Home କେନ୍ଦ୍ରାପଡ଼ା ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟାତ୍ମିକତା ଉପରେ କେନ୍ଦ୍ରାପଡା କଲେଜରେ ଆଲୋଚନା ଚକ୍ର

ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟାତ୍ମିକତା ଉପରେ କେନ୍ଦ୍ରାପଡା କଲେଜରେ ଆଲୋଚନା ଚକ୍ର

24

କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର “ଭାରତୀୟ ସଂସ୍କୃତିରେ ଧର୍ମ ଓ ଆଧ୍ୟତ୍ମିକତା” ଉପରେ ଏକ ସଂପାନ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ବେଦପାଠ ଓ ସମବେତ ସଂଗୀତ ପରିବେଷଣ କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ଦୈନିକ ‘ସମାଜ’ର ପ୍ରକାଶକ, ମୁଦ୍ରାକର ଏବଂ ଲୋକସେବକ ମଣ୍ଡଳର ଉପସଭାପତି ନିରଞ୍ଜନ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଧର୍ମ ଓ ଆଧ୍ୟାତ୍ମିକତାକୁ ବାଖ୍ୟାକରି କହିଥିଲେ ଯେ ଆମ ଧର୍ମ ହେଉଛି ସନାତନ ଧର୍ମ। ଯାହା ଆମ ଆଚରଣରେ ପ୍ରକାଶିତ ହୋଇଥାଏ। ଭାବ ଓ ଭକ୍ତି ଆମ ସଂସ୍କୃତିର ମୂଳାଧାର। ଧର୍ମକୁ ଛାଡି ଆଧ୍ୟାତ୍ମିକତା ନାହିଁ କି ଆଧ୍ୟାତ୍ମିକତାକୁ ଛାଡି ଧର୍ମ ନାହିଁ। ଆମ ଆଚରଣ, ଉଚ୍ଚାରଣ, ସ୍ୱଭାବ ଓ ପ୍ରକୃତିରୁ ଆମ ସଂସ୍କୃତି ବାରି ହୋଇ ପଡେ। ଏହି ବିଚାରକୁ ଅଧିକ ବୋଧଗମ୍ୟ କରିବାକୁ ସେ ରାମକୃଷ୍ଣ ପରମହଂସ, ବାମାକ୍ଷେପା, ଶକୁନ୍ତଳା ଓ ଶୁକମୁନୀଙ୍କ ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ପାଶ୍ଚାତ୍ୟ ସଂସ୍କୃତି ଯେଉଁଠି ସରିଛି ଭାରତୀୟ ସଂସ୍କୃତି ସେଇଠୁ ଆରମ୍ଭ ହୋଇଛି ବୋଲି ସୂଚନା ଦେଇ ଧର୍ମ ଆମ ସଂସ୍କୃତିର ଜୀବନ ଧାରଣର ଏକ ମାର୍ଗ ବୋଲି କହିଥିଲେ। ସେ ଡାଇଓଜିନିସ, ଆଲେକଜାଣ୍ଡାର, ଆରିଷ୍ଟୋଟଲ ଓ ପ୍ଲାଟୋଙ୍କ ଯୁକ୍ତିନିଷ୍ଠ ମଣିଷ ପ୍ରସଙ୍ଗ ଅବତାରଣା କରିଥିଲେ। କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଯୋଜକ ପ୍ରାଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ ସହ ବିଷୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କଲେଜ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସଂପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନାଚକ୍ରରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ମେଜର ମନୋରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଗୈାର ପ୍ରସାଦ ଷଡଙ୍ଗୀ, ସୋନାଲିକା ମହାନ୍ତି, ସୁବ୍ରତ କୁମାର ପାତ୍ର, ମନିଷାକାନ୍ତି ଜେନା, ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଲେଫଟନାଣ୍ଟ ସୀମା ମହାନ୍ତି ଏହାକୁ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.