Home ଓଡ଼ିଶା ମୋବାଇଲ୍ ନାହିଁ କି ନେଟୱର୍କ ରହୁନି, କେମିତି ସଫଳ ହେବ ଅନ୍ ଲାଇନ୍ ପାଠପଢା –...

ମୋବାଇଲ୍ ନାହିଁ କି ନେଟୱର୍କ ରହୁନି, କେମିତି ସଫଳ ହେବ ଅନ୍ ଲାଇନ୍ ପାଠପଢା – ପ୍ରଭାବିତ ହେଉଛନ୍ତି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ

208

କୋଦଳା ୨୭ ଜୁଲାଇ (ଓଡ଼ିଆ ପୁଅ) କରୋନା ମହାମାରୀ ପ୍ରଭାବରେ ବେଶୀ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ। ପାଠପଢା ସଂପୂର୍ଣ୍ଣ ବ୍ୟାହତ ହୋଇଛି। ୨୦୨୦ – ୨୧ ଶିକ୍ଷାବର୍ଷରେ ଆରମ୍ଭ ହୋଇନି ପାଠପଢା। ଗତ ଶିକ୍ଷାବର୍ଷର ବାର୍ଷିକ ପରୀକ୍ଷା ବି ସଂପୂର୍ଣ୍ଣ ଭାବେ ହୋଇ ପାରିନାହିଁ। ଚଳିତ ଶିକ୍ଷାବର୍ଷର ଶିକ୍ଷା ଆରମ୍ଭରୁ ଦଶମ ଶ୍ରେଣୀର ୮ ଗୋଟି ବହି ବଦଳାଇ ଦେଇଛି ଗଣଶିକ୍ଷା ବିଭାଗ। ଯାହାର ପ୍ରଭାବ ସିଧାସଳଖ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଉପରେ ପଡିଥିଲା। ଗ୍ରୀଷ୍ମ ଛୁଟିରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ପାଠପଢା ଆରମ୍ଭ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସରେ କରୋନା ପ୍ରଭାବ ଦେଖାଦେବା ପରେ ବି ନବମ ଶ୍ରେଣୀ ପାଠପଢା ସାରି

ଦଶମ ପାଠପଢା ଚଳାଇଥିବା ବେଳେ ଏପ୍ରିଲ ମାସରେ ଦଶମ ଶ୍ରେଣୀ ବହି ବଦଳିବା ଖବର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ରାଜ୍ୟ ସରକାର ପିଲାଙ୍କ ପାଠପଢା ଅନଲାଇନ୍ ମାଧ୍ୟମରେ କରିବାକୁ ପ୍ରସ୍ତୁତି କରି ଆରମ୍ଭ କଲେ। ତାପରେ ଦୂରଦର୍ଶନ ମାଧ୍ୟମରେ ମଧ୍ୟ ପାଠପଢା ଚାଲିଲା। ତେବେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଏବେ ଅନଲାଇନ୍ ପାଠପଢ଼ାକୁ ନେଇ ଅଭିଭାବକ ମହଲରେ ଚିନ୍ତା ସୃଷ୍ଟି ହୋଇଛି। କାରଣ ଗରିବ ପରିବାରରେ ସ୍ମାର୍ଟ ଫୋନ୍ ନାହିଁ ଏବଂ ଯେଉଁ ପରିବାରରେ ସ୍ମାର୍ଟ ଫୋନ୍ ଅଛି ସେଠି ଉତ୍ତମ ନେଟୱର୍କ ମିଳି ପାରୁନି। କୋଦଳା ଓ ବେଗୁନିଆପଡ଼ା ଠାରେ ଯଦିଓ ଭଲ ନେଟୱର୍କ ରହୁଛି କିନ୍ତୁ ଅଙ୍ଗାରଗାଁ ସମେତ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ମୋବାଇଲ ନେଟୱର୍କ କାମ କରୁ ନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଏନେଇ ବେଗୁନିଆପଡ଼ା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ କହିବା କଥା ତାଙ୍କ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକଙ୍କ ୱାଟସ୍ ଆପ ନମ୍ବର ସଂଗ୍ରହ କରି ଗ୍ରୁପ କରାଯାଇଛି। ଦଶମ ଶ୍ରେଣୀରେ ୧୭୦ ଛାତ୍ରଛାତ୍ରୀ ଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୭୦ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ନମ୍ବର ସଂଗ୍ରହ କରି ଗ୍ରୁପ ମାଧ୍ୟମରେ ପାଠ ପଢା ଯାଉଛି। ତେବେ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପରିବାରରେ ସ୍ମାର୍ଟ ଫୋନ୍ ନଥିବା ଯୋଗୁଁ ସେମାନଙ୍କର ପାଠ ପଢାରେ ବେଡି ପଡି ଯାଇଛି। ଏହି ସମସ୍ଯା କେବଳ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ନୂହେଁ, ବରଂ ବ୍ଲକର ସବୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଗୋଟିଏ ପଟେ କରୋନାକୁ ନେଇ ସ୍କୁଲ ବନ୍ଦ, ଟିଉସନ୍ ବନ୍ଦ ହୋଇଥିବା ବେଳେ ବିଦ୍ଯାଳୟ ଗୁଡିକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଓ କେଉଁଠି କୋଭିଡ୍ କେୟାର୍ କରାଗଲାଣି। ଏପଟେ ପିଲାମାନେ ପାଠ ପଢିବାର ସୁଯୋଗ ପାଉନାହାନ୍ତି। ଖାସ୍ କରି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି। ଏନେଇ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁଙ୍କ କହିବା କଥା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପିଲାମାନଙ୍କୁ ‘ଶିକ୍ଷା ସଂଯୋଗ” ବ୍ୟବସ୍ଥା ମାଧ୍ୟମରେ ଯୋଡା ଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟର ପ୍ରତି ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ୱାଟସ୍ ଆପ ଗ୍ରୁପ ମାଧ୍ୟମରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା କେତେଦୂର ଆଗେଇ ଚାଲିଛି ତାହା ସେ କହି ପାରିବେନି ବୋଲି କହିଛନ୍ତି। ଅପରପକ୍ଷେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା ଓ ସବୁଠି ଉତ୍ତମ ନେଟୱର୍କ ମିଳୁନଥିବା କଥାକୁ ସେ ସ୍ୱୀକାର କରିଛନ୍ତି।

-ସୁଶାନ୍ତ କୁମାର ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.