Home ଓଡ଼ିଶା ଯୋଡା : କରୋନା ଛଡେଇନେଲା ଜଣେ ଭଲ ଡାକ୍ତରଙ୍କୁ

ଯୋଡା : କରୋନା ଛଡେଇନେଲା ଜଣେ ଭଲ ଡାକ୍ତରଙ୍କୁ

368

ଯୋଡା, ୨୨ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଅବସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଭଲ ଡାକ୍ତରଙ୍କୁ ଯୋଡା ବାସୀଙ୍କ ଠାରୁ କରୋନା ଛଡାଇନେଇଛି । ସେ ହେଉଛନ୍ତି କେନ୍ଦ୍ରୀୟ ଚିକିତ୍ସାଳୟର ଭେସଜ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଚନ୍ଦ୍ର ଦାସ । ଏପ୍ରିଲ ମାସ ୨୯ ତାରିଖରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ତେଣୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ସମ୍ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଗତ ୧୨ ତାରିଖରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଜୀବନରକ୍ଷାକାରୀ ଗୃହରେ ରଖାଯାଇ ଚିକିତ୍ସା କରାଯାଉଥିଲା । ତେବେ ଗତ ୨୦ ତାରିଖ ସନ୍ଧ୍ୟା ୭.୫୦ ମି. ସମୟରେ ତାଙ୍କର ଦେହାନ୍ତ ଘଟିଛି । ସେହି ଏକା ଡାକ୍ତରଖାନାରେ ତାଙ୍କର ଜଣେ ଶାଳକ ସଞ୍ଜୟ କୁମାର ମଲ୍ଲିକ ମଧ୍ୟ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ମଧ୍ୟ ଗତ ୧୮ତାରିଖରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଯୋଡା ଏବଂ ତାଙ୍କର ଭୁବନେଶ୍ୱରସ୍ଥିତ ପୁରୁଣା ବଜାର ବାସଭବନରେ ଶୋକର ଛାୟା ଖେଳାଇଦେଇଛି । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ଯୋଡା ଅଞ୍ଚଳରେ ଗରିବ ଲୋକଙ୍କ ସେବା କରିଆସୁଥିଲେ । ଯେତେବେଳେ ଯେକୌଣସି ମୁହୁର୍ତ୍ତରେ ତାଙ୍କର ବାସଭବନରେ ପହଞ୍ଚିଲେ ମଧ୍ୟ ସେ କୌଣସି ରୋଗୀଙ୍କୁ ଅଣଦେଖା କରୁନଥିଲେ । ବିଭିନ୍ନ ସ୍ଥାନରୁ ଚିକିତ୍ସିତ ହୋଇ ନିରାଶ ହୋଇ ଫେରୁଥିବା ଅଧିକାଂଶ ରୋଗୀ ତାଙ୍କ ପାଖକୁ ଚିକିତ୍ସା ନିମନ୍ତେ ଆସୁଥିଲେ । ସେମାନଙ୍କ ପାଇଁ ସେ ଦେବଦୂତ ସାଜି ସ୍ୱତନ୍ତ୍ର ଭାବେ ନିଶୁଳ୍କ ଚିକିତ୍ସା ବ୍ୟବସ୍ଥା କରୁଥିଲେ । ଏପରିକି କେନ୍ଦ୍ରୀୟ ଚିକିତ୍ସାଳୟକୁ ଆବଶ୍ୟକ ମୁତାବକ ଅର୍ଥ ଆସୁନଥିବା ବେଳେ ନିଜସ୍ୱ ଦରମାରୁ କେନ୍ଦ୍ରୀୟ ଚିକିତ୍ସାଳୟର ସଫେଇ କାର୍ଯ୍ୟ କରି ଏକ ଆଦର୍ଶ ଚିକିତ୍ସା କେନ୍ଦ୍ରର ମର୍ଜ୍ୟାଦା ରଖିପାରିଥିଲେ । ସେ ସର୍ବଦା ଚିକିତ୍ସାଳୟଟିର ଉନ୍ନତି ପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରୁଥିଲେ । ଏପରି ଜଣେ ଚିକିତ୍ସକଙ୍କୁ ହରାଇ କେନ୍ଦ୍ରୀୟ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଅତ୍ୟନ୍ତ ମର୍ମାହତ ହୋଇପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.