Home ଜିଲ୍ଲା ପରିକ୍ରମା ଯେଉଁ ସ୍ଥାନ ଭଦ୍ର ଓ ମାର୍ଜିତ କରେ ତାହା ଭଦ୍ରକ, ସାଳନ୍ଦୀ ବହିମେଳାର ତୃତୀୟ ସୃଜନ...

ଯେଉଁ ସ୍ଥାନ ଭଦ୍ର ଓ ମାର୍ଜିତ କରେ ତାହା ଭଦ୍ରକ, ସାଳନ୍ଦୀ ବହିମେଳାର ତୃତୀୟ ସୃଜନ ସଂଧ୍ୟା

69

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକଦା ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ ଏକାଧିକ ବ୍ୟକ୍ତିତ୍ୱ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିବା ସହ ସ୍ୱାଧୀନତା ଆନ୍ଦୋଳନକୁ ତେଜୋଦ୍ଦୀପ୍ତ କରିଥିବା ଏ ମାଟିର ପ୍ରଚୁର ସ୍ୱପ୍ନ ସଂଭାବନା ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଅର୍ଥନୀତି ଆଦି ବିବିଧ କ୍ଷେତ୍ରରେ ପଡୋଶୀ ଜିଲ୍ଲାଗୁଡିକ ତୁଳନାରେ ଏହା ପଛରେ ରହିବା ବିଡମ୍ବନାର ବିଷୟ। ଏଥିପାଇଁ ଅପ୍ରମିତ ଇଚ୍ଛାଶକ୍ତି ସହିତ ରାଜନୈତିକ ଓ ପ୍ରଶାସନିକ ତତ୍ପରତା, ସାଧାରଣ ଜନତା ତଥା ଯୁବ ନେତୃତ୍ୱର ତ୍ୟାଗ ଓ ନିଷ୍ଠାର ଆବଶ୍ୟକତା ରହିଛି। ଏହା ସତ୍ତ୍ୱେ ଭଦ୍ରକ ଅନ୍ୟକୁ ଭଦ୍ର ଓ ମାର୍ଜିତ କରିବାର ଭୂମି ବୋଲି ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆଗାମୀ ୭ତାରିଖ ଯାଏ ଆୟୋଜିତ ସାଲ୍ୱ ନନ୍ଦିନୀ ସାଳନ୍ଦୀ ନାମରେ ନାମିତ ଅପାରଂପରିକ ବହିମେଳା ଓ ସାହିତ୍ୟ ମହୋତ୍ସବର ତୃତୀୟ ସୃଜନ ସଂଧ୍ୟାରେ ମତ ପ୍ରକାଶ ପାଇଛି। ‘କାଦମ୍ବିନୀ’ର ସହ-ସଂପାଦକ ଅମିତାଭ ଖିଲାରଙ୍କ ସଂଚାଳନାରେ ସମାଜ-ସଂସ୍କୃତି-ସଭ୍ୟତାକୁ ନେଇ ଚର୍ଚ୍ଚା ‘ମାଟିର ନାଆଁ ଭଦ୍ରକ’ ସଂପାନରେ ସଦସ୍ୟ ବସୁମିତ୍ରା ସାହୁ ଶେଷସ୍ପର୍ଶ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ଜିଲ୍ଲାର ପ୍ରମୁଖ ବ୍ୟକ୍ତିତ୍ୱ ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, ଡ. ରାଧାରାଣୀ ମହାପାତ୍ର, ଶାନ୍ତନୁ କୁମାର ରାଉତ, ଅଟଳ ବିହାରୀ ନାୟକ, ଡା. ହରେକୃଷ୍ଣ ନାୟକ, ଶୁଭେନ୍ଦୁ ରାୟ ମହାପାତ୍ର, ଇନ୍ଦ୍ରଜିତ ସାହୁ, ଶାନ୍ତି ସ୍ୱରୂପ ମିଶ୍ର, ପର୍ଶୁରାମ ଦ୍ୱିବେଦୀ, ପୂର୍ଣ୍ଣଚନ୍ଦ୍ର ବହଳୀ, ଦୁର୍ଗା ବିଶ୍ୱାଳ, ଅଶୋକ କୁମାର ଜେନା, ଡ. ଭାଗବତ ତ୍ରିପାଠୀ, କୈଳାସ ବେହେରା, ଜ୍ୟୋତିପ୍ରକାଶ ମହାନ୍ତି ଏବଂ ଶାଶ୍ୱତ ପାଣିଗ୍ରାହୀ ପ୍ରମୁଖ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ପ୍ରସଂଗ ଭିତ୍ତିକ ସୁଚିନ୍ତିିତ ମତବ୍ୟକ୍ତ କରିଥିଲେ। ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ବାଦଲ ମହାପାତ୍ରଙ୍କ ପରିଚାଳନାରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁସ୍ତକ ଉପହାର ଦିଆଯାଇଥିଲା। ସଂପାଦକ ଅଭିଜିତ୍ ନାୟକ ପରବର୍ତ୍ତୀ ଦିବସ ଗୁଡିକର ସାହିତ୍ୟ ଚର୍ଚ୍ଚା, ‘ନାରୀ ନଦୀ ନକ୍ଷତ୍ର’, ଟାଇମ୍ ପାସ୍‌ର ‘ଗୀତ, ଚିତ୍ର, କଥା-କବିତାର କକ୍‌ଟେଲ’, ରାଜ୍ୟର ୨୫ଜଣ ତରୁଣ ଲେଖକ-ଲେଖିକାଙ୍କୁ ନେଇ ‘ତରୁଣ ତରଂଗ’, ପ୍ରକାଶକ-ପର୍ବ ଓ ହ୍ୟାପି-ଏଣ୍ଡିଂ ବିଷୟରେ ସୂଚନା ଦେଇଥିଲେ। ବହିମେଳାର ସଭାପତି ପବିତ୍ର ପାଣିଗ୍ରାହୀ, ଡା. ବିକାଶ ନନ୍ଦ, ହରମୋହନ କୁଅଁର, ନାସିର ବକ୍ସ, ପ୍ରଫୁଲ୍ଲ ନାୟକ ଓ କିଶୋର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.