Home ଓଡ଼ିଶା ମୟୁରଭଞ୍ଜକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦିନିକିଆ ଗସ୍ତ ବେଳେ ନବ ବର୍ଷର ଭେଟି

ମୟୁରଭଞ୍ଜକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦିନିକିଆ ଗସ୍ତ ବେଳେ ନବ ବର୍ଷର ଭେଟି

552

ଆଦାନୀ କିସ୍ ଆବାସିକ ଜନଜାତି ବିଦ୍ୟାଳୟ ଶୁଭ ଉଦଘାଟନ ସହ ୫୩.୬କୋଟି ଟଙ୍କାର ପ୍ରକଳ୍ପ ଶୁଭ ଉଦଘାଟନ ଓ ୨୦୦.୩ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବାରିପଦା ୦୮/୦୧ – (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୁଖ୍ୟମନ୍ତ୍ରୀ ନବୀନ ଜାନୁଆରୀ ୮ ବୁଧବାର ଦିନିକିଆ ବାରିପଦା ଗସ୍ତରେ ଆସି ବାରିପଦା ବ୍ଲକ ଅଧୀନରେ ଥିବା ବାଙ୍କିଶୋଳଠାରେ ପହଁଞ୍ଚି ସେଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାର ୧୫ ଶହ ଗରୀବ ଜନଜାତି ଛାତ୍ରଛାତ୍ରୀ ନିଃଶୁଳ୍କ ଭାବେ ରହି ଅଧ୍ୟୟନ କରିବା ନିମନ୍ତେ ଆଦାନୀ ଫାଉଣ୍ଡେସନର ଆର୍ଥକ ସହାୟତା ଏବଂ କିସର ସହଭାଗିତାରେ କିସ ଜମି ଉପରେ ନବ ନିର୍ମିତ ଆଦାନୀ-କିସ୍ ଆବାସିକ ଜନଜାତି ବିଦ୍ୟାଳୟ ସହ କିସ୍ ପରିସରରେ ଜିଲ୍ଲାବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ଶୁଭ ଉଦଘାଟନ କରିଥିଲେ। ଏହି ସମୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍‌(କିସ୍‌)ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ, ଆଦାନୀ ଗ୍ରୁପ ଫାଉଣ୍ଡେସନ ଚେୟାରପର୍ସନ ଡ଼ଃ ପ୍ରୀତି. ଜି. ଆଦାନୀ, ଆଦାନୀ ପୋର୍ଟସ ଏବଂ ଏସଇଜେଡ଼ ଲିମିଟେଡ଼ ମୁଖ୍ୟ ପରିଚାଳନା ଅଧିକାରୀ ତଥା ଆଦାନୀ ଏୟାରପୋର୍ଟସ ହୋଲଡ଼ିଂ ଲିମିଟେଡ଼ ନିର୍ଦ୍ଦେଶକ କରଣ ଗୌତମ ଆଦାନୀ ପ୍ରମୁଖଙ୍କ ସମେତ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ମୟୁରଭଞ୍ଜବାସୀଙ୍କୁ ୫୩ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତବହଳଦା, ରରୁଆଁ, ବିଶୋଇ, କୁସୁମୀ, ରାଇରଙ୍ଗପୁର, ବାରିପଦା, ଶାମାଖୁଣ୍ଟା ଓ ଶୁଳିଆପଦାରେ ୧୮ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସହ ଠାକୁରମୁଣ୍ଡା, କୁସୁମୀ, ଶୁକ୍ରୁଳି, ସାରସକଣା ଓ ଶୁଳିଆପଦା ବ୍ଲକରେ ୫ଟି ହାଇ ଲେଭଲ ସେତୁ, ବାରିପଦା ସରକାରୀ ମହାବିଦ୍ୟାଳୟ ପରିସରରେ ନିର୍ମିତ ସାଇନ୍ସ ବ୍ଲକ, ମୋରଡ଼ା ବ୍ଲକରେ ନିର୍ମିତ ଭାଲିଆଶୋଳ ଆଦର୍ଶ ବିଦ୍ୟାଳୟ, କୁସୁମୀ ବ୍ଲକର ସାନଞ୍ଜୟଧାନପୋଷି ଓ ବିଜାତୋଳା ବ୍ଲକର ଲୁହାଶିଳାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଆଦି ପ୍ରକଳ୍ପଗୁଡ଼ିକର ଶୁଭ ଉଦଘାଟନ କରିଥିଲେ। ସେହିପରି ୨ ଶହ କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବାରିପଦା ପୌରବାସୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ସହ ରରୁଆଁ ବ୍ଲକର ଫଗୁ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ, ବାରିପଦା ପୌରପରିଷଦର ତଖତପୁରଠାରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର କମ୍ପୋଜିଟ୍ ବ୍ଲକ, ସାରସକଣା ଓ ଗୋପବନ୍ଧୁନଗର ବ୍ଲକରେ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ସହ ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ଖୁଌକ୍ଷଗ୍ଧ;ା ବ୍ଲକରେ ୩ଟି ଜଳ ଯୋଗାଣ ପ୍ରକଳ୍ପ, ବଡ଼ସାହି, ଗୋପବନ୍ଧୁନଗର ଓ ଖୁଣ୍ଟା ବ୍ଲକରେ ୪ଟି ହାଇ ଲେଭଲ ସେତୁ ନିର୍ମାଣ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବା ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରକୁ ୫ କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।

ଆଜି ଭାରତ ବନ୍ଦ ଧର୍ମଘଟ ଡ଼ାକରା ଦିଆଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସେମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ନିମନ୍ତେ ସଭାରେ ପ୍ରାୟ ୧୫ରୁ ୨୦ ହଜାର ଜନସମାଗମ ହୋଇଥିବାର ପରିଲକ୍ଷିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗସେନାର ଉପଦେଷ୍ଟା ତଥା ବିଜେପି ନେତା କୁମାର ମଙ୍ଗଳମ୍ ଉପସ୍ଥିତ ରହିଥିବା ବେଳେ ସେନାର ପ୍ରାୟ ୨୫ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଉଦ୍ୟମ ଅଭିଯୋଗରେ ପୁଲିସ ପକ୍ଷରୁ ଅଟକ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ଥାନ ପରେ ଛାଡ଼ି ଦେଇଥିବାର ଜଣାପଛିଛି।

ଆଜିର କିସ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରନଙ୍କ ନାମ ବାଦ ପଡ଼ିଥିଲା, ମାତ୍ର ଗଣମାଧ୍ୟରେ ଖବର ପ୍ରକାଶିତ ହେବା ପରେ କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଡ଼ାକା ଯାଇଥିଲା। ସେହିପରି ମଞ୍ଚରେ ବିଜେପି ବିଧାୟକ ପ୍ରକାଶ ସୋରେନ ବିଜେଡ଼ି ସାଂସଦ ତଥା କିସ୍‌କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ଏକ ମହାପୁରୁଷ ଭଳି ଚିତ୍ରଣ କରି ପ୍ରଶଂସାର ପାହାଡ଼ ତାଙ୍କ ଉପରେ ଅଜାଡ଼ି ଦେଇଥିବାର ଦେଖିବାକୁ ମିଳିଥିବା ବେଳେ ପୁଣି ଥରେ ୫-ଟି ସଚିବ ପାଣ୍ଡିଆନଙ୍କ ଇଙ୍ଗିତରେ ମଞ୍ଚ ପରିଚାଳନା ହେଥିଲା ବୋଲି ଉପସ୍ଥିତ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ବିଜେଡ଼ି ସମର୍ଥକମାନଙ୍କ ପୁଲିସ ସମ୍ମୁଖ ଦେଇ ବିନା ହେଲମେଟରେ ବାଇକ ରାଲି ସହ ଯାତାୟତ କରୁଥିଲେ ମଧ୍ୟ ପୁଲିସ ସେମାନଙ୍କ ନିକଟରୁ କାହିଁକି ଚାଲାଣ କାଟିଲେ ନାହିଁ ତାହାକୁ ନେଇ ସାଧାରଣ ଜନତା ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପ୍ରତି ଅଙ୍ଗୁଳି ଉଠାଇବା ସଂଗେସଂଗେ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.