Home Top News ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନବୀନ ନିବାସ ଆଗରେ ଯୁବ କଂଗ୍ରେସ ପକ୍ଷରୁ କଳା...

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନବୀନ ନିବାସ ଆଗରେ ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ

77

-ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା
-ବିକ୍ଷୋଭ ବେଳେ ଯୁବ କଂଗ୍ରେସ ସଭାପତିଙ୍କ ସହ କର୍ମୀଙ୍କୁ ଗିରଫ କଲା ପୁଲିସ
-ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ : ଡ. ସ୍ମୃତିରଞ୍ଜନ ଲେଙ୍କା

ଭୁବନେଶ୍ୱର, ୨୦।୧୦ (ଓଡ଼ିଆ ପୁଅ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ଆଶଙ୍କାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରିବା ଦାବିରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଆଗରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଆଜି ଶତାଧିକ ଯୁବ କଂଗ୍ରେସ କର୍ମୀ ହାତରେ କଳା ପତାକା ଧରି ନବୀନ ନିବାସ ସମ୍ମୁଖରେ ପହଂଚିଥିଲେ। ପୋଲିସ କିଛି ବୁଝିବା ପୂର୍ବରୁ ହଠାତ୍ ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହ ଶ୍ଲୋଗାନ ଦେଇ ଜୋରଦାର ବିରୋଧ କରିଥିଲେ। ପରେ ଉପସ୍ଥିତ ପୁଲିସ କର୍ମୀମାନେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଏହାକୁ ନେଇ ସେଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଥିଲେ। ଏ ସମ୍ପର୍କରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି ଯେ ବିଜେଡି ଶାସନ କାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଘନିଷ୍ଠ ସମ୍ପର୍କ ରହିଛି। ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଅଭିଯୁକ୍ତ ତା’ର ସାମ୍ରାଜ୍ୟ ବିସ୍ତାର କରିଥିବା ବହୁ ପ୍ରମାଣ ମିଳିଲାଣି। ଯେହେତୁ କ୍ୟାପ୍‌ଟେନ୍ ମିଶ୍ର ଗୃହ ବିଭାଗ ମନ୍ତ୍ରୀ ରହିଛନ୍ତି, ତେଣୁ ତଦନ୍ତ ପ୍ରକ୍ରିୟାକୁ ସେ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ କ୍ୟାପ୍‌ଟେନ ମିଶ୍ରଙ୍କୁ ବହିଷ୍କାର କରାଯାଉ। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ଓ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲଖିମପୁର ଖେରି ଚାଷୀ ହତ୍ୟା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ମଧ୍ୟ ମୋଦି ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ତେଣୁ ଉଭୟ ବିଜେଡି ଓ ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ନାରୀକୁ ସୁରକ୍ଷା କେବଳ କାଗଜ କଲମ ଓ ନିର୍ବାଚନୀ ଇସ୍ତାହାରରେ ରହୁଛି, ତାହାର ବାସ୍ତବ ରୁପାୟନ ହୋଇପାରୁନି। ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ଥିବାର ପୁଳା ପୁଳା ପ୍ରମାଣ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର କଲେ ନାହିଁ। ଏହାକୁ ପ୍ରଦେଶ ଯୁବ କଂଗ୍ରେସ ଘୋର ନିନ୍ଦା କରୁଛି। ଯଦି ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାନଯାଏ ତେବେ ରାଜ୍ୟ ବ୍ୟାପୀ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି। ଆଜି ବିକ୍ଷୋଭ ପ୍ରଦର୍ଶନରେ ଶ୍ରୀବତ୍ସ ରଥ, ଆର୍ଯ୍ୟବୀର ଲେଙ୍କା, ସ୍ମୃତିରଞ୍ଜନ ରାଉତ, ମନୋରଞ୍ଜନ ପଟ୍ଟନାୟକ, ଆଶୁତୋଷ ଲେଙ୍କା, ବିକ୍ରମ ରାୟ ସାମନ୍ତ, ରାକେଶ କୁମାର ଦାସ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରଶାନ୍ତ କୁମାର ବେହେରା, ରିତୁନ ମହାରଣା, ଶ୍ରୀତମ ଦାସ, ଇଶାନ୍ତ ପରିଡ଼ାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.