Home ଜିଲ୍ଲା ପରିକ୍ରମା ମୌସୁମୀର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ କାଳ

ମୌସୁମୀର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ କାଳ

234

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିସୁଦ୍ଧା ବର୍ଷାର ଅନିୟମିତତା ଯୋଗୁଁ ଚାଷୀ ଚାଷ କାମ ଆରମ୍ଭ କରିପାରିନାହିଁ । ଏଥିନେଇ ଚାଷୀମାନଙ୍କ ମନରେ ହତାଶଭାବ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି । ମୌସୁମୀର ଲୁଚକାଳି ଖେଳ, କାଳ ସାଜିବାକୁ ବସିଛି ଚାଷୀଙ୍କ ପାଇଁ । ପ୍ରତିବର୍ଷ ପରି ଚଳିତ ବର୍ଷ ଚାଷୀଙ୍କ ମୁହଁରେ ସେପରି ଆନନ୍ଦ ନାହିଁ । ପାଣିପାଗ ବିଭାଗ ଆଗୁଆ ସୂଚନା ଦେଲା ଏଥର ମୌସୁମୀ ଶୀଘ୍ର ଆସିବ ଏବଂ ଆସିଲା ମଧ୍ୟ । କିନ୍ତୁ ଲୁଚକାଲି ଖେଳପରି କେଉଁଆଡେ ଲୁଚିଗଲା ମୌସୁମୀ । ଅକ୍ଷୟ ତୃତୀୟା ଠାରୁ ଧାନବୁଣା କାର୍ଯ୍ୟ ଆରମ୍ଭ କରାଯାଇ ରଜ ସଂକ୍ରାନ୍ତି ସୁଦ୍ଧା ଏହା ସରିଯିବା କଥା । ଏହି କାର୍ଯ୍ୟ ସରିବ କଣ ଆଜିଯାଏ ଆରମ୍ଭ ହୋିପାରିନାହିଁ । ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହୋଇ ବିଳମ୍ବରେ ସରିବ ଯଦ୍ୱାରା ଗରିବ ଚାଷୀମାନଙ୍କୁ ଋଣ ଚିନ୍ତାଗ୍ରସ୍ଥ କରିଛି । ସାଧାରଣତଃ ଏ ଅଂଚଳର ଚାଷୀମାନେ ବ୍ୟାଙ୍କ କିମ୍ବା ଗାଁ ମହାଜନୀଙ୍କ ଠାରୁ ସୁଧରେ ଋଣ ଆଣି ଚାଷକାର୍ଯ୍ୟରେ ବିନିଯୋଗ କରିଥାନ୍ତି । ଧାନ ଅମଳ ହେବା ପରେ ଏହାକୁ ବିକ୍ରି କରି ଋଣ ପରିଶୋଧ କରିଥାନ୍ତି । ଏ ବର୍ଷ ରଜ ସରିଲା, ରଜ ଆଗରୁ ମୌସୁମୀ ଆସିଗଲା, ପାଗ ନଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ର ନହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ବର୍ତ୍ତମାନ ଜମିରେ ଗୋରୁଗାଈମାନେ ଚରୁଥିବାର ଦେଖାଯାଉଛି । ବିବରଣୀରୁ ପ୍ରକାଶ ଯେ ଏହି ଜିଲାର ବନ୍ତ ବ୍ଲକ୍ ଆଗରପଡା ଓ ଏହାର ଆଖପାଖ ଅଂଚଳରେ ପ୍ରାୟ ୮୦ ଭାଗ ଚାଷୀ ଥିବାବେଳେ ୨୦ ଭାଗ ସରକାରୀ ଚାକିରିଆ ଅଛନ୍ତି । ରଜ ପୂର୍ବରୁ ଜମିରେ ହଳ ଗାର ବାଜି ପାରିଲା ନାହିଁ । ପ୍ରବଳ ଗରମ ଓ ଗ୍ରୀଷ୍ମଋତୁ ଫଳରେ ଜମି ଟାଣ ହୋଇଯାଇଥିଲା । ରଜ ପର୍ବ ପଡିବାର ଏକମାସ ପୂର୍ବରୁ ପାଗ ନହେବାରୁ ହଳ ହୋଇପାରିଲା ନାହିଁ । ତା ପରେ ପରେ ୨/୩ ଦିନରେ ଥରେ ବର୍ଷା ହୋଇ ଜମି ଓଦା ହୋଇଯାଏ । ଜମି ଶୁଖିବା ପୂର୍ବରୁ ପୁଣି ବର୍ଷା ହୋଇ ଛାଡିଯାଏ । ଜମିର ପାଗକୁ ଚାହିଁ ଚାହିଁ ହଳ ହୋଇପାରିଲା ନାହିଁ । ଅଧିକ ପରିମାଣରେ ବର୍ଷା ହୋଇଥିଲେ ଜମିକୁ କାଦୁଅ କରି ଧାନ ତଳି ପକା ଯାଇପାରିଥାନ୍ତା । ତାହା ମଧ୍ୟ ହୋଇପାରିଲା ନାହିଁ । ଜମି ଶୁଖିଲା ଥିଲେ ଚାଷୀ ବଳଦ ଯୋଗେ କିମ୍ବା ଟ୍ରାକ୍ଟର, ପାୱାର ଟିଲର ଯୋଗେ ହଳ କରି ଧାନ ବୁଣାବୁଣି କାର୍ଯ୍ୟ ସାରି ଦେଇଥାନ୍ତି । ଧାନ ତଳି ପଡିପାରିଲା ନାହିଁ କି ଧାନ ବୁଣା କାର୍ଯ୍ୟ ହେଲା ନାହିଁ । ପ୍ରାୟ ୧୦୦ ଚାଷୀଙ୍କ ମଧ୍ୟରୁ ୨ ରୁ ୩ ଜଣ ଚାଷୀ କେବଳ ଧାନ ତଳି ପକାଇବାରେ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ କୋଭିଡ୍‌-୧୯ ପାଇଁ ସବୁ ପର୍ବପର୍ବାଣୀରେ ଭଟ୍ଟା ପଡିବା ସହ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ରଜ ଆସି ସରିଗଲା, କିନ୍ତୁ ଚାଷୀଙ୍କ ମନରେ ପୂର୍ବହସ ରହିଲା ନାହିଁ । ଏକ ଭିନ୍ନ ବାତାବରଣ ସାଙ୍ଗକୁ ଧାନତଳି ନପକାଇପାରିବାର ଦୁଃଖ ଦୁଇଗୁଣା ହୋଇଗଲା । ପାଗର ଅନିୟମିତତା ଯୋଗୁଁ ବିଲରେ ଘାସ ମଧ୍ୟ ହୋଇଗଲାଣି ଏବଂ ଗୋରୁଗାଈମାନେ ମନ ଆନନ୍ଦରେ ଘାସ ଖାଉଥିବାର ଦେଖିବାକୁ ମିଳିଛି । ପାଗ ଠିକ୍ ନଥିବାରୁ ଅଧିକାଂଶ ଚାଷୀ ଗୋବରଖତ ମଧ୍ୟ ଜମିରେ ପକାଇ ପାରିଲେ ନାହିଁ । ଜୋରରେ ବର୍ଷା ହୋଇଗଲେ ବିଚରା ଚାଷୀ ଧାନ ତଳି ପକାଇବା ସହିତ ଜମିକୁ କାଦୁଅ କରିବାରେ ସକ୍ଷମ ହେବା ସହ ଧାନ ଚାଷ କାର୍ଯ୍ୟରେ ଲାଗିଯାନ୍ତା । ଏସବୁ ଦୁଃଖରେ ଭାଙ୍ଗିପଡିଛି ଚାଷୀ । ଚାଷ କେମିତି ହେବ, ପରିବାର କେମିତି ଚଳାଇବେ ସେହି ଦୁଃଖରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଗରପଡା ତଥା ଏହାର ଆଖପାଖ ଅଂଚଳର ଅଗ୍ରଣୀ ଚାଷୀ ଠିକ୍ ସମୟରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନଥିବାରୁ ଚିନ୍ତିତ ହେବା ସହ ପ୍ରକୃତି ଦାଉ ସାଧୁଛି, ଏହାର କିଏ ପ୍ରତିକାର କରିପାରିବ ବୋଲି କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.