Home ଓଡ଼ିଶା ଯୋଡା : ଓଏମ୍‌ଇସିଏଲ୍ ଖଣିର ପରିବେଶୀୟ ଜନଶୁଣାଣୀ ସଫଳ

ଯୋଡା : ଓଏମ୍‌ଇସିଏଲ୍ ଖଣିର ପରିବେଶୀୟ ଜନଶୁଣାଣୀ ସଫଳ

29

ଯୋଡା, ୨୧ା୫ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଓଡିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ଲିଃ (ଓଏମ୍‌ଇସିଏଲ୍‌) ଖଣି କମ୍ପାନୀ କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ନୂଆଗାଁ ଓ ଗନ୍ଦଲପଦା ଗ୍ରାମ ଠାରେ ୨୪.୨୦୩ ହେକ୍ଟର ପରିମିତ ରେଙ୍ଗାଲବେଡା ଲୁହାପଥର ବ୍ଲକରୁ ବାର୍ଷିକ ୨ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଏକ ସର୍ବସାଧାରଣ ଜନଶୁଣାଣୀ ଗୁଆଲି ପଞ୍ଚାୟତ ଅନ୍ତର୍ଗତ ଗନ୍ଦଲପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରକଳ୍ପ ଯୋଗୁଁ ପରିବେଶ ଉପରେ ପଡୁଥିବା ପ୍ରତିକୁଳ ପ୍ରଭାବ ଏବଂ ଏହାର ପ୍ରତିକାର ସମ୍ବନ୍ଧରେ ଏହି ଜନଶୁଣାଣୀଟି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରାୟ ୩୨ ଜଣ ସ୍ଥାନୀୟ ବାସିନ୍ଦା ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝର ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ଜିଲା ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଉପସ୍ଥିତ ରହି ଏହି ଜନଶୁଣାଣୀର ପରିଚାଳନା କରିଥିଲେ। ଏହି ଖଣି କମ୍ପାନୀର ବରିଷ୍ଠ ପ୍ରବନ୍ଧକ ଉଦୟ ଶଙ୍କର ପଟ୍ଟନାୟକ କମ୍ପାନୀର ସମ୍ପର୍କରେ ବିବରଣୀ ପାଠ କରିଥିବା ବେଳେ ଏଥିରେ ଗନ୍ଦଲପଦା ଓ ନୁଆଗାଁର ଗ୍ରାମବାସୀମାନେ ନିଜ ନିଜର ମତ ପ୍ରଦାନ କରିଥିଲେ। ସମସ୍ତେ କମ୍ପାନୀ ସପକ୍ଷରେ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ଗ୍ରାମବାସୀମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଶିକ୍ଷା କ୍ଷେତ୍ରରେ ଶିକ୍ଷକ ନିଯୁକ୍ତି, ସ୍ଥାନୀୟ ଅଞ୍ଚଳରେ ଉଜ୍ଜଳ ଆଲୋକର ବ୍ୟବସ୍ଥା, ଆମ୍ବୁଲାନ୍ସର ବ୍ୟବସ୍ଥା, ସ୍କୁଲ ବସ୍ ବ୍ୟବସ୍ଥା ନିମନ୍ତେ ବିଭିନ୍ନ ଦାବିମାନ ଉପସ୍ଥାପନ କରିଥିଲେ। ତେବେ ଜୁରିଆ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନୂଆଗାଁ ଠାରେ ଏହି ଖଣିକୁ ଲାଗି ଏକ ନୂଆଗାଁ ଦଲକି ଝରଣା ଥିବା ବେଳେ ଏହି ଖଣି କାର୍ଯ୍ୟ ଯୋଗୁଁ ଯେପରି ଏହି ଚିରସ୍ରୋତା ଝରଣାଟି ପ୍ରଭାବିତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ କହିଥିଲେ। ଏହି ଚିରସ୍ରୋତା ଝରଣାଟିରେ ସ୍ଥାନୀୟ ଗ୍ରାମବାସୀମାନେ ନିର୍ଭଶୀଳ ଥିବା ବେଳେ ଏହାର ପୁନଃ ଉଦ୍ଧାର ପାଇଁ ସେ କମ୍ପାନୀକୁ ଅନୁରୋଧ କରିଥିଲେ। ଶେଷରେ କମ୍ପାନୀର ସାଧାରଣ ପ୍ରବନ୍ଧକ ଚିତ୍ତରଞ୍ଜନ ସାହୁ ଏହି ଖଣିଟି ଚାଲିବା ପରେ ପର୍ଯ୍ୟାୟକ୍ରମେ ଗ୍ରାମବାସୀମାନଙ୍କର ସମସ୍ତ ଦାବି ଗୁଡିକୁ ପୁରଣ କରିବା ପାଇଁ କମ୍ପାନୀ ଯତ୍ନବାନ ହେବ ବୋଲି୍ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ଜନଶୁଣାଣୀଟି ଶତ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.