Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା – ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ – ମୁଖ୍ୟମନ୍ତ୍ରୀ

185

ଭୁବନେଶ୍ୱର, ୧୬-୫ (ଓଡ଼ିଆ ପୁଅ) ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅମ୍ଫାନ’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି। ଓଡିଶାବାସୀ ମହାବାତ୍ୟା ଠାରୁ ଆରମ୍ଭ କରି ଫନି, ତିଲି, ବୁଲବୁଲ, ଫାଇଲିନ୍, ହୁଡ୍‌ହୁଡ୍ ଆଦି ଅନେକ ବାତ୍ୟାର ସଫଳତାର ସହ ମୁକାବିଲା କରିଆସିଛନ୍ତି। ତେଣୁ ଆତଙ୍କିତ ନ ହୋଇ ‘ଅମ୍ପାନ’ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

NDRF, ODRAF ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦଶଙ୍କୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସମୟରେ ମାଛ ଧରା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟ ପ୍ରଶାସନ ବର୍ତ୍ତମାନ କୋଭିଡ ୧୯ ରୋଗ ନିୟନ୍ତ୍ରଣରେ ସଫଳତାର ସହ କାମ କରିଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୃଣମୂଳ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଟିମ୍ ଓଡିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ଅନ୍ୟାନର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହିତ ତାଙ୍କର ଆଜି ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅନ୍ୟାନର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ସେହିପରି ଏହି ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଚାଷୀ ମାନଙ୍କୁ ଏ ସଂପର୍କରେ ବ୍ୟପାକଭାବରେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା।

ବାତ୍ୟା ‘ଅମ୍ପାନ’ର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଆସ୍ଥାୟୀସ୍ଥଳ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି। ଏହାସହିତ ୩ଟି NDRF ଓ ୧୨ଟି ODRAF ଟିମ୍ ଏବଂ ୩୫୫ ୟୁନିଟ୍ ଅଗ୍ନିଶମସେବା ବାହିନୀ ମୃତୟନ କରାଯାଇଛି ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ସୂଚନା ଦେଇଥିଲେ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା ଯେ ‘ଅମ୍ଫାନ’ ପ୍ରଭାବରେ ମଇ ୧୮ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ ଦୁଇ ଦିନ ଧରି ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାସହିତ ପବନର ବେଗ ଘଣ୍ଟାକୁ ୯୫ କି.ମି. ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା। ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଅନ୍ୟାନ୍ୟ ବିଷୟ ମାନଙ୍କ ମଧ୍ୟରେ ଡାକ୍ତରଖାନା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ମାନଙ୍କରେ ବିଦ୍ୟୁତ ସରବରାହ ନିରନ୍ତର ଜାରି ରଖାଯିବା, ସହରାଞ୍ଚଳମାନଙ୍କରେ ଜଳ ଆବଦ୍ଧ ଭଳି ସମସ୍ୟାର ଦୂରୀକରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଭିଡିଓ କନ୍‌ଫରେନ୍ସିରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଏବଂ ପ୍ରଭାବିତ ଜିଲ୍ଲା ମାନଙ୍କର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.