Home ଜିଲ୍ଲା ପରିକ୍ରମା ମାଟି ସାମଗ୍ରୀ ଓ ଟେରାକୋଟାର ଗାଁ ତ୍ରିସାଲିଆ, କରୋନା ଭାଙ୍ଗି ଦେଇଛି କାରିଗରଙ୍କ ଅଣ୍ଟା, ବିକ୍ରୀ...

ମାଟି ସାମଗ୍ରୀ ଓ ଟେରାକୋଟାର ଗାଁ ତ୍ରିସାଲିଆ, କରୋନା ଭାଙ୍ଗି ଦେଇଛି କାରିଗରଙ୍କ ଅଣ୍ଟା, ବିକ୍ରୀ ନହୋଇ ପଡ଼ି ରହିଛି ଉତ୍ପାଦିତ ସାମଗ୍ରୀ, ଚିନ୍ତାରେ କୁମ୍ଭକାର ପରିବାର, ସରକାରୀ ସହାୟତା ଦାବୀ

46

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକ ସମାଜରେ ଲୋକମାନେ ମାଟି ସାମଗ୍ରୀ ବ୍ୟବହାରକୁ ନାପସନ୍ଦ କରି ଷ୍ଟିଲ ଓ ଫାଇବରକୁ ଆପଣାଉଛନ୍ତି । ପୁରାତନକାଳରେ ଆଦିମ ମଣିଷମାନେ ମାଟି ସାମଗ୍ରୀ ଗୁଡ଼ିକୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ ବୋଲି ଅନେକ ପ୍ରମାଣ ରହିଛି । ଗ୍ରୀଷ୍ମ ଦିନେ ମାଟି ସୁରେଇରେ ଥିବା ପାଣିକୁ ପିଇଲେ ଫ୍ରିଜ୍‌ରେ ଥିବା ପାଣିଠାରୁ ଅଧିକ ତୃଷ୍ଣା ମେଣ୍ଟାଏ । ମାଟିହାଣ୍ଡିରେ ପ୍ରସ୍ତୁତ ଭାତ ହେଉ ବା ମାାଂସ ତରକାରୀ ଏହାର ସ୍ୱାଦୁ ନିଆରା । ଏକଥା ଆଧୁନିକ ସମାଜରେ ସମସ୍ତେ ଅଙ୍ଗେଅଙ୍ଗେ ଅନୁଭବ କରୁଥିଲେ ସୁଦ୍ଧା ମାଟିପାତ୍ରକୁ ହେୟଜ୍ଞାନ କରି ଚାଲୁଛନ୍ତି । ମାତ୍ର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତ ତ୍ରୀସାଲିଆ ଗ୍ରାମବାସୀମାନେ ଆଜିବି ମାଟିରେ ପ୍ରସ୍ତୁତ ସାମଗ୍ରୀ ନିର୍ମାଣ କରି ପରିବାର ପ୍ରତିପୋଷଣ କରିବାରେ ସମର୍ଥ ହୋଇପାରିଛନ୍ତି । ଏଠାରୁ ଉତ୍ପାଦିତ ମାଟିପାତ୍ରର ଚାହିଦା କେବଳ ଏହି ଅଞ୍ଚଳର ନୁହେଁ ବରଂ ସମଗ୍ର ଜିଲ୍ଲାର ଅଧିକାଂଶ ଗୃହିଣୀଙ୍କ ଅଧିକ ପସନ୍ଦ । ମାଟିରେ ନିର୍ମିତ ହାଣ୍ଡି, କଳସି, ସୁରେଇ, ତାଉଆ, ପଲମ, ଘଡ଼ା, ଘରୋଇ ସାଜସଜ୍ଜା ସାମଗ୍ରୀ, ଦେବ ଉପାସନା ନିମନ୍ତେ ମାଟିଘୋଡ଼ା, ସରା, ଡ଼ିବି, ଝୁଣାଦାନୀ, ଦୀପ, ଢାଙ୍କୁଣୀ ଇତ୍ୟାଦି ଏଠାରେ ନିର୍ମିତ ହେଉଛି । ଏହି ସମାଗ୍ରୀ ଗୁଡ଼ିକ ପୂର୍ବରୁ ହାତରେ ପରିଚାଳିତ ଚକ ସାହାଯ୍ୟରେ ହେଉଥିବା ବେଳେ ବର୍ତ୍ତମାନ କେତେକ ବିଦ୍ୟୁତ ଚାଳିତ ଯନ୍ତ୍ରରେ ନିର୍ମାଣ କରାଯାଉଛି । ଏହି ଯଂନ୍ତ୍ର ବ୍ୟବହାର ଦ୍ମାରା ପ୍ରତିଦିନ ଅଧିକ ପରିମାଣରେ ସାମଗ୍ରୀ ଉତ୍ପାଦିତ ହୋଇ ପାରୁଛି ।

ଯାହାକି ଲୋକମାନଙ୍କ ମାନଙ୍କ ଚାହିଦା ମେଣ୍ଟାଇବାରେ ଏହି ଗ୍ରାମର କାରିଗରମାନେ ସଫଳ ହେଉଛନ୍ତି । ଗ୍ରାମରେ ପ୍ରାୟ ୮୦ ଗୋଟି କୁମ୍ଭକାର ପରିବାର ମଧ୍ୟରୁ ୫୦ଗୋଟି ପରିବାର ଅଧୁନା ଏହି କୌଳିକ ବୃତ୍ତିରେ ନିମଗ୍ନ ରହିଛନ୍ତି । ପୁରୁଷୋତ୍ତମ ମୁଦୁଲି, ଇଶ୍ୱର ମୁଦୁଲି, କୁମ ସାହୁ, ଜଳଧର ସାହୁ ପ୍ରମୁଖ ଏହି କାର୍ଯ୍ୟରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଛନ୍ତି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରୀ ସ୍ତରରେ ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହାର ଫାଇଦା ମଧ୍ୟ ଏହି ଗ୍ରାମର ମହିଳାସଂଘ ମାନେ ନେବାକୁ ପଛାଉ ନାହାନ୍ତି । ଓଡ଼ିଶାରେ ପ୍ରସିଦ୍ଧ ଓ ଆକର୍ଷଣୀୟ ଟେରାକୋଟା କାର୍ଯ୍ୟ ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି । ମହିଳାମାନେ ବିଭିନ୍ନ କାରୁକାର୍ଯ୍ୟ ସମ୍ବଳିତ ମୂର୍ତ୍ତି ତଥା ଘରୋଇ ସାଜସଜା ପଦାର୍ଥ ନିର୍ମାଣ କରି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗତ ୨୦୦୨ ମସିହାରେ ସ୍ଥାନୀୟ ଅଙ୍ଗନୱାଡ଼ୀ କର୍ମୀ ସୁଜଳା ରଣାଙ୍କ ପ୍ରଚେଷ୍ଟାରେ ଏହି ଟେରାକୋଟା କାର୍ଯ୍ୟ ଆରମ୍ଭ ହୋଇଥିଲା । ମା ଘଣ୍ଟ ବାସୁଳୀ ଓ ମା ଜଗଦମ୍ବା ମହିଳାସଂଘ ଏହି କାର୍ଯ୍ୟ ନିଜସ୍ୱ ଜ୍ଞାନ କୌଶଳରେ ଆରମ୍ଭ କରିଥିଲେ । ୨୦୧୪ ମସିହାରେ ଡ଼ିଆଇସି ପକ୍ଷରୁ ମହିଳାମାନଙ୍କୁ ତାଲିମ ଦିଆଯାଇ ଲୋକଙ୍କ ପସନ୍ଦ ମୁତାବକ ସାମଗ୍ରୀ ନିର୍ମାଣ କରି ଭଦ୍ରକ, ବାଲେଶ୍ୱର, ଅନୁଗୋଳ, ଭୁବନେଶ୍ୱର, କେନ୍ଦୁଝର ଆଦି ଜିଲ୍ଲାର ଆୟୋଜିତ ବିଭିନ୍ନ ମେଳାରେ ବିକ୍ରୀ କରି ବେଶ ଲାଭବାନ ହୋଇ ପାରିଛନ୍ତି । ଇତି ମଧ୍ୟରେ ବ୍ୟାଙ୍କ ଋଣ ପାଇବା ପରେ ଏହି ସଂଘ ଅଧିକରୁ ଅଧିକ ସମାଗ୍ରୀ ଉତ୍ପାଦିତ କରି ଓଡ଼ିଶାର କୋଣ ଅନୁକୋଣରେ ଯୋଗାଇ ଆସୁଛନ୍ତି ।

ଏହି ଗାଁର ଝିଅ ଏଲିନା ସାହୁଙ୍କ ତାଲିମ ମହିଳା ସଂଘକୁ ଆଧୁନିକ ସମାଗ୍ରୀ ପ୍ରସ୍ତୁତ କରିବାରେ ପ୍ରେରଣା ଯୋଗାଇଛି । ଏହି ଟେରାକୋଟା ସମାଗ୍ରୀ ବିଭିନ୍ନ ମେଳାରେ ପ୍ରଦର୍ଶିତ କରି ଅନେକ ପୁରସ୍କାର ପାଇଛି ଏହି ସଂଘ । ଏଠାରେ ଟେରାକୋଟା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି । ଏହି କାର୍ଯ୍ୟକୁ ଉଦଜୀବିତ ରଖିବା ପାଇଁ ମହିଳା ନୟନା ବେହେରା, ଶାନ୍ତି ମୁଦୁଲି, ଅରୁନ୍ଧତୀ ରଣା, ରେବତୀ ସାହୁ, ଗୀତାଞ୍ଜଳି ବେହେରା, ସୁଲୋଚନା ରଣା ପ୍ରମୁଖ ଶତଚେଷ୍ଟିତ ବୋଲି ପ୍ରକାଶ କରିଛନ୍ତି । ମାତ୍ର ଲଗାତାର ଭାବେ ୨ବର୍ଷ ଧରି କରୋନା ମହାମାରୀ ଯୋଗୁଁ ସବୁସ୍ଥାନରେ ମେଳା ମହୋତ୍ସବ ବନ୍ଦ ହୋଇ ଯାଇଛି । ଯଦ୍ୱାରା ଉତ୍ପାଦିତ ସମାଗ୍ରୀ ମହଜୁଦ ଥିଲେ ସୁଦ୍ଧା ବିକ୍ରୀ ହୋଇପାରୁ ନାହିଁ । ଏଥିନେଇ ଆର୍ଥିକ ସଙ୍କଟ ଦେଖା ଦେଇଛି । ଯଦି ସରକାରୀ ସ୍ତରରେ କୌଣସି ଆର୍ଥିକ ସହାୟତା ମିଳି ପାରନ୍ତା ତେବେ ମହିଳାମାନଙ୍କ ଦୁଃଖ ଲାଘବ ହୋଇ ପାରନ୍ତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.