Home ଜିଲ୍ଲା ପରିକ୍ରମା ଭାସ୍କର୍ଯ୍ୟ କଳାକୁ ନେଇ ଗୌରବ ବହନ କରୁଛି ନୟାଗଡ଼

ଭାସ୍କର୍ଯ୍ୟ କଳାକୁ ନେଇ ଗୌରବ ବହନ କରୁଛି ନୟାଗଡ଼

46

ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଲୋକକଳା, ଲୋକତନ୍ତ୍ର, ଲୋକଗୀତ, ଲୋକଗଳ୍ପ, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତିରେ ନୟାଗଡ଼ ରୁଦ୍ଧିବନ୍ତ ହୋଇଥିବାବେଳେ ଭାସ୍କର୍ଯ୍ୟ କଳାକୁ ନେଇ ନୟାଗଡ଼ଯେ’ କେତେ ଗର୍ବ ଓ ଗୌରବ ବହନ କରୁଛି ତାହାର ପଟାନ୍ତର ନାହିଁ। ନୟାଗଡ଼ ଜିଲ୍ଲା ହେଉଛି ମନ୍ଦିର ମାଳିନୀ ଗାଁର ସମାହାର। ଯେଉଁଠି ଶୋଭା ପାଉଛି ଗାଁ ଗାଁରେ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ରାଧାକୃଷ୍ର ମନ୍ଦିର, ରଘୁନାଥ ମନ୍ଦିର ଏବଂ ବିଭିନ୍ନ ଦେବା ଦେବୀ ମନ୍ଦିର। ଏହି ମନ୍ଦିର ଗୁଡ଼ିକର ଚାରୁକଳା ପ୍ରାୟତଃ ନୟାଗଡ଼ର ଭାସ୍କର ମାନଙ୍କ ଦ୍ୱାରା ନିର୍ମିତ ଓ ଖୋଦିତ। ତେବେ ଖାଲି ନୟାଗଡ଼ର ଗାଁ କାହିଁକି କୁଶଳୀ କାରିଗରମାନଙ୍କ ସ୍ଥାପତ୍ୟ କଳା ଭାସ୍କର୍ଯ୍ୟ ନୟାଗଡ଼ ସରହଦ ମଧ୍ୟରେ ଆବଦ୍ଧ ନରହି ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାର ରାଜ୍ୟମାନଙ୍କରେ ଉଚ୍ଚ ପ୍ରଶଂସା ଅର୍ଜନ କରିପାରିଛି। ନୟାଗଡ଼ ମନ୍ଦିର ନିର୍ମାଣ ପରମ୍ପରା ଅନ୍ୱେଷଣ କଲାବେଳେ ଭାରତବର୍ଷର ବିଭିନ୍ନ ରାଜ୍ୟରେ ଗଢା ହୋଇଥିବା ମନ୍ଦିରର କଳାନିପୂଣତାକୁ ଦେଖିଲେ ଗର୍ବରେ ହୃଦୟ ପୁଲିକିତ ହୁଏ। ନୟାଗଡ଼ ଜିଲ୍ଲାର କଂଟିଲୋର ବ୍ରହ୍ମାଦ୍ରୀ ପାହାଡ଼ ଉପରେ ଥିବା ନୀଳମାଧବ ମନ୍ଦିର, ଓଡ଼ଗାଁର ରଘୁନାଥ ମନ୍ଦିର, ନୟାଗଡ଼ ଜଗନ୍ନାଥ ମନ୍ଦିର, ଦକ୍ଷିଣକାଳୀ ଓ ଗୋପୀନାଥ ମନ୍ଦିର, ଦଶପଲ୍ଲା ମହାବୀର ମନ୍ଦିର ଓ ଜଗନ୍ନାଥ ମନ୍ଦିର, ରଣପୁର ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ଜିଲ୍ଲାର ଏକ ଏକ ତୀର୍ଥକ୍ଷେତ୍ର। ନୟାଗଡ଼ ଶିଳ୍ପୀଙ୍କର ସୂକ୍ଷ୍ମ ଦୃଷ୍ଟିରେ ଏ ମନ୍ଦିରଗୁଡ଼ିକ ନିର୍ମିତ। ନୟାଗଡ଼ର ମନ୍ଦିର ଶିଳ୍ପୀ କହିଲେ ମୁଖ୍ୟ୍ୟତଃ ଓଡ଼ଗାଁର ଶିଳ୍ପୀ କୂଳକୁ ବୁଝାଏ। ଏହି ଶିଳ୍ପୀମାନେ ଓଡ଼ଗାଁ ରଘୁନାଥ ମନ୍ଦିରର ଦକ୍ଷିଣ ଦ୍ୱାରସ୍ଥ ବ୍ୟାଘ୍ର ଦ୍ୱାର ସାମ୍ନା ସାହିରେ ବସବାସ କରୁଛନ୍ତି। ଏଥିସହିତ ଜିଲ୍ଲାର ଆନନ୍ଦପୁର, ଭାଡ଼ିକିଳା, ମଶାବାରୀ, ବିଲମାନପୁର ଆଦିର ଭାସ୍କର୍ଯ୍ୟ ଶିଳ୍ପୀମାନେ ରାଜ୍ୟ ଓ ରାଜ୍ୟ ବାହାରେ ଭିନ୍ନ ଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ନିର୍ମାଣ କରି ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି। ୧୯୪୭ ମସିହା ବେଳକୁ ବୃନ୍ଦାବନ ମହାରଣା ରଘୁନାଥ ଜୀଉଙ୍କର ବ୍ୟାଘ୍ରଦ୍ୱାର ନିକଟସ୍ଥ ସାହିରେ ଅବସ୍ଥାନ କରି ପ୍ରଧାନ ଭାସ୍କର୍ଯ୍ୟ ଭାବେ ଖ୍ୟାତି ଅର୍ଜନ କରିଥିଲେ। କୁହାଯାଏ ବୃନ୍ଦାବନ ମହାରଣାଙ୍କ ବାପା, ଜେଜେବାପା ଓଡ଼ଗାଁର ରଘୁନାଥ ମନ୍ଦିର ନିର୍ମାଣ କରି ନୟାଗଡ଼ ରାଜାଙ୍କ ଠାରୁ ଭାସ୍କର ବିଶାରଦ ଉପାଧି ଲାଭ କରିଥିଲେ। ବୃନ୍ଦାବନ ମହାରଣା ରାଜକନିକା ରାଜାଙ୍କ ମାର୍ଫତରେ ଗୁଜୁରାଟ ରାଜାଙ୍କର ଜଗନ୍ନାଥ ମନ୍ଦିର ନିର୍ମାଣ କରି ଭୂୟଂସୀ ପ୍ରଶଂସା ପାଇଥିଲେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଂଚିରେ ହୋଇଥିବା ଜଗନ୍ନାଥ ମନ୍ଦିର, ରାଧାନାଥ ମନ୍ଦିର ଓ ଶିବ ମନ୍ଦିର ଆମ ନୟାଗଡ଼ର ଭାସ୍କର୍ଯ୍ୟ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଜଣାଯାଏ। ବ୍ରହ୍ମପୁର ଶିଖରପୁର ଠାରେ ହିିଙ୍ଗୁଳା ମନ୍ଦିର, ମୟୁରଭଂଜର ସୁବର୍ଣ୍ଣରେଖା ପ୍ରୋଜେକ୍ଟ ମାଧ୍ୟମରେ ଲକ୍ଷ୍ମୀନାରାୟଣ ମନ୍ଦିର, ଶିବ ମନ୍ଦିର, ଅନ୍ନପୂର୍ଣ୍ଣା ମନ୍ଦିର, ବାଲେଶ୍ୱର ଜିଲ୍ଲାର ହଳଦୀପଦା, ପଦ୍ମପୁର, ବୈଶିଙ୍ଗା ଲକ୍ଷ୍ମୀନାରାୟଣ ମନ୍ଦିର, ହିଙ୍ଗୁଳା ମନ୍ଦିର, ବେତନଟି ଠାରେ ମହାବାର ମନ୍ଦିର, ବଲାଙ୍ଗିର ତୁଷାର ଠାରେ ସମଲେଶ୍ୱରୀ ମନ୍ଦିର, କେନ୍ଦୁଝର ତେନ୍ତୁଳି ଲଣ୍ଡା ଠାରେ ଲକ୍ଷ୍ମୀନାରାୟଣ ମନ୍ଦିର, ଭୁବନେଶ୍ୱର କିଟ୍ ପରିସରରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆଦିକୁ ଦେଖିଲେ ନୟାଗଡ଼ର କଳା କାରିଗରିକୁ ନେଇ ଗର୍ବ ଅନୁଭବ କରିବାକୁ ହୁଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.