Home ଜିଲ୍ଲା ପରିକ୍ରମା ମୋଚିଛକ-ଭଦ୍ରକାଳୀ ରାସ୍ତା ସଂପ୍ରସାରଣ ବିବାଦ ପ୍ରସଙ୍ଗ, ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଛି

ମୋଚିଛକ-ଭଦ୍ରକାଳୀ ରାସ୍ତା ସଂପ୍ରସାରଣ ବିବାଦ ପ୍ରସଙ୍ଗ, ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ଫିଟିଛି

11

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳଙ୍କ ହସ୍ତକ୍ଷେପ ପରେ ମୋଚିଛକ-ଭଦ୍ରକାଳୀ ରାସ୍ତାର ସଂପ୍ରସାରଣ କାର୍ଯ୍ୟକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ଆପାତତଃ ସମାଧାନର ବାଟ ବାହାରିଛି । ଗତକାଲି ସନ୍ଧ୍ୟାରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ସହ ବିଜେଡି, ଭାଜପା, କଂଗ୍ରେସ ଦଳର ପ୍ରମୁଖ ଓ ପୌରପାଳିକାର କାଉନସିଲର ଓ ପୁରୁଣାବଜାର ଅଂଚଳର ବହୁ ବୁଦ୍ଧିଜୀବୀ ଓ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହାବ୍ୟତୀତ ଉପଜିଲାପାଳ ମନୋଜ ପାତ୍ର, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆ, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ଅମ୍ବିକା ସ୍ୱାଇଁଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ଜିଲାପାଳ ଶ୍ରୀ ବୋନ୍ଦର ଉପସ୍ଥିତ ଥିବା ଜନସାଧାରଣଙ୍କ ରାସ୍ତା ସଂପ୍ରସାରଣ ନେଇ ମତାମତ ଲୋଡିଥିଲେ । ତେବେ ୩୦ ଫୁଟ ରାସ୍ତାର ସଂପ୍ରସାରଣ ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଜିଲାପାଳ ଏହି ପ୍ରସଙ୍ଗରେ କହିଥିଲେ ଯେ ରାସ୍ତା ସଂପ୍ରସାରଣ କ୍ଷେତ୍ରରେ ଯେଉଁସବୁ ସରକାରୀ ଜମି ଜବରଦଖଲରେ ଅଛି, ସେହି ସ୍ଥାନଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ । ଏଥିପାଇଁ ଜିଲାପାଳ ଶ୍ରୀ ବୋନ୍ଦର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ପରବର୍ତ୍ତୀ ସମୟରେ ରାସ୍ତାର ସଂପ୍ରସାରଣ କ୍ଷେତ୍ରରେ ଯେଉଁସ୍ଥାନରେ ବ୍ୟକ୍ତିଗତ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଥିବ, ସେଗୁଡିକ ସରକାରଙ୍କ ରାଜସ୍ୱ ବିଭାଗର ଅଧିଗ୍ରହଣ ବ୍ୟବସ୍ଥା ଅନୁସାରେ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇ ଜମି ଅଧିଗ୍ରହଣ କରାଯିବା ପରେ ସଂପ୍ରସାରଣ ହେବ ବୋଲି ମତପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ମୋଚି ଛକ ଠାରୁ ଭଦ୍ରକାଳୀ ସଂପ୍ରସାରଣ କ୍ଷେତ୍ରରେ ପାଖାପାଖି ୭୦ ପ୍ରତିଶତ ସ୍ଥାନରେ କୌଣସି ପ୍ରତିବନ୍ଧକ ନାହିଁ । ପାଟଣାସାହି ଠାରୁ ଲାହାପଟି କାଲିସଭା ବଜାର ଓ କାଜିମହଲା ଠାରୁ ପୁରୁଣା ବଜାର ଅଂଚଳ ରାସ୍ତାଟି ଅଣଓସାରିଆ ଅଛି । ଅପରପକ୍ଷରେ ଏହି ରାସ୍ତାଟିର ସଂପ୍ରସାରଣ କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ମଂଜୁରୀ ହୋଇଛି । ଏହାମଧ୍ୟରୁ ୫ କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡର ପୂର୍ତ୍ତ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ୨୦୧୭ ମସିହାରୁ ଏହି ସଡକ ପଥଟିର ସଂପ୍ରସାରଣ କାର୍ଯ୍ୟ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଦାବି ହୋଇଆସୁଛି । ବିଶେଷକରି ଅଗ୍ନି ସେବା ଓ ଆମ୍ବୁଲାନ୍ସ ଗାଡିର ଯାତାୟତ କ୍ଷେତ୍ରରେ ସୁଗମ ହେବାଭଳି ରାସ୍ତାଟିକୁ ସଂପ୍ରସାରଣ କରାଯିବା ପାଇଁ ଦାବି କରାଯାଇଥିଲା । ତେବେ ଏହି ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟରେ କେତେକ ସ୍ଥାନରେ ସରକାରୀ ଜମି ଜବରଦଖଲ ଥିବାବେଳେ ଆଉ କେତେକ ସ୍ଥାନରେ ବ୍ୟକ୍ତିଗତ ଜମି ଥିବାରୁ ପୌରପାଳିକା ଓ ଭଦ୍ରକ ତହସିଲ ସହ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଥିଲା । ଏହି ବୈଠକ ପରେ ବିଧାୟକ ଶ୍ରୀ ମଲ୍ଲିକ ଖୁବଶୀଘ୍ର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅନୁଷ୍ଠିତ ବୈଠକରେ ସେକ୍ ଜାହିଦ ହବିବ (ଜାନୁ), ଅବଦୁଲ ମୁକିତ ଖାଁ, ସୁଧାକର ରାଉତ, କାଉନ୍‌ସିଲର ମହମ୍ମଦ ଜକାଉଲ୍ଲା, କାଉନ୍‌ସିଲର ସୟଦ ଜାଫର ଅଲ୍ଲୀ, କାଉନ୍‌ସିଲର ଫରିୟାଦ ଖାଁଙ୍କ ସମେତ ସେକ୍ ଇସଲାମ, ଅସରଫ ଅଲ୍ଲୀ ଖାଁ, ସେକ୍ ତାହେର ମହମ୍ମଦ, ବିଦ୍ୟାଧର ସାହୁ, ନାସିରଉଦ୍ଦିନ୍ ଖାଁ, ଅନିରୁଦ୍ଧ ଦୀକ୍ଷିତ, ଦୀପୁନ ଦୀକ୍ଷିତ, ବିମଳ ପ୍ରସାଦ ପଣ୍ଡା, ଚିନ୍ମୟ ସ୍ୱାଇଁ, ରାଜୁ ଖାଁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.