Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ସିଂହ ବାହିନୀ ବେଶ

ମା’ ଭଦ୍ରକାଳୀଙ୍କ ସିଂହ ବାହିନୀ ବେଶ

29

ଭଦ୍ରକ, ୨୮-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଜଗତ୍‌ଜନନୀ ମା ଭଦ୍ରକାଳୀ ସପ୍ତ ମାତୃକା ବେଶର ଚତୁର୍ଥ ଦିନରେ ସିଂହ ବାହିନୀ ବେଶ ଧାରଣ କରିଛନ୍ତି। ପୁରାଣ ଯୁଗରୁ ମା ଭଦ୍ରକାଳୀଙ୍କ ଆବିର୍ଭାବ ହୋଇଥିବା ସୂଚନା ମାର୍କଣ୍ଡେୟ ପୁରାଣରୁ ଉଦ୍ଧୃତ ସପ୍ତଶତୀ ଦେବୀ ମହାତ୍ମ୍ୟରୁ ଜଣାପଡ଼େ। ଅତ୍ୟନ୍ତ ଜ୍ୱାଳାମୟ ଦୀପ୍ତିରେ ଅତି ଉଗ୍ର ହୋଇଥିବା ଏବଂ ସମସ୍ତ ଅସୁର ମାନଙ୍କୁ ବିନାଶ କରିଥିବା ମା ଭଦ୍ରକାଳୀ ତୋର ଏହି ତ୍ରିଶୁଳ ଆମ୍ଭ ମାନଙ୍କୁ ସମସ୍ତ ଭୟରୁ ରକ୍ଷାକରୁ। ଏହି ସ୍ତୁତିରୁ ମା ଭଦ୍ରକାଳୀଙ୍କ ଆବିର୍ଭାବର ସୂଚନା ମିଳେ। ମା ଭଦ୍ରକାଳୀ ପିଠରେ ପାର୍ଶ୍ୱ ଦେବତା ଭାବେ ଉତ୍କଳର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କର ଅଙ୍ଗ ଦେବତା ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଛନ୍ତି। ଗୋଟିଏ ପାର୍ଶରେ ମା ଭଦ୍ରକାଳୀ ଓ ଅନ୍ୟ ପାଶ୍ୱର୍ରେ ମାଧବଙ୍କ ମିଶ୍ରଣରେ ଏ ପିଠକୁ ପୁରାଣରେ ଦୁର୍ଗା ମାଧବ ପିଠ ମଧ୍ୟ କୁହାଯାଇଛି। ମାଙ୍କର ସିଂହ ବାହିନୀ ବେଶକୁ ଦର୍ଶନ କରିବା ପାଇଁ ସକାଳୁ ଭକ୍ତ ମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ମାଙ୍କର ମୁଖ ମଣ୍ଡଳ ଗୋଲାପି ବର୍ଣ୍ଣର ଥିବାବେଳେ ସ୍ୱର୍ଣ୍ଣ ଓ ରୋପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି। ମା ଚାରିହସ୍ତରେ ଶଙ୍ଖ, ଚକ୍ର, ଖଡ୍ଗ ଓ ତ୍ରିଶୁଳ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତୀରେ ଭକ୍ତ ମାନଙ୍କ ଦର୍ଶନ ଦେଇଛନ୍ତି। ନାଲି ପାଟ ବସ୍ତ୍ର ପରିଧାନ କରିବା ସହିତ ସିଂହ ବାହନରେ ବିରାଜ ମାନ କରିଛନ୍ତି। ସିଂହ ବାହିନୀ ବେଶରେ ଦର୍ଶନ କଲେ ଭକ୍ତର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ। ଆସ୍ତାକାଲି ମା ଜଗଦ୍ଧାତ୍ରୀ ବେଶର ପୂଜା ପାଇବେ। ପୀଠରେ ବହୁ ଜାକ ଜମକରେ ଭଜନ, ନାମ ସଂକିର୍ତ୍ତନ, ବେଦପାଠ ଶତଚଣ୍ଡୀ ପାଠ ସହ ବିଶ୍ୱ ଶାନ୍ତ ମହାଯଜ୍ଞର ଆହୁତି ଚାଲୁରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.