Home Top News ମାଫିଆଙ୍କ କବ୍‌ଜାରେ ରାଜଧାନୀର ଅନାବାଦୀ, ଗୋଚର ଜମି : ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ...

ମାଫିଆଙ୍କ କବ୍‌ଜାରେ ରାଜଧାନୀର ଅନାବାଦୀ, ଗୋଚର ଜମି : ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ଡିସିପିଙ୍କୁ ଦାବିପତ୍ର ଦେଲା ଯୁବ କଂଗ୍ରେସ

22

ଭୁବନେଶ୍ୱର, ୨୯ ମାର୍ଚ୍ଚ (ଓଡ଼ିଆ ପୁଅ) : ରାଜ୍ୟ ରାଜଧାନୀ ଓ ଏହାର ଉପକଣ୍ଠରେ ଏବେ ଜମି ମାଫିଆଙ୍କ ପ୍ରାଦୁର୍ଭାବ ଚରମସୀମାରେ ପହଂଚିଛି। ସରକାରୀ ଜମି ଜବରଦଖଲ, ସାଧାରଣ ଜନତାଙ୍କ ଜମି ଉପରେ ବେଆଇନ୍ କବ୍‌ଜା ସହ ତାହାକୁ ନିଜ ନାମରେ ପ୍ଲଟ୍ କରି ବିକୁଛନ୍ତି ଜମି ମାଫିଆ। ଭୁବନେଶ୍ୱରରେ ଶାସନ କଳ, ଅମଲା ଓ ପୋଲିସ ବିଭାଗ ଥିବା ସତ୍ତ୍ୱେ ସେମାନଙ୍କ ନାକ ତଳେ ଚାଲିଛି ଏଭଳି ବେଆଇନ ଜମି ହଡ଼ପ। ତାହାର ଏକ ଉଦାହରଣ ନାରଗୋଦା ଓ ଘଙ୍ଗାପାଟଣାରେ ଦେଖିବାକୁ ମିଳିଛି। ଏହାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମଙ୍ଗଳବାର ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ମାଫିଆ ଓ ଚିଟ୍‌ଫଣ୍ଡ ଦଲାଲମାନେ ଅବାଧରେ ବେଆଇନ୍ ଜମି କାରବାର ଚଳାଇଛନ୍ତି। ସେମାନଙ୍କ କବ୍‌ଜାରେ ଅନାବାଦୀ ଓ ଗୋଚର ଜମି। ସେମାନେ ସରକାରୀ ଜମି ଜବରଦଖଲ କରୁଛନ୍ତି। ଭୟ ଦେଖାଇ ନିରୀହ ଜନତାଙ୍କ ଜମିକୁ ହଡ଼ପ କରୁଛନ୍ତି। ନେତା-ମନ୍ତ୍ରୀ, ଅମଲା, ପୋଲିସ ବାବୁଙ୍କ ସହଯୋଗ ବିନା ଜମି ମାଫିଆମାନେ ଏଭଳି ବେଆଇନ୍ କାରବାର କରିବା ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଲେଙ୍କା।

ଏବେ ମାଫିଆମାନଙ୍କର ଏଭଳି ବେଆଇନ କାରବାରର ଶିକାର ହୋଇଛନ୍ତି ନାରଗୋଦା ଓ ଘଙ୍ଗାପାଟଣା ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ହେଉଛି ଯେ ଶ୍ରୀକ୍ରିଷ୍ଣା କନ୍‌ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ବ୍ରହ୍ମାନନ୍ଦ ମଙ୍ଗରାଜ ଏଭଳି ବେଆଇନ୍ ଜମି କାରବାରରେ ଲିପ୍ତ ଅଛନ୍ତି। ନାରଗୋଦାରେ ଥିବା ୪.୫୭୫ ଏକର (ପ୍ଲଟ୍ ନଂ-୬୧, ସୁବୁଦ୍ଧିପୁର) ଲିଜ୍ ଜମିକୁ ଚଂଚକତା କରି ଘରବାଡ଼ି ଓ ସ୍ଥିତିବାନ କରି ପ୍ରାୟ ୩୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ଜମି ସଂଲଗ୍ନ ସରକାରୀ ଅନାବାଦୀ ଓ ଗୋଚର ଜମିକୁ ମଧ୍ୟ ଜବରଦଖଲ କରିଛନ୍ତି। ଏହାର ବିରୋଧ କଲେ ଗ୍ରାମବାସୀଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଧମକାଇବା ଓ ମିଛ କେସ୍‌ରେ ଫସାଇବାର ଭୟ ଦେଖାଯାଉଛି। ସେହିପରି ଘଙ୍ଗାପାଟଣା ଗ୍ରାମରେ ଥିବା ପ୍ଲଟ୍ ନଂ-୧୨୧୪ ଜମି, ଗ୍ରାମଦେବୀଙ୍କ ପ୍ରାଚୀନ ମନ୍ଦିର, ମଣ୍ଡପ, ଜଳାଶୟ ଭାଙ୍ଗି ପାଖରେ ଥିବା ସମସ୍ତ ଗଛଗୁଡ଼ିକୁ କାଟି ଦିଆଯାଇଛି। ବେଆଇନ୍ ମାଟି ଚାଲାଣ କରାଯାଉଛି।

ସେହିପରି ତମାଣ୍ଡୋସ୍ଥିତ ଏକ ଜୁନିୟର କଲେଜ ନାଁରେ ମଧ୍ୟ ସେ ଚଞ୍ଚକତା କରିଛନ୍ତି। ପିଲାଙ୍କ କ୍ୟାରିୟର ଓ ଭବିଷ୍ୟତ ସହ ଖେଳୁଛନ୍ତି। ଏହାର ପ୍ରତିବାଦ କରି ଉଭୟ ଗ୍ରାମର ଶତାଧିକ ଗ୍ରାମବାସୀ ରାଜ୍ୟ ଯୁବ କଂଗ୍ରେସ ସହ ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ଚେତାବନୀ ଦେଇଛନ୍ତି।

ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ବେଳେ ଆଶୁତୋଷ ଲେଙ୍କା, ରିତୁଲ ମହାପାତ୍ର, ବିଶ୍ୱଜିତ, ପଙ୍କଜ କୁମାର ଜେନା, ଅକ୍ଷୟ ସ୍ୱାଇଁ, ସୁନିଲ ସ୍ୱାଇଁ, ସୌଭାଗ୍ୟ ଜେନା, ମିଲୁ ପାଇକରାୟ, ମିହିର ପାଇକରାୟ, ଦୀପକ କୁମାର ଭୋଳ, ସଦାଶିବ ସାହୁ, ନୃସିଂହ ଚରଣ ଜେନା, ସନ୍ତୋଷ ସାହୁ ଓ ଉଲ୍ଲାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.