Home ଜିଲ୍ଲା ପରିକ୍ରମା ମୌଳିକ ସୁବିଧାରୁ ବଞ୍ଚିତ କଣ୍ଟେନମେଣ୍ଟ ଜୋନବାସୀ – ଅବହେଳାକୁ ନେଇ ସାନଦହପଡ଼ାରେ ଉତ୍ତେଜନା

ମୌଳିକ ସୁବିଧାରୁ ବଞ୍ଚିତ କଣ୍ଟେନମେଣ୍ଟ ଜୋନବାସୀ – ଅବହେଳାକୁ ନେଇ ସାନଦହପଡ଼ାରେ ଉତ୍ତେଜନା

51

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନରେ ଅବହେଳାକୁ ନେଇ ବୁଧବାରଦିନ ସାନଦହପଡ଼ାରେ ତୀବ୍ର ତ୍ତେଜନା ପ୍ରକାଶ ପାଇଥିଲା। ବାଲେଶ୍ୱର ସହର ଉପକଣ୍ଠ ସାନଦହପଡ଼ାରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଗତ ୩୦ ତାରିଖ ମଧ୍ୟାହ୍ନ ୧୨ଟାରୁ ୬ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ସେହିକ୍ରମରେ ସାନଦହପଡ଼ାର ସମସ୍ତ ପ୍ରବେଶପଥ ସିଲ ସହ ପୁଲିସ ୨୪ ଘଣ୍ଟିଆ ଡ୍ୟୁଟି କଲେ। କଣ୍ଟେନମେଣ୍ଟ ଜୋନରୁ କାହାରିକୁ ବାହାରକୁ ଆସିବାକୁ ଦିଆଯାଉ ନଥିଲା କିମ୍ବା ବାହାରୁ ମଧ୍ୟ କାହାକୁ ସମ୍ପୃକ୍ତ ଅଞ୍ଚଳକୁ ପ୍ରବେଶ କରାଇ ଦିଆଯାଉ ନଥିଲା। ଅତ୍ୟାବଶ୍ୟକ ସାମଗ୍ରୀ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ଚିକିତ୍ସା ଆବଶ୍ୟକତା, ସ୍ୱଚ୍ଛତା କାର୍ଯ୍ୟ ଆଦି ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ କଣ୍ଟେନମେଣ୍ଟ ଜୋନରେ ରହୁଥିବା ପରିବାରଙ୍କୁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ପ୍ରଶାସନ ପକ୍ଷର ନିର୍ଦ୍ଦେଶ ରହିଥିଲା। ମାତ୍ର ଗତ ୩୦ ତାରିଖରୁ ସମ୍ପୃକ୍ତ ପରିବାରଙ୍କୁ ସେବା ପ୍ରଦାନରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ। ଆଜି ସକାଳେ କଣ୍ଟେନମେଣ୍ଟ ଜୋନର ପ୍ରବେଶ ପଥ ବାଡ଼ ନିକଟକୁ ଆସି ପାଟିତୁଣ୍ଡ କରିବା ସହ ଶୀଘ୍ର ସେମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲେ। ଏହି ଅଞ୍ଚଳରେ ରହୁଥିବା ଗରିବ ପରିବାରମାନେ ଖାଇବାକୁ ନ ପାଇ ଙୋକ ଉପାସରେ ଆଉଟୁ ପାଉଟୁ ହେଉଥିବା ବେଳେ ପ୍ରଶାସନ ସେମାନଙ୍କ କଥା ଆଦୌ କର୍ଣ୍ଣପାତ କରୁ ନାହିିଁ ବୋଲି ସେମାନେ କହିଥିଲେ। ଏମିତିକି ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ସେମାନଙ୍କୁ ଆଦୌ ସହଯୋଗ ନ କରିବା ବେଢ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି ବୋଲି ଉତ୍ତ୍ୟକ୍ତ ଲୋକେ କହିଥିଲେ। ଏ ସମ୍ପର୍କରେ ଜାଣିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ଧରାଛୁଆଁ ଦେଇ ନଥିଲେ। ଖବର ପାଇ ସହଦେବଖୁଣ୍ଟା ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରପଞ୍ଚଙ୍କ ଦ୍ୱାରା ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.