Home ଓଡ଼ିଶା ମାର୍କେଟରେ ଡ୍ରେନେଜ ସମସ୍ୟା, ପ୍ରଶାସନକୁ ଦିଶୁନି!

ମାର୍କେଟରେ ଡ୍ରେନେଜ ସମସ୍ୟା, ପ୍ରଶାସନକୁ ଦିଶୁନି!

115

ରାଉରକେଲା ୨୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗତକାଲି ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମୌସୁମିଜନିତ ବର୍ଷାରେ ସାରନଗରୀରେ ଥିବା ମାର୍କେଟ ଓ କିଛି ବସ୍ତିରେ ପାଣି ଜମି ରହି ବସ୍ତି ଜଳମଗ୍ନ ହୋଇଥିବା ଖବର ମିଳିଛି। ବସ୍ତିଅଂଚଳ ଗୁଡ଼ିକରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ବସ୍ତି ବାସିନ୍ଦାଙ୍କ ଘରେ ବର୍ଷା ପାଣି ପଶି ଆସବାବପତ୍ର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସେହିପରି ସାରନଗରୀର କନଷ୍ଟ୍ରକସନ କଲୋନୀ, ଆରଏଚ କଲୋନୀ, ଲେବର କଲୋନୀ ସମତେ ଅନ୍ୟ କଲୋନୀରେ ଥିବା ନାଳ ଗୁଡ଼ିକ ବହୁ ଦିନରୁ ସଫା ନହେବା କାରଣରୁ ବର୍ଷା ଜଳ ନାଳରେ ପୂର୍ଣ୍ଣ ହୋଇ ରାସ୍ତାରେ ଅଳିଆ ଅବର୍ଜନା ଭାସୁଥିବା ଦେଖିବାକୁ ମିଳିଥିଲା। ବର୍ଷା ପାଣି ଜମି ରହିବା କାରଣରୁ ବସ୍ତି ଓ କଲୋନୀବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦକ୍ଷିଣ ରାଉରକେଲାର ବହୁ କଲୋନୀ ଏବେଯାଏ ରାଉରକେଲା ମହାନଗର ନିଗମ କିମ୍ବା ପଂଚାୟତରେ ଏଯାଏ ସାମିଲ ହୋଇପାରିନାହିଁ। ଏ ସମସ୍ତ ଅଂଚଳରେ ଆଜି ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସମୂର୍ଣ୍ଣ ଭାବେ ଅସଜଡ଼ା ହୋଇ ପଡ଼ିଥିବା ସ୍ଥାନୀୟବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ସାରନଗରୀର ଚିପ୍ଟାଇପ ମାର୍କେଟ, ଗଂଜୁ ମାର୍କେଟ ଅଂଚଳରେ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥାର ସୁବିଧା ନଥିବାରୁ ବର୍ଷା ପାଣି ରାସ୍ତାରେ ପ୍ରବାହିତ ହେବାରୁ ଅଳିଆ ଆବର୍ଜନା ରାସ୍ତା ଉପରେ ପଡ଼ିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଦୋକାନୀ ନିଜେ ପରିମଳ ବ୍ୟବସ୍ଥାକୁ ହାତରେ ନେଇ ଅଳିଆ ଆବର୍ଜନା ସଫା କରିଥିଲେ। ସେହିପରି କୁଢକୁଢ ଆବର୍ଜନା ନାଳରେ ଜମି ରହିବା କାରଣରୁ ନାଳ ଜାମ ରହିବା ସମସ୍ୟା ସୃଷ୍ଟି ହୋଇଛି। ଗତକାଲି ବର୍ଷା ଜଳ ବିଭିନ୍ନ ବସ୍ତିରେ ଜମି ରହିବା କାରଣରୁ ସେଠାରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏଭଳି ପରିବେଶରେ ଡେଙ୍ଗୁ, ମ୍ୟାଲେରିଆ ସଂକ୍ରମଣ ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଏହି ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଉ ନଥିବାରୁ ଅଂଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.