Home ଓଡ଼ିଶା ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ଦଳର ଅସ୍ଥାୟୀ ଧାନ ମଣ୍ଡି, ହଜାର ହଜାର ଧାନ...

ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ଦଳର ଅସ୍ଥାୟୀ ଧାନ ମଣ୍ଡି, ହଜାର ହଜାର ଧାନ ବସ୍ତା ରଖି ଆନ୍ଦୋଳନ

265

ମାଲକାନଗିରି, ୧୧ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ୬୨ଟି ମଣ୍ଡିରେ ଏବେ ବି ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ। ଧାନମଣ୍ଡି ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି ଭୋର ୪ ଟାରୁ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗେଟ ନିକଟରେ ହଜାର ହଜାର ଧାନବସ୍ତା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଗେଟରେ ଚାଷୀଙ୍କ ଅସ୍ଥାୟୀ ଧାନମଣ୍ଡି, ବୋଲି ଦୁଇଟି ବଡ ବଡ ବ୍ୟାନର ଲଗାଇ ସେଥିରେ ମଣ୍ଡିରୁ ତୁରନ୍ତ ଚାଷୀମାନଙ୍କ ଧାନ ଉଠାଯାଉ, ଚାଷୀଙ୍କ ପ୍ରାପ୍ୟ ତୁରନ୍ତ ସେମାନଙ୍କ ପାସବୁକରେ ଜମା କରାଯାଉ, ଦୁର୍ନୀତିଗସ୍ତ ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ। ମଣ୍ଡିରେ ଧାନକ୍ରୟ କରିବାର ସମୟ ସୀମା ବୃଦ୍ଧି କରାଯାଉ ବୋଲି ଦାବି କରାଯାଇଛି। ହଜାର ହଜାର ଧାନବସ୍ତା ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହେଉଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ସେମାନଙ୍କ ଦାବିପୁରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ମୁଖ୍ୟ ପାଠକ ଧାନ ବସ୍ତାରେ ବନ୍ଦହୋଇ ଯାଇଥିବାରୁ କାର୍ଯ୍ୟାଳୟ ଭିତରକୁ ସହକାରି ଜିଲ୍ଲାପାଳ କି କୌଣସି ଅଧିକାରୀ, କର୍ମଚାରୀମାନେ ଯାଇ ନପାରି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରୀଭେନ୍ସ ଥିଲେ ମଧ୍ୟ କାର୍ଯ୍ୟାଳୟ ସାମନାରେ ଧାନ ବସ୍ତା ଗଦା ହୋଇ ଥିବାରୁ ଅଫିସ କାର୍ଯ୍ୟ ହୋଇପାରି ନଥିଲା। ବିଭିନ୍ନ ଅଞ୍ଚଳରୁ ଗ୍ରୀଭେନ୍ସ ଜଣାଇବାକୁ ଆସିଥିବା ଗ୍ରାମବାସୀମାନେ ନିଜ ନିଜର ଗୁହାରି ଜିଲ୍ଲାପାଳଙ୍କୁ ଜଣାଇ ନପାରି ନିଜ ନିଜ ଘରକୁ ଫେରି ଯାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅପରାହ୍ନ ୪ଟାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ସହାକରି ଜିଲ୍ଲାପାଳ ପ୍ରମୁଖ ଅଧିକାରୀମାନେ ମିଲରମାନଙ୍କ ସାଥିରେ ଧରି ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରି ମାନଙ୍କୁ ବୁଝାଇଥିଲେ। ଗତ ଦୁଇଦିନ ମଧ୍ୟରେ ମଣ୍ଡି ଗୁଡିକରୁ ଧାନ ଉଠାଯାଇ ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ସହିତ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଦା ହୋଇଥିବା ହଜାର ହଜାର ଧାନବସ୍ତାକୁ ଓଜନ କରି ମିଲରମାନେ ଉଠାଇ ନେବାରୁ କଂଗ୍ରେସ ଦଳ ଓ ଚାଷୀ ମାନଙ୍କର ଆନ୍ଦୋଳନ ୧୨ ଘଣ୍ଟାପରେ ପ୍ରତ୍ୟାହାର ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ମାସ ୨୫ ତାରିଖ ଠାରୁ କାଲିମେଳା, ମାଲକାନଗିରି, ପଡିଆ, କୋରକୁଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ସାତଟିଯାକ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୨ ମଣ୍ଡି ଖୋଲାଯାଇ ଧାନକ୍ରୟ ଚାଲିଛି।

ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସୁବିଧା ପାଇପାରୁ ନହାଁନ୍ତି ଚାଷୀ, ଏବି ବି ଅନେକ ଧାନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି। ଅନେକ ଚାଷୀଙ୍କୁ ସେମାନଙ୍କ ଧାନବିକ୍ରୟ ମୂଲ୍ୟ ମିଳିନଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି, ଜିଲ୍ଲାରେ ମିଲର ଓ ଯୋଗାଣ ବିଭାଗ ପକ୍ଷରୁ ଧାନକ୍ରୟର ଟାର୍ଗେଟ ପୁରି ଯାଇଥିବା ଆଳ ଦେଖାଇ ମଣ୍ଡିଗୁଡିକରୁ ଧାନ ଉାଠାଉ ନାହାଁନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ନିୟନ୍ତ୍ରୀତ ବଜାର କମିଟି ମଣ୍ଡି, ସହିତ ମାଥିଲି କାଲିମେଳା, ପଡିଆ, ଖଇରପୁଟ, କୋରକୁଣ୍ଡା, ଗୁମ୍ମା, ଆଦି ଧାନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିଥିବା ଦେଖିବାକୁ ମଳିଛି। ଚାଷୀଙ୍କ ପାଇଁ ଅଖା, ଲୋର୍ଡ ଅନ ଲୋର୍ଡ ମଜୁରୀ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଥିବା ବେଳେ ତାହା ଚାଷୀମାନେ ପାଉ ନାହାଁନ୍ତି, ଓଲଟି ସେମାନଙ୍କ ଧାନ ନିମ୍ନ ମାନର ବୋଲି କହି କେତେକ ମିଲର ଧାନ କାଟିଦେଉଛନ୍ତି। ମଣ୍ଡିକୁ ଧାନ ଆଣୁଥିବା ଚାଷୀକୁ ଏ ସବୁ ଭରଣା କରିବାକୁ ପଡୁଛି। କୁଇଣ୍ଟାଲ ଧାନ ମଣ୍ଡିକୁ ଆଣିବାକୁ ହେଲେ ତାପାଇଁ ମଜୁରୀ, ଅଖା, ଗାଡି, ବାବଦରେ ପ୍ରାୟ ୧ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ସରକାର ଚାଷୀମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରୁଥିବାର ଘୋଷଣା କରୁଛନ୍ତି, ହେଲେ ଗରିବ ଚାଷୀଙ୍କୁ ସେ ସୁବିଧା ମିଳୁନହିଁ ବୋଲି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଆଗାମି ନିର୍ବାଚନରେ କଂଗ୍ରେସ ଦଳ ସରକାର ଗଠନ କଲେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ ସହିତ, ଧାନର ମୂଲ୍ୟ ବୃଦ୍ଧି, ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି। ଏହି ଆନ୍ଦୋଳନ ର ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ, କାଲିମେଳା ବ୍ଲକ ଚେୟାରମେନ ମାଲା ମାଢି, କମଳାବରାଳ, ଲକ୍ଷ୍ମିପ୍ରୀୟା ନାୟକ, ଭିମାବାରସା, ପ୍ରାନ ମଣ୍ଡଳ, ପୁସ୍ପରାଜୁ, ସମରା.ରବି ରାଜେଶ, ପେଣ୍ଡ୍ରା ପଣ୍ଡା, ପର୍ଶୁରାମ ଭକ୍ତ ପ୍ରମୁଖ ନେତା ଓ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀମାନେ ଯୋଗଦେଇ ଥିଲେ।

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନାଗିରି ବିଧାୟକ ମାନସ ମାଡ଼କାମୀ ସେମାନଙ୍କର ପ୍ରତିକ୍ରିୟାରେ କହିଛନ୍ତିଯେ, ଖୁବ୍ କମ୍ ଦିନ ଭିତରେ ନିର୍ବାଚନ ହେବାକୁ ଯାଉଛି ଏବଂ କଂଗ୍ରେସ ଦଳ ନିର୍ବାଚନକୁ ଆଖି ଆଗରେ ରଖି ଏହି ଆନ୍ଦୋଳନ କରୁଛି। ଏହି ଆନ୍ଦୋଳନରେ କୌଣସି ଚାଷୀ ଭାଗ ନେଇଥିବାର ଦେଖିବାକୁ ମିଳିନାହିଁ। ଜିଲ୍ଲାରେ ପ୍ରଶାସନ ତରଫରୁ ୬୨ଟି ମଣ୍ଡି ଖୋଲାଯାଇଛି। ଇତି ମଧ୍ୟରେ ୧୦ ଲକ୍ଷ ୨୦ ହଜାର କ୍ୱିଣ୍ଟାଲ ଧାନ ଚାଷୀମାନଙ୍କଠାରୁ କ୍ରୟ ହୋଇସାରିଛି। ୫୯ ଟି ମଣ୍ଡିରୁ ସମସ୍ତ ଧାନ ଉଠି ସାରିଥିବା ବେଳେ ମାତ୍ର ଆଉ ତିନୋଟି ମଣ୍ଡିରେ କିଛି ଧାନ ରହିଛି। ତାହା ଆସନ୍ତା ୨ ଦିନ ମଧ୍ୟରେ ଉଠାଇ ଦିଆଯିବ। କଂଗ୍ରେସ ଦଳ କିଛି ବ୍ୟାପାରୀମାନଙ୍କୁ ଧରି ଏ ଶସ୍ତା ରାଜନୀତି ନକରି ଗରିବ ଚାଷୀମାନଙ୍କ ପାଇଁ କିଛି କାମ କରନ୍ତୁ ବୋଲି କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.