Home Coronavirus Outbreak ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ;...

ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ; ମୁଁ ବଞ୍ଚିଛି ..

1610

ଭୁବନେଶ୍ୱର: ଜଣେ କରୋନା ସଂକ୍ରମିତ ମହିଳାଙ୍କର ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା। ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ମହିଳାଙ୍କ ପରିବାରକୁ ଖବର ଆସିଲା ଯେ ସେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ ନେଇ ମହିଳାଙ୍କ ଅନ୍ତିମ ସଂସ୍କାର କଲେ। ତେବେ ପ୍ରାୟ ତିନି ସପ୍ତାହ ପରେ ସେହି ପରିବାରକୁ ହଠାତ୍ ଫୋନ୍ ଆସିଲା ଏବଂ ସଂପୃକ୍ତ ମହିଳା କହିଲେ ମୁଁ ବଞ୍ଚିଛି, ଆଉ ଭଲ ହୋଇଯାଇଛି। ଡାକ୍ତରଖାନା ଆସି ମତେ ନେଇଯାଅ!

ଇକ୍ୟୁଏଡରର ଗୁଆକିଲରେ ଏପରି ଘଟଣାଟିଏ ଘଟିଛି। ଯେଉଁଠାରେ ଅଲବା ମାରୁରୀ ନାମକ ଜଣେ ୭୪ ବର୍ଷୀୟା ମହିଳା ଗତ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ଚିକିତ୍ସା ସମୟରେ ମହିଳାଙ୍କ ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। ଚିକିତ୍ସା ଚାଲିଥିବା ବେଳେ ଦୁଇ ଦିନ ପରେ ଡାକ୍ତରଖାନା ପକ୍ଷରୁ ଅଲବାଙ୍କ ପରିବାରକୁ ଫୋନ୍ ଆସିଲା। ଯେଉଁଥିରେ ଅଲବା ମାରୁରୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଗଲା। ଅଲବାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଶବ ଗ୍ରହଣ କରିବାକୁ ଡାକ୍ତରଖାନାକୁ ଗଲେ। ଡାକ୍ତରଖାନା ପ୍ରଶାସନ ପକ୍ଷରୁ କୁହାଗଲା ଯେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ଅଲବାଙ୍କ ମୃତ ଶରୀରଠାରୁ ଦୂରରେ ରହିବାକୁ ପଡ଼ିବ। ପରିବାରର ଜଣେ ସଦସ୍ୟ ଯାଇ ମୃତ ଶରୀରକୁ ଚିହ୍ନଟ କରିବେ। ଏହା ପରେ ଅଲବାଙ୍କ ଭଣଜା ଜାମି ମୋର୍ଲା ମୃତଦେହକୁ ଦେଖି ମାଉସୀ ବୋଲି ଚିହ୍ନଟ କରିଥିଲେ। ମୃତଦେହ ଚିହ୍ନଟ ହେବା ପରେ ପରିବାର ଶବ ନେଇ ଅଲବାଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ କରିଥିଲେ।

ଅଲବାଙ୍କ ମୃତ୍ୟୁ ହେବାର ତିନି ସପ୍ତାହ ବିତିଗଲା। ପରିବାର ଲୋକ ଧୀରେ ଧୀରେ ସ୍ଵାଭାବିକ ହୋଇ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଥିଲେ। ତେବେ, ହଠାତ୍ ଦିନେ ସେହି ଡାକ୍ତରଖାନାରୁ ଏକ ଫୋନ୍ କଲ୍ ଆସିଲା। ତେବେ, ଏହି ଫୋନ୍ କଲଟିରେ ପରିବାର ଲୋକ ସ୍ତବ୍ଧ ହୋଇ ଯାଇଥିଲେ। ବାସ୍ତବରେ, କଲ୍ କରୁଥିବା ମହିଳା ନିଜେ ଅଲବା ମାରୁରୀ ଥିଲେ। ଅଲବା ଫୋନରେ କହିଥିଲେ ଯେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ପରିବାର ଲୋକ ଡାକ୍ତରଖାନା ଆସି ତାଙ୍କୁ ନେଇ ଯାଆନ୍ତୁ। ଏହା ଶୁଣି ଅଲବାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ, ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନେ ବାସ୍ତବତା ବିଷୟରେ ଜାଣିଥିଲେ।

ବାସ୍ତବରେ ଡାକ୍ତରଖାନା ପ୍ରଶାସନର ତୃଟି ହେତୁ ଅନ୍ୟ ଜଣେ ମହିଳାଙ୍କ ମୃତଦେହକୁ ଅଲବାଙ୍କ ମୃତଦେହ ଭାବି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ’ ସମ୍ପର୍କରେ ଡାକ୍ତରଖାନା ପ୍ରଶାସନ କହିଛି ଯେ ଅଲବା ତିନି ସପ୍ତାହ ଧରି କୋମାରେ ଥିଲେ। ଏ’ ଭିତରେ ତାଙ୍କ ପରିବାରକୁ ଦିଆଯାଇଥିବା ଶବ ଅନ୍ୟ ଜଣେ ମହିଳାଙ୍କର ଥିଲା। ଯେତେବେଳେ ଅଲବା ଚେତନା ଲାଭ କଲେ, ସେତେବେଳେ ସେ ତାଙ୍କ ପରିବାର ସହିତ ଫୋନରେ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ ଶବ ଚିହ୍ନଟ କରିଥିବା ଅଲବାଙ୍କ ଭଣଜାଙ୍କୁ ଏ’ ବିଷୟରେ ପଚରାଗଲା, ସେ କହିଥିଲେ, ମୁଁ ବହୁତ ଡରି ଯାଇଥିଲି ଏବଂ ମୃତ ଦେହକୁ ଦେଢ଼ ମିଟର ଦୂରରୁ ଦେଖିଥିଲି। ଏତେ ଦୂରରୁ କେଶ ଏବଂ ଚର୍ମକୁ ଦେଖି ମୁଁ ଅନୁଭବ କଲି ଯେ ଏହା ମୋର ମାଉସୀଙ୍କର ଶରୀର। ଅଲବାଙ୍କ ଭଉଣୀ କହିଛନ୍ତି ଯେ ଏହା ଆମ ପାଇଁ ଚମତ୍କାର ବ୍ୟତିତ କିଛି ନୁହେଁ। ଯାହାକୁ ଆମେ ମୃତ ବୋଲି ଭାବିଥିଲୁ, ସେ ଆଜି ଆମ ମଧ୍ୟରେ ଜୀବିତ। କିନ୍ତୁ, ଏଥି ସହିତ ଅଲବାଙ୍କ ପରିବାର ଚିନ୍ତାରେ ପଡିଛନ୍ତି ଯେ ସେ ଯେଉଁ ମହିଳାଙ୍କ ଅନ୍ତିମ ସଂସ୍କାର ସାରିଲେ ସେ ମହିଳା ଜଣଙ୍କ କିଏ। -ଦେବଦତ୍ତ ରଥ

ଚାଇନା ଚଷମାରେ ବିଶ୍ୱକୁ ଦେଖୁଛି WHO: ଭାରତ ସହିତ ପକ୍ଷପାତ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.