Home ଆମ ପର୍ବ ପର୍ବାଣୀ ମିଳିଲା ଅନୁମତି: ରଥଯାତ୍ରା ହେବ; ବଡ଼ଦାଣ୍ଡରେ ଗଡ଼ିବ ୩ ରଥ ..

ମିଳିଲା ଅନୁମତି: ରଥଯାତ୍ରା ହେବ; ବଡ଼ଦାଣ୍ଡରେ ଗଡ଼ିବ ୩ ରଥ ..

458

ନୂଆଦିଲ୍ଲୀ/ଭୁବନେଶ୍ୱର/ପୁରୀ: ଆସିଲା ରାୟ। ବଡ଼ଦାଣ୍ଡରେ ରଥ ଗଡ଼ିବ। ରଥଯାତ୍ରା ହେବ। ମାନ୍ୟବର ସୁପ୍ରିମକୋର୍ଟ ଆଜି ତାଙ୍କର ଏହି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ କରୋନା ଆତଙ୍କ କାରଣରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନର୍ବିଚାର ପାଇଁ ୧୬ରୁ ଅଧିକ ପିଟିସନ ଦାୟର ହୋଇଥିଲା। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ପୁନର୍ବିଚାର ଓ ମୋଡିଫିକେସନ୍ ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ପୁରୀ ଗଜପତି ମହାରାଜାଙ୍କ ଅନୁରୋଧ କ୍ରମେ ବିନା ଭକ୍ତରେ ଏବଂ କେବଳ ପୁରୀରେ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରଥଯାତ୍ରା କରିବା ସପକ୍ଷରେ ମତ ରଖାଯାଇଥିଲା।

ସୁପ୍ରିମକୋର୍ଟର ଜଣିକିଆ ବେଞ୍ଚରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଥିଲେ ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ବର୍ଷେ ଯାଏଁ ଅଣସରରେ ରହିବେ ଏବଂ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ। ତେଣୁ, କୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ। ସେହିପରି ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ଯୁକ୍ତି ବାଢ଼ିଥିଲେ। ସଲିସିଟର ‌ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍‌ କୋର୍ଟର ବିିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ। ଏହାର ଶୁଣାଣି କରି ଆବଶ୍ୟକୀୟ ଗାଇଡ୍ ଲାଇନ୍ ପାଳନ ସହିତ ଚଳିତ ବର୍ଷ ରଥଯାତ୍ରା ହେବ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେ, ଜଷ୍ଟିସ ବୋପାନ୍ନା ଏବଂ ଜଷ୍ଟିସ ମାହେଶ୍ୱରୀ ତାଙ୍କ ଚୂଡ଼ାନ୍ତ ରାୟରେ ଶୁଣାଇଛନ୍ତି। /-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.