Home କେନ୍ଦୁଝର ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର, ଭାଗ୍ୟକୁ ଆଦରି ଭଙ୍ଗାଘରେ ପଡି ରହିଛନ୍ତି ରବିନ୍ଦ୍ର...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର, ଭାଗ୍ୟକୁ ଆଦରି ଭଙ୍ଗାଘରେ ପଡି ରହିଛନ୍ତି ରବିନ୍ଦ୍ର ଓ ରଙ୍ଗାଧର

99

ହାଟଡିହି-୬ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର‌୍ୟ୍ୟନ୍ତ ସମସ୍ତେ ଗରିବ ଆଦିବାସୀ ମାନଙ୍କ ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ଯୋଜନା ଗୁଡିକ ବାଟବଣା ହୋଇଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମରେ । ଗ୍ରାମର ରବିନ୍ଦ୍ର ବିରୁଆ ଜଣେ ଦିନ ମଜୁରିଆ । ପରଘରେ ମୁଲ ଲାଗିଲେ ପରିବାର ଚଳେ । ପରିବାରରେ ନିଜସ୍ତ୍ରୀ, ଝିଅ ଓ ଦୁଇ ଛୋଟ ପୁଅଙ୍କୁ ନେଇ ତାଙ୍କ ସଂସାର । ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇ ପଡିଥିବାବେଳେ ଚଳିତବର୍ଷ ନିଜର ଚାଳଘର ଖଣ୍ଡିକ ଦୁଇବର୍ଷ ହେଲା ଛପର ମଧ୍ୟ କରିପାରି ନଥିଲେ । ଯାହାଦ୍ୱାରାକି ଦୁଇବଖରା ଚାଳଘର ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି । କାନ୍ଥ ଗୁଡିକ ଭାଙ୍ଗି ପଡିଥିବାବେଳେ ଘରେ ନଡା ବିଛାଇ ପରିବାର ଲୋକେ ଶୁଆବସା କରୁଛନ୍ତି । ଘରର ଛପର ସବୁ ଉଡି ଯାଇଥିବାରୁ ବର୍ଷାଦିନେ ଘର ଭିତରେ ପାଣି ଓ ରାତିରେ ଜହ୍ନ ଦେଖା ଯାଉଛନ୍ତି । ଯାହାକି ସ୍ୱଚକ୍ଷୁରେ ନଦେଖିôଲେ କେହି ବିଶ୍ୱାଷ କରିପାରିବେ ନାହିଁ । ଆଖପାଖ ସାହି ପଡିଶା ଲୋକେ ଆବାସ ଯୋଜନାରେ ଘର ନିର୍ମାଣ କରି ପକ୍କା ଘରେ ରହୁଥିବାବେଳେ ତାଙ୍କୁ ଆଜି ପର‌୍ୟ୍ୟନ୍ତ ଘର ଖଣ୍ଡିଏ ମିଳି ପାରିଲାନି । ଏନେଇ ସମସ୍ତଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନାହାନ୍ତି । ଢ଼େଙ୍କା ପଞ୍ଚାୟତରେ ପୁର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯାଉଥିବାବେଳେ ଗତ ଦୁଇବର୍ଷ ତଳେ ହଜାର ହଜାର ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କାଘର ଯୋଗାଇ ଦିଆଯାଇଥିଲା । ଢ଼େଙ୍କା ପଞ୍ଚାୟତରେ ମଧ୍ୟ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ଉପଯୁକ୍ତ ହିତାଧିକାରୀ ଚୟନ ନହେବାରୁ ଅନେକ ଅଯୋଗ୍ୟ ବ୍ୟକ୍ତି ଘର ପାଇଲେ ସିନା କିନ୍ତୁ ଏବେବି ଅନେକ ଯୋଗ୍ୟ ପରିବାର ଆବାସ ଯୋଜନା ପାଇ ନପାରି ଭଙ୍ଗା ଘରେ ବସବାସ କରୁଛନ୍ତି । ସେହିପରି ରଙ୍ଗାଧର ହୋ ନାମକ ଜଣେ ବ୍ୟକ୍ତି ନିଜର ୪ଜଣ ପରିବାରକୁ ଧରି ଏକ ଭଙ୍ଗା ଘରେ ରହିଥିବାବେଳେ ଆବାସ ଯୋଜନା ଘର ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର‌୍ୟ୍ୟନ୍ତ ଦୌଡୁଥିବା କୋହ ଭରା କଣ୍ଠରେ କହିଛନ୍ତି । ଯିଏ ପଇସା ଦେଇପାରିଲା ସେ ଘର ପାଇଲା । ଆମେ ଦିନ ମଜୁରିଆ ଖଟିଲେ ଖାଉଛୁ ତେଣୁ କେଉଁଠୁ ଲାଞ୍ଚଦେବାପାଇଁ ଟଙ୍କା ଆଣିବୁ ବୋଲି ସେ କହିଛନ୍ତି । ଫଳରେ ଏକ ଭଙ୍ଗା ଚାଳଘରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ରଙ୍ଗାଧର ହୋ ଓ ତାଙ୍କର ପରିବାର । କେବେ ପ୍ରଶାସନ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବ ସେନେଇ ଅପେକ୍ଷା କରିଛନ୍ତି ଏହି ଦୁଇଟି ପରିବାରର ଲୋକେ । ଏ ସମ୍ପର୍କରେ ବିଡିଓ ଜୟଦେବ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେହି ଘର ପାଇନଥିବା ବ୍ୟକ୍ତି ଦୁଇଜଣଙ୍କୁ ଘର ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.