Home ଓଡ଼ିଶା ଯୋଡା : ଆସନ୍ତା ୧୪ରେ ଟ୍ରକ ମାଲିକଙ୍କ ଚୁଡାନ୍ତ ନିଷ୍ପତ୍ତି

ଯୋଡା : ଆସନ୍ତା ୧୪ରେ ଟ୍ରକ ମାଲିକଙ୍କ ଚୁଡାନ୍ତ ନିଷ୍ପତ୍ତି

154

ଯୋଡା, ୦୭ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟ୍ରକ ଯୋଗେ ପରିବହନ ମୂଲ୍ୟ ବୃଦ୍ଧି ନିମନ୍ତେ ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ ଚଳିତ ମାସ ୪ ତାରିଖ ଦିନ ଅନୁଷ୍ଠିତ ମହାସଂଘର ବୈଠକରେ ଲୁହାପଥର ପରିବହନ ଦରରେ ସମାନତା ଓ ଉଚତ ଭଡା ଦାବିରେ ଚଳିତ ମାସ ୭ ତାରିଖ ବୁଧବାର ଠାରୁ ପାରାଦ୍ୱୀପ, ଗୋପାଳପୁର ଓ ଭାଇଜାଗ ବନ୍ଦରକୁ ଯାଉଥିବା ସମସ୍ତ ଲୁହାପଥର ପରିବହନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ସହିତ ଦର ବୃଦ୍ଧିର କୌଣସି ପ୍ରତିକାର କରାନଗଲେ ଚଳିତ ମାସ ୧୨ ତାରିଖ ସୋମବାର ଠାରୁ ସମସ୍ତ ଘରୋଇ କାରଖାନାକୁ ଲୁହାପଥର ପରିବହନ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏ ନେଇ ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘର ସମ୍ପାଦକ ରବି ନାରାୟଣ ଶତପଥି ରାଜ୍ୟର ସମସ୍ତ ଟ୍ରକ ମାଲିକ ସଂଘକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ତେବେ ଏ ନେଇ ମଙ୍ଗଳବାର ଦିନ କେନ୍ଦୁଝର ଠାରେ କେନ୍ଦୁଝର ଟ୍ରକ ମାଲିକ ସଂଘ, ଯୋଡା ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ବଡବିଲ ଟ୍ରକ ମାଲିକ ସଂଘ, କୋଇଡା ଟ୍ରକ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରେ ରାଜ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କ୍ରମେ ୧୨ ତାରିଖ ଦିନ ଏକ ମିଳିତ ବୈଠକ ଅନୁଷ୍ଠିତ ହେବାର ସ୍ଥିର କରାଯାଇଥିଲା । ତେବେ ୧୨ ତାରିଖ ଦିନ ରଥ ଯାତ୍ରା ପଡୁଥିବାରୁ ଏହି ବୈଠକକୁ ରାଜ୍ୟ ଟ୍ରକ ମାଲିକ ସଂଘ ପରାମର୍ଶ କ୍ରମେ ୧୪ ତାରିଖକୁ ଘୁଞ୍ଚାଇଦିଆଯାଇଥିବା କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବୈଠକରେ ପରିବହନ ଦର, ଲୁହାପଥର ବୋଝେଇ, ଖଲାସ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଜଣାପଡିଛି । କେନ୍ଦୁଝର ଠାରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟ କର, କୋଇଡା ଟ୍ରକ ମାଲିକ ସଂଘର ସଭାପତି ଜନାର୍ଦ୍ଦନ ଦେହୁରୀ, ଯୋଡା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ୍‌, ଉପସଭାପତି ବିଜୟ ଆପଟ୍ଟ, ଆଞ୍ଚଳିକ ଟ୍ରକ ମାଲିକ ସଂଘର ସମ୍ପାଦକ ରାଜେନ୍ଦ୍ର ବାରିକ୍‌, କୋଇଡା ଟ୍ରକ ମାଲିକ ସଂଘର ଯୁଗ୍ମ ସମ୍ପାଦକ ସନାତନ ଘଣା, ବଡବିଲ ଟ୍ରକ ମାଲିକ ସଂଘର ସମ୍ପାଦକ ଚନ୍ଦ୍ର ପ୍ରସାଦ ଗୁପ୍ତା, ଗୁଆଲି ଟ୍ରକ ମାଲିକ ସଂଘର କେ. ଆପଟ୍ଟ, ଭଦ୍ରାସାହିର ସୁନିଲ ଦତ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ, ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ବନ୍ଦ ନିଷ୍ପତ୍ତିକୁ ଖଣି ଅଞ୍ଚଳର କେତେକ ଟ୍ରକ ମାଲିକ ବିରୋଧ କରିଥିବା ଜଣାପଡିଛି । ରାଜ୍ୟ ଟ୍ରକ ମାଲିକ ସଂଘ ପରିବହନ ଦରରେ ସମାନତା ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି । ଯେତେବେଳେକି ଖଣି ଅଞ୍ଚଳର ଟ୍ରକ ମାଲିକ ବିଭିନ୍ନ ବନ୍ଦରରୁ ଲୁହାପଥର ଖଲାସ କରି ଖାଲି ଗାଡି ଫେରୁଥିବା ବେଳେ ସେମାନଙ୍କୁ ବନ୍ଦରରୁ କୌଣସି ସାମଗ୍ରୀ ପରିବହନ କରିବାକୁ ଦିଆଯାଇନଥାଏ । କିନ୍ତୁ କେନ୍ଦୁଝର ଜିଲ୍ଲା ବାହାରର ଟ୍ରକ ଗୁଡିକ ସେପଟୁ କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରି ବିଭିନ୍ନ କାରଖାନାକୁ ଯୋଗାଉଥିବା ବେଳେ କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲାରୁ ଲୁହାପଥର ପରିବହନ କରିଥାନ୍ତି । ତେଣୁ ପରିବହନ ଦରରେ ସମାନତା ଅଣାଗଲେ ଏହା ଖଣି ଅଞ୍ଚଳ ଟ୍ରକ ମାଲିକଙ୍କ ପ୍ରତି ଅବିଚାର ହେବ ବୋଲି ସେମାନେ କହିଛନ୍ତି । ତେବେ ୭ ତାରିଖ ଦିନ ପରିବହନ ବନ୍ଦ ପାଇଁ ଦିଆଯାଇଥିବା ଡାକରାକୁ ଅଧିକାଂଶ ଟ୍ରକ ମାଲିକ ସଂଘ ଗ୍ରହଣ କରୁନଥିବା ଜଣାପଡିଛି । ତେବେ ଖଣି ଅଞ୍ଚଳ ଟ୍ରକ ମାଲିକ ସଂଘ ପ୍ରତି କୌଣସି ଅବିଚାର କରାଗଲେ ଆଗାମୀ ଦିନରେ ସେମାନେ ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘରୁ ଓହରିଯିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.