମ୍ଭ କଲା ଜେଏସ୍‌ଡବ୍ଲୁ

112

ଯୋଡା, ୨୮- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖଣି ଲିଜ୍ ଅବଧି ସରିଥିବା ୧୯ଟି ଖଣିର ସରକାର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏଥିରେ ନୂତନ ଖଣି ଲିଜ୍ ଧାରୀମାନେ ସେମାନଙ୍କ ଖଣି କାର୍ଯ୍ୟ ଶୁଭାରମ୍ଭ କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଜିନ୍ଦଲ ସାଉଥ ୱେଷ୍ଟ (ଜେଏସ୍‌ଡବ୍ଲୁ) ଖଣି କମ୍ପାନୀ ଯୋଡା ଖଣି କ୍ଷେତ୍ରରେ ପାଦ ଥାପି ଥିବା ବେଳେ ଶନିବାର ଦିନ ନୁଆଗାଁ ଖଣିର କାର୍ଯ୍ୟ ଶୁଭାରମ୍ଭ କରିଥିବା ବେଳେ ରବିବାର ଦିନ ଜଜାଙ୍ଗ ଲୌହ ଖଣିର ଶୁଭାରମ୍ଭ କରିଥିବା ଜଣାପଡିଛି । ଏହି ଉଦ୍‌ଘାଟନି ସମୟରେ ନବୀନ ଜିନ୍ଦଲ ଏବଂ ତାଙ୍କ ପୁତ୍ର ଭେଙ୍କଟେସ ଜିନ୍ଦଲ, ନବୀନଙ୍କ ଭାଇ ସାଜନ ଜିନ୍ଦଲ ଏବଂ ତାଙ୍କ ପୁଅ ପାର୍ଥ ଜିନ୍ଦଲ ଯୋଗଦେଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ଜଜାଙ୍ଗ ଖଣିରେ ବାବା ଧବଳେଶ୍ୱର କମିଟିର ଶତାଧିକ ମହିଳା ପୁରୁଷ ସଭାପତି ସଞ୍ଜୟ ବାରିକଙ୍କ ନେତୃତ୍ୱରେ ଜିନ୍ଦଲ ପରିବାରଙ୍କୁ ଭବ୍ୟ ସ୍ୱାଗତ କରିଥିବା ବେଳେ ସାଜନ ଜିନ୍ଦଲ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ତାଙ୍କ ସହିତ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ସେ ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ । ସେମାନଙ୍କ ସହିତ ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଃ ଲିଃର ମୁଖ୍ୟ ବି. ପ୍ରଭାକରନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବା ବେଳେ ପ୍ରଭାକରନ ଏହି ଖଣି ଦୁଇଟିକୁ ପରିଚାଳନା କରିବେ ବୋଲି ଅନୁମାନ କରାଯାଉଛି ।

 

ଏଠାରେ ସୂଚନା ଯୋଗ୍ୟ, କେ.ଜେ. ଏସ୍ ଆଲୁୱାଲିଆଙ୍କ ମାଲିକାନାରେ ଥିବା ନୁଆଗାଁ ଲୌହ ଖଣି ୯୫.୨୫ ପ୍ରତିଶତରେ, ଏଏମ୍‌ଟିସିର ନାରାୟଣପୋଷି ଲୌହ ଓ ମାଙ୍ଗାନିଜ ଖଣିକୁ ୯୫.୫୫ ପ୍ରତିଶତରେ, ପି.କେ. ଆଲୁୱାଲିଆଙ୍କ ଗଣୁଆଁ ଲୌହ ପଥର ଖଣିକୁ ୧୩୨ ପ୍ରତିଶତରେ, ରୁଙ୍ଗଟା କମ୍ପାନୀ ଅଧିନରେ ଥିବା ଜଜାଙ୍ଗ ଲୌହ ଖଣିକୁ ୧୧୦ ପ୍ରତିଶତ ଏହିପରି ୪ଟି ଖଣିକୁ ଜେଏସ୍‌ଡବ୍ଲୁ ଯୋଡା ଖଣି କ୍ଷେତ୍ରରେ ନିଜ ସପକ୍ଷରେ କରିବାରେ ସକ୍ଷମ ହୋଇଥିଲେ । ୭୬୭.୨୮୪ ହେକ୍ଟର ପରିମିତ ନୂଆଗାଁ ଲୌହ ଖଣିଟିରେ ୭୯୨.୯୩ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବାବେଳେ ୬୬୬.୧୫ ହେକ୍ଟର ପରିମିତ ଜଜାଙ୍ଗ ଲୌହ ଖଣିଟିରେ ଗଚ୍ଛିତ ଲୁହାପଥରର ପରିମାଣ ୫୮.୫୦୯ ନିୟୁତ ମେଟ୍ରିକ ଟନ୍ ବୋଲି ଜଣାପଡିଛି । ଜଜାଙ୍ଗ ଲୌହ ଖଣିର ଶୁଭ ଉଦ୍‌ଘାଟନ ସମୟରେ ଏହି ଖଣିରେ ରୁଙ୍ଗଟା କମ୍ପାନୀରେ କାର୍ଯ୍ୟରତ କେତେଜଣ କର୍ମଚାରୀ ସାଜନ ଜିନ୍ଦଲଙ୍କୁ ସାକ୍ଷାତ କରି ସେମାନଙ୍କ ଚାକିରିର ସ୍ଥାୟିତ୍ୱ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କ ପ୍ରଶ୍ନର ଉତ୍ତରରେ ସାଜନ ଜିନ୍ଦଲ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.