Home ଓଡ଼ିଶା ଯୋଡା -ଖଣି ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା

ଯୋଡା -ଖଣି ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା

89

ଯୋଡା, ୨୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳରେ ଦୈନିକ ହଜାର ହଜାର ସଂଖ୍ୟାରେ ତାମିଲନାଡୁ, ଝାରଖଣ୍ଡ, ନାଗାଲାଣ୍ଡ, ୱେଷ୍ଟ ବେଙ୍ଗଲ, ପଞ୍ଜାବ, ହରିଆନା, ବିହାର, ମଧ୍ୟପ୍ରଦେଶ ପ୍ରଭୁତି ରାଜ୍ୟ ବାହାର ଟ୍ରକ ଲୁହାପଥର ପରିବହନ ନିମନ୍ତେ ଆସୁଥିବା ବେଳେ ଏଠାରେ କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଗାଡି ଚାଳକ ଏବଂ ହେଲଫର ବିଭିନ୍ନ ପେଟ୍ରୋଲ ପମ୍ପ, ଟାୟାର ମରାମତି ଦୋକାନ, ଜଳଖିଆ ଦୋକାନ, ପାନ ଦୋକାନ, ଢାବା ଏପରିକି ୱେ-ବ୍ରିଜ ଇତ୍ୟାଦିରେ ଚଳପ୍ରଚଳ ହେବା ସହ ସିଧାସଳଖ ଅନ୍ୟ ଲୋକଙ୍କ ସହିତ ସଂସ୍ପର୍ଶରେ ଆସୁଥିବାରୁ ଏହି କରୋନା ସଂକ୍ରମିତ ହେବା କିଛି ବିଚିତ୍ର ନୁହେଁ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବାରମ୍ବାର ବୈଠକ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଇବାର ପରାମର୍ଶ ଦିଆଯାଉଥିବା ବେଳେ ତାହା କେବଳ ଧର୍ମକୁ ଆଖିଠାର ବୋଲି ଜଣାପଡିଛି । ସରକାରଙ୍କ ପକ୍ଷରୁ ସଚେତନତା ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦିଆଯାଇଥିବା ବେଳେ ସଚେତନତା କାର୍ଯ୍ୟକ୍ରମ ଅତ୍ୟନ୍ତ ନୈରାଶ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିପରି ଯୋଡା ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ହାତ ଧୋଇବା ପାଇଁ କରାଯାଇଥିବା ବେସିନ ବ୍ୟବସ୍ଥାରେ ଜଳ ସଂଯୋଗ ନଥିବା ସହିତ ହାତ ଧୋଇବା ପାଇଁ ସାବୁନଟିଏ ମଧ୍ୟ ନଥିବା ଦେଖିବାକୁ ମିଳିଛି । ଯାହା କେବଳ ଏକ ପ୍ରହସନ ବୋଲି ସାଧାରଣରେ ଆଳୋଚନା ହେଉଛି । ତେବେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିବା ବେଳେ ଉଚ୍ଚବାଲିସ୍ଥିତ ବାବା ଧବଳେଶ୍ୱର କମିଟି ପକ୍ଷରୁ ସଞ୍ଜୟ ବାରିକ୍ ଏବଂ ତାଙ୍କର ସହଯୋଗୀମାନେ ଜନସଚେତନତା ସୃଷ୍ଟି କରିବା ସହିତ ନିକଟସ୍ଥ ଗ୍ରାମବାସୀ ଏବଂ ଯୋଡା ବାମେବାରୀ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଟ୍ରକ ଓ ୨ ଚକିଆ ଯାନକୁ ଅଟକାଇ ସଚେତନତା କରିବା ସହିତ ମାସ୍କ ଓ ହାତ ଧୋଇବା ପାଇଁ ଡେଟଲ ସାବୁନ ମାଗଣା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହି ପ୍ରକ୍ରିୟାରେ ପ୍ରଥମ ଦିନରେ ଏକ ହଜାର ଲୋକଙ୍କୁ ଏହି ସୁବିଧା ଯୋଗାଇଦେଇଥିବା ଜଣାପଡିଛି । ତେବେ ଟ୍ରକ ଚଳାଚଳ ଉପରେ କଟକଣା ଜାରି କରାନଗଲେ ଏହି ମହାମାରିକୁ ରୋକିବା ଖଣି ଅଞ୍ଚଳରେ କଷ୍ଟକର ହୋଇପଡିବ ବୋଲି ବୁଦ୍ଧିଜୀବୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.