Home ଓଡ଼ିଶା ଯୋଡା : ଓମବାଡସି (OMBADC) ଅର୍ଥକୁ ଅପବ୍ୟବହାର, ବୁଡି ଅଞ୍ଚଳରେ ସ୍କୁଲ ନିର୍ମାଣ କାହା ସ୍ୱାର୍ଥରେ

ଯୋଡା : ଓମବାଡସି (OMBADC) ଅର୍ଥକୁ ଅପବ୍ୟବହାର, ବୁଡି ଅଞ୍ଚଳରେ ସ୍କୁଲ ନିର୍ମାଣ କାହା ସ୍ୱାର୍ଥରେ

21

– ଶତପ୍ରତିଶତ ବୁଡି ଅଞ୍ଚଳ ମଧ୍ୟରେ ଗୋବିନ୍ଦପୁର ଅବସ୍ଥିତ
– ସ୍କୁଲ ମରାମତିରେ ଖର୍ଚ୍ଚ ହୋଇଛି ୩୬ ଲକ୍ଷ
– ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଛି ଏହି ବ୍ୟୟବରାଦ
– ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଚମ୍ପୁଆ କରିଛି ଏହି ପ୍ରକଳ୍ପ କାର୍ଯ୍ୟ
ଯୋଡା, ୨୧ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାମାନ ଖଣି ଅଞ୍ଚଳରେ ପାଣିରେ ପଡୁଥିବାର ଅନେକ ନଜିର ରହିଛି। ଯୋଡା ବ୍ଲକ ବିରିକଳା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ବସିଥିବା ବେଳେ ଏହି ପ୍ରକଳ୍ପ ପାଇଁ ବୁଡି ଅଞ୍ଚଳରେ ଥିବା ୧୬ଟି ଗ୍ରାମକୁ ଉଚ୍ଛେଦ କରାଯାଇ ୩୮୬୯ ପରିବାରକୁ ବିସ୍ଥାପିତ କରାଯାଇଛି। ତେବେ ବଡ ଆଶ୍ଚର୍ଯ୍ୟର ବିଷୟ ଶତପ୍ରତିଶତ ବୁଡି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ଗୋବିନ୍ଦପୁର ଗ୍ରାମର ସମସ୍ତ ବାସଗୃହ ଉଚ୍ଛେଦ କରାଯାଇଥିବା ବେଳେ ଏହି ଗ୍ରାମରେ ଏକ ବିଦ୍ୟାଳୟର ୩୬ଲକ୍ଷ ଟଙ୍କା ବ୍ୟୟବରାଦରେ ସମ୍ପ୍ରସାରଣ କରାଯାଇଥିବା ଦେଖିବାକୁ ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସମ୍ପତ୍ତି ବିକାଶ ସମୃଦ୍ଧି ଯୋଜନା ମାଧ୍ୟମରେ ଏହି ନିର୍ମାଣ କାର୍ଯ୍ୟ କରାଯାଇଥିବା ଜଣାପଡିଛି। ଚମ୍ପୁଆସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟଟିକୁ କାର୍ଯ୍ୟକାରୀ କରିଥିବା ବେଳେ ଏଥିରେ ଓଡିଶା ମିନେରାଲ ବିଅରିଙ୍ଗ ଏରିଆ ଡେଭେଲପମେଣ୍ଟ କର୍ପୋରେସନ (ଓମବାଡସି) ପାଣ୍ଠିରୁ ଏହି ଅର୍ଥ ବିନିଯୋଗ କରାଯାଇଛି। ଖୁବ ଶୀଘ୍ର ଜଳସେଚନ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଏହି ସ୍କୁଲର ଚତୁରପାଶ୍ୱର୍ରେ ଥିବା ଗ୍ରାମ ଗୁଡିକୁ ଏଥି ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ତେବେ ଖୁବ ଶୀଘ୍ର ଏହି ସ୍କୁଲକୁ ମଧ୍ୟ ଉଚ୍ଛେଦ କରିବାକୁ ପଡିବ ବୋଲି ଜଣାପଡିଛି। ଏହି ସ୍କୁଲକୁ ଏବେ ମଧ୍ୟ ବିସ୍ଥାପିତ ପରିବାରର ପିଲାମାନେ ଦୁରଦୂରାନ୍ତରୁ ପାଠ ପଢିବାକୁ ଆସୁଥିବା ବେଳେ ଏଠାରେ ବିଦ୍ୟୁତ୍ ସଂଯୋଗକୁ ଦୀର୍ଘ ଦିନରୁ ବିଚ୍ଛିନ୍ନ କରଦିଆଯାଇଛି। ଏହି ସ୍କୁଲ ନିର୍ମାଣରେ ଏତେ ପରିମାଣର ଅର୍ଥ ଅପଚୟ କରାନଯାଇ ବିସ୍ଥାପିତ କଲୋନୀରେ ଏହି ନିର୍ମଣ କରାଯାଇଥିଲେ ତାହା ବିସ୍ଥାପିତ କଲୋନୀର ଛାତ୍ର-ଛାତ୍ରୀଙ୍କ ପାଇଁ କାମରେ ଲାଗିପାରିଥାନ୍ତା। ତେବେ ଏହା ବୁଡି ଅଞ୍ଚଳ ଜାଣି ସୁଦ୍ଧା ୨୦୨୦-୨୧ ଆର୍ôଥକ ବର୍ଷରେ କାହା ସ୍ୱାର୍ଥରେ ଏଠାରେ ଏତେ ଅର୍ଥ ବିନିଯୋଗ କରାଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖଣି ପ୍ରଭାବିତ ଅଞ୍ଚଳରେ ଆଦିବାସୀମାନଙ୍କ ବିକାଶ ନିମନ୍ତେ ଉଦ୍ଧିଷ୍ଟ ଏହି ଅର୍ଥ ଅପବ୍ୟୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପ୍ରଶାସନର ଦୁରଦୃଷ୍ଟି ଅଭାବ ନାଁ ଅର୍ଥ ବାଟମାରଣା କରିବାର ଏକ ପ୍ରୟାସ ତାହା ତଦନ୍ତ ସାପେକ୍ଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.