Home ଓଡ଼ିଶା ଭାରିଯାନ କବ୍ଜାରେ ୫୨୦ ରାଜପଥ, ଗଡୁନି ଚକା, ଆସିପାରୁନାହିଁ ଅତ୍ୟାବଶ୍ୟକ ସାମଗ୍ରୀ, ହୀନସ୍ଥାରେ ଖଣି ଅଞ୍ଚଳବାସୀ

ଭାରିଯାନ କବ୍ଜାରେ ୫୨୦ ରାଜପଥ, ଗଡୁନି ଚକା, ଆସିପାରୁନାହିଁ ଅତ୍ୟାବଶ୍ୟକ ସାମଗ୍ରୀ, ହୀନସ୍ଥାରେ ଖଣି ଅଞ୍ଚଳବାସୀ

160

ଯୋଡା, ୨୨- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜକୁ ୫ଦିନ ହେବ ଲୁହାପଥର ବୋଝେଇ ଭାରିଯାନ କବ୍‌ଜାରେ ୫୨୦ ଜାତୀୟ ରାଜପଥ ରହିଥିବା ବେଳେ ରିମୁଳି ଠାରୁ ଭଦ୍ରାସାହୀ  ପର୍ଯ୍ୟନ୍ତ ପ୍ରାୟ ୩୦ କି.ମି. ଏହି ରାସ୍ତାରେ ଚକା ଗଡୁନଥିବା ଦେଖିବାକୁ ମିଳିଛି । ଫଳରେ ଯୋଡା, ବଡବିଲ ଏବଂ ଯୋଡା ବ୍ଲକର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବ୍ୟାହତ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଏହି ମହାମାରି ସମୟରେ କୌଣସି ରୋଗିକୁ ନେଇ ଆମ୍ବୁଲାନ୍ସଟିଏ ଯିବା କଷ୍ଟକର ହୋଇପଡିଛି । ସକାଳୁ କ୍ଷୀର ଗାଡି, ପନି ପରିବା, ଖବର କାଗଜ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଖଣି ଅଞ୍ଚଳକୁ ଆସିପାରୁନାହଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପରିସ୍ଥିତି ଏପରି ଭୟାବହ ହେଉଛି ଯେ, ଚାରି ଚକିଆ ତ ଦୂରର କଥା ମୋଟରସାଇକେଲଟିଏ ଟିଏ ନେଇ ସେହି ବାଟରେ ଯିବା ଅସମ୍ଭବ ହୋଇପଡିଛି । ଏହି ରାସ୍ତାଟି ଯୋଡା ପୌରପାଳିକା, ଯୋଡା ବ୍ଲକ, ବଡବିଲ ପୌରପାଳିକା ସମେତ ଭଦ୍ରାସାହୀ, ଚମକପରୁ, ବିରିକଳା, ଦେଓଝର, କଣ୍ଡରା, ଅଂଶେଇକଳା ପ୍ରଭୁତି ଅଞ୍ଚଳକୁ ଏକମାତ୍ର ଯୋଗାଯୋଗର ମାଧ୍ୟମ ହୋଇଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇ ଖଣିଜ ପରିବହନକୁ ପ୍ରାଧାନ୍ୟ ଦେବା ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । ଏହି ରାସ୍ତା ନିର୍ମାଣ ନିମନ୍ତେ ମଣ୍ଟେକାର୍ଲୋ ନାମକ ଏକ ଠିକା ସଂସ୍ଥାକୁ ଦିଆଯାଇଥିବା ବେଳେ ଉକ୍ତ ଠିକା ସଂସ୍ଥା ତାର ମନମୁଖି କାର‌୍ୟ୍ୟ ଚଳାଇଆସିଛି ।

କଳାପାହାଡ ଠାରୁ ନାରଦପୁର ପର‌୍ୟ୍ୟନ୍ତ ରାସ୍ତା ନିର୍ମାଣ କାର‌୍ୟ୍ୟ ୨ବର୍ଷ ହେବା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ବାସୁଦେବପୁର ଛକ ଠାରୁ ବୈତରଣୀ ପୋଲ ପର‌୍ୟ୍ୟନ୍ତ ରାସ୍ତାରେ ଆଣ୍ଠୁଏ ଲେଖାଁ ଗାଢ ହୋଇ ସାମାନ୍ୟତମ ବର୍ଷାରେ ପୁଷ୍କରଣୀର ଭ୍ରମ ସୃଷ୍ଟି କରୁଛି । ଏହି ରାସ୍ତାରେ ଚଳାଚଳ କରୁଥିବା ଭାରିଯାନ ବାସୁଦେବପୁର ନିକଟ ଏକ ସ୍ଥାନରେ କାଦୁଅରେ ଲଟକି ରହୁଥିବାରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ କରାଯାଇଛି । ବାରମ୍ବାର ଯାତାୟତ ବିଚ୍ଛିନ୍ନ ହେବା ଫଳରେ ଗତ ୧ ତାରିଖ ଦିନ ବରିଷ୍ଠ ନାଗରୀକମାନଙ୍କ ପକ୍ଷରୁ ଯୋଡା ପୌରପାଳିକା କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏଥିରେ ପ୍ରଶାସନ ପକ୍ଷରୁ ତୁରନ୍ତ କାର‌୍ୟ୍ୟ ସମ୍ପାଦନ କରାଯିବାର ଆଶ୍ୱାସନା ଦିଆଯାଇ ସେମାନଙ୍କୁ ଉଠାଇଦିଆଯାଇଥିଲା । ତେବେ ଏହାରି ଭିତରେ ୨୦ରୁ ଉର୍ଦ୍ଧ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର କୌଣସୁ ସୁଫଳ ମିଳିନଥିବା ଦେଖିବାକୁ ମିଳିଛି । ପରିବହନ କ୍ଷେତ୍ରରେ ଅନୁମତିକୁ ସୀମିତ କରିବା ଉଦ୍ଦେଶ୍ୟରେ ସୋମବାର ପୂର୍ବାହ୍ନରେ କେତେକ ବରିଷ୍ଠ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ଯୁଗ୍ମ ଖଣି ଉପନିର୍ଦ୍ଦେଶକ ଶଲିଲ ବେହେରାଙ୍କ ସହିତ ସାକ୍ଷାତ କରିଥିଲେ । ତେବେ ସେ ରାସ୍ତାର ଦୂରବସ୍ଥା ଯୋଗୁଁ ଏହି ପରିସ୍ଥିତି ଉପଜିଥିବା ସ୍ୱୀକାର କରିବା ସହ କୌଣସି ପରିସ୍ଥିତିରେ ସମ୍ପୂର୍ଣ୍ଣ ଖଣିଜ ସମ୍ପଦ ପରିବହନ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଥିଲେ । ଏହି ରାସ୍ତାକୁ ଦୃଷ୍ଟିରେ ରଖି ପରିବହନକୁ ପୂର୍ବ ତୁଳନାରେ ମାତ୍ର ୩୦ ପ୍ରତିଶତକୁ କମାଇଦିଆଯାଇଥିବା ସେ ସୂଚନା ଦେଇଥିଲେ । ବାହାର ରାଜ୍ୟରୁ ଆସୁଥିବା ଟ୍ରଲର ଗୁଡିକୁ ବନ୍ଦ କରିବା ନିମନ୍ତେ ଦାବିରେ ସେ ବିଭିନ୍ନ ପରିବହନ ଠିକାଦାରଙ୍କ ସହିତ ଆଲୋଚନା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.