Home Top News ମାଟ୍ରିକ ପରୀକ୍ଷାରେ ୨୭୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ମାଟ୍ରିକ ପରୀକ୍ଷାରେ ୨୭୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

38

ହାଟଡ଼ିହି, ୮/୫ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ୨୭୪ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପରୀକ୍ଷା ନଦେବା ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି ନା ସେମାନଙ୍କ ନାମକୁ ମିଥ୍ୟାରେ ପଞ୍ଜିକୃତ କରାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକର ୧୫ଟି ପରୀକ୍ଷା କେନ୍ଦ୍ରରେ ୨୩୨୪ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଓ ୬୬ ଜଣ ମଧ୍ୟମା ପରୀକ୍ଷାର୍ଥୀ ଓ ଅନ୍ୟ ୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ନାମ ପଞ୍ଜିକୃତ କରିବା ପରେ ସେମାନଙ୍କ ନାମରେ ଆଡମିଟ କାର୍ଡ ମଧ୍ୟ ଆସିଥିଲା। କିନ୍ତୁ ତନ୍ମଧ୍ୟରୁ ୨୫୮ଜଣ ମାଟ୍ରିକ ଛାତ୍ରଛାତ୍ରୀ ଓ ୧୬ଜଣ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ବି.ପି. ହାଇସ୍କୁଲ ବାଙ୍ଗୋର ପରୀକ୍ଷାକେନ୍ଦ୍ରରେ ସର୍ବାଧିକ ୪୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାଯାଇଛି। ଏଠାରେ ୧୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ମାତ୍ର ୧୩୨ଜଣ ପରୀକ୍ଷା ଦେଇଛନ୍ତି। ଏହି କେନ୍ଦ୍ରରେ ପରୀକ୍ଷାଦେବାକୁ ଥିବା ନୁଆ ବାଲିପାଳ ସ୍କୁଲର ୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜିକୃତ କରିଥିବାବେଳେ ମାତ୍ର ୧୦ ଜଣ ପିଲା ପରୀକ୍ଷା ଦେଇଥିଲେ। ଏହାର କାରଣ କଣ, ସ୍କୁଲ ବଞ୍ଚାଇବା ପାଇଁ ୩୦ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକୃତ କରାଯାଇଥିଲା ନା ଅନ୍ୟ କଣ ପାଇଁ। ଏହାକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ଷଡଙ୍ଗ ଆର.ବି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୯୯ଜଣ ପରୀକ୍ଷା ଦେବାକୁ ଥିବାବେଳେ ୨୯ଜଣ ଅନୁପସ୍ଥିତ ରହିଥିଲେ। ତନ୍ମଧ୍ୟରୁ କେବଳ ଆଇତିପୁର ହାଇସ୍କୁଲର ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିଲେ। ଏଠାରେ ୩୩ଜଣ ପରୀକ୍ଷା ଦେବାକୁ ଥିବାବେଳେ ମାତ୍ର ୧୭ ଜଣ ପରୀକ୍ଷା ଦେଇଛନ୍ତି। ସେହିପରି ଡଅଁର ଟିଏମ ଏକାଡେମୀ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୫ଜଣ, ଢ଼େଙ୍କା ହାଇସ୍କୁଲରେ ୨୭ ଜଣ ପରୀକ୍ଷା ଦେଇ ନଥିବାବେଳେ ୧୬ ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇ ନଥିବା ଜଣାଯାଇଛି। ଏ ସମ୍ପର୍କରେ ଆଇତିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ କହିଛନ୍ତି ଯେ କରୋନା ସମୟରେ ସ୍କୁଲ ବନ୍ଦ ହେବା କାରଣରୁ ଅନେକ ଛାତ୍ର ବାହାରକୁ ଦାଦନ ଖଟିବାକୁ ପଳାଇଛନ୍ତି। ତେଣୁ ସେମାନେ ଆଉ ସ୍କୁଲ ଆସି ନାହାନ୍ତି। କିନ୍ତୁ ଯଦି ସେମାନେ ସ୍କୁଲ ଆସୁ ନଥିଲେ ତେବେ ତାଙ୍କର ଫର୍ମ ପୁରଣ କଲା କିଏ। ପ୍ରଥମ ସମେଟିଭ ପରୀକ୍ଷା ପରେ ଯାଇ ୨ୟ ସମେଟିଭ ପରୀକ୍ଷା ପାଇଁ ଫର୍ମ ପୁରଣ କରାଯାଇଥିଲା। ତେଣୁ ସମେଟିଭ୧ ପରୀକ୍ଷା ଦେଇଥିଲା କିଏ। ସେହିପରି ନୁଆ ବାଲିପାଳରେ ମଧ୍ୟ ସମାନ ଅବସ୍ଥା। ଏହା ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ବାହାରକୁ କାମ କରିବାକୁ ପଳାଇଥିବା ଜଣେ ଶିକ୍ଷକ କହିଛନ୍ତି। କିନ୍ତୁ କିଛି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ପଚାରିବାରେ ସେମାନେ ପରୀକ୍ଷା ବାବଦରେ ଜାଣି ନଥିବା କହିଛନ୍ତି। ତେଣୁ ଏହି ଘଟଣାର ତଦନ୍ତ ହେବା ଜରୁରୀ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.