Home Top News ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ବସି ପୋଲିସ୍ ଉପରେ ଚାପ ପକାଉଛନ୍ତି: ଲେଖାଶ୍ରୀ

ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ବସି ପୋଲିସ୍ ଉପରେ ଚାପ ପକାଉଛନ୍ତି: ଲେଖାଶ୍ରୀ

50

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ସଭା ମଞ୍ଚରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବସି ପୋଲିସ ଉପରେ ଚାପ ପକାଉଛନ୍ତି। ରାଜ୍ୟ ସରକାର ସତ୍ୟତାକୁ ଲୁଚାଇବା ପାଇଁ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ପାଇଁ ସଂପୂର୍ଣ୍ଣ ଚେଷ୍ଟା ଜାରୀ ରଖିଛନ୍ତି। ଫଳସ୍ୱରୁପ ଗତ କାଲି ଡିଆଇଜି ଦୀପକ କୁମାର ପୋଲିସ ଅଧିକାରୀ ଭାବେ ନୁହେଁ ବରଂ ଶାସକ ବିଜେଡିର ମୁଖପାତ୍ର ଭାବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଘଟଣା ଘଟିବାର ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ହତ୍ୟାକାଣ୍ଡର କାରଣ ସଂପର୍କରେ ପୋଲିସ ବିଭାଗ ତରଫରୁ କୈାଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ବରଂ ଅନେକ ପ୍ରଶ୍ନ ଆଜି ମଧ୍ୟ ପ୍ରଶ୍ନ ହୋଇ ରହିଯାଇଛି। ପରିବାରବର୍ଗ ତରଫରୁ ମମିତାର ନିଖୋଜ ସଂପର୍କରେ ଏତଲାକୁ ପୋଲିସ କାହିଁକି ଗ୍ରହଣ କରିନଥିଲା? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କାହିଁକି ଚାରି ଚାରିଟି ଥାନାକୁ ନିଆଯାଇଥିଲା? ଗୋଡ଼ ଖରାପ ଥିବା ସତ୍ତ୍ୱେ ପୋଲିସ ବ୍ୟାରେକରୁ ଗୋବିନ୍ଦ ସାହୁ କିପରି ଫେରାର ହୋଇଥିଲା? ମହାଲିଙ୍ଗସ୍ଥିତ ଶିକ୍ଷାନୁଷ୍ଠାନରେ କ’ଣ ଚାଲିଥିଲା ଓ ମନ୍ତ୍ରୀ ଦିବ୍ୟଶଙ୍କର କାହିଁକି ବରାବର ଯାଉଥିଲେ? ରାୟପୁର ମିଟିଂରେ ଦିବ୍ୟଶଙ୍କର, ଗୋବିନ୍ଦ ଏବଂ ମମିତା ଏକାଠି ଥିଲେ ନା ନାହିଁ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦିଆଯାଇଛି ନା ନାହିଁ? ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଉପରେ ଆସିଥିବା ଅଭିଯୋଗର ନିର୍ଦ୍ଧିଷ୍ଟ ଉତ୍ତର ରଖି ନଥିବାବେଳେ ପୋଲିସ ଅଧିକାରୀ ଉତ୍ତର ରଖିବାର କାରଣ କଣ? ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ? ଏ ସମସ୍ତ ପ୍ରଶ୍ନର ଉତ୍ତର ନରଖି ନିଜ ତଦନ୍ତକୁ ଦିଗହରା କରିବା ପାଇଁ କ୍ଷମତାର ବାହାରକୁ ଯାଇ ଡିଆଇଜି ଦୀପକ କୁମାର ଶାସକ ବିଜେଡିର ମୁଖପାତ୍ର ଭଳି ରାଜନୈତିକ ଉତର ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅସାମ୍ବିଧାନିକ। ଘଟଣାର ତଦନ୍ତକାରୀ ଅଫିସର ଡିଆଇଜି ଦୀପକ କୁମାର ନୁହନ୍ତି। ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାବେଳେ କେଉଁ ଆଧାରରେ ଦିବ୍ୟଶଙ୍କର ରାୟପୁର ଯାଇନଥିବା ଡିଆଇଜି କହିଛନ୍ତି, ତାହା ସେ ସ୍ପଷ୍ଟ କରନ୍ତୁ। ଏଭଳି କହି ଡିଆଇଜି ସିଧାସଳଖ ଭାବେ ତଦନ୍ତକାରୀ ଅଫିସରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି ଡ. ଲେଖାଶ୍ରୀ କହିଛନ୍ତି।
ରାଜ୍ୟ ସରକାର ନିଜର ସମସ୍ତ କଳବଳକୁ ଲଗାଇ ମମିତା ହତ୍ୟାକାଣ୍ଡରୁ ଦିବ୍ୟ ଶଙ୍କରଙ୍କୁ ଖଲାସ କରିଦେବାର ପ୍ରଚେଷ୍ଟା ଜାରୀ ରଖିଛନ୍ତି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦିବ୍ୟଶଙ୍କରଙ୍କୁ ବର୍ତମାନ ସୁଦ୍ଧା ଗୃହ ବିଭାଗ ଦାୟୀତ୍ୱରେ ରଖିବା; ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଦିବ୍ୟଶଙ୍କରଙ୍କ ସହ ଏକାଠି ମଞ୍ଚରେ ବସି ପୋଲିସ ଉପରେ ଚାପ ସୃଷ୍ଟି କରିବା ପରେ ଗତ କାଲିର ଡିଆଇଜିଙ୍କ ବିବୃତି ସିଧାସଳଖ ଭାବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ଉପରେ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରି ଦିବ୍ୟ ଶଙ୍କରଙ୍କୁ ଖସାଇ ଦେବା ପାଇଁ ଚାପ ସୃଷ୍ଟି କରିଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡିର ପ୍ରରୋଚନାରେ ଡିଆଇଜି ଦୀପକ କୁମାର ଏଭଳି କାହାଣି ଶୁଣାଉଛନ୍ତି। ତଦନ୍ତକୁ ବାଟବଣା କରି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାର କାର୍ଯ୍ୟ କରିବା ଓ ଦୋଷୀଙ୍କୁ ସୁରକ୍ଷା ଦେବା ଦଣ୍ଡନୀୟ ଅପରାଧ। ଗତ କାଲିର ଡିଆଇଜି ଦୀପକ କୁମାରଙ୍କ ପ୍ରେସ ମିଟ୍ ସମଗ୍ର ପୋଲିସ ବିଭାଗର କାର୍ଯ୍ୟକଳାପ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶାସକ ବିଜେଡି ଦୀପକ କୁମାରଙ୍କୁ ପୋଲିସ ବିଭାଗରୁ ଅନ୍ତ କରି ମୁଖପାତ୍ର ଭାବେ ବ୍ୟବହାର କରନ୍ତୁ ବୋଲି ଡ. ଲେଖାଶ୍ରୀ ତାତ୍ସଲ୍ୟ କରି କହିଛନ୍ତି।
ମନ୍ତ୍ରୀ ଦିବ୍ୟଶଙ୍କର ବରାବର ସେହି ଶିକ୍ଷାନୁଷ୍ଠାନକୁ ଯାଉଥିଲେ ଏବଂ ପରୀକ୍ଷାରେ ମାର୍କ ବଢ଼ାଇଦେବାର କହି ଅନୈତିକ ସଂପର୍କ ରଖୁଥିଲେ। ଯିଏ ସଂପର୍କ ରଖୁଥିଲା, ତାର ମାର୍କ ବଢ଼ୁଥିଲା। ମମିତା ଏ ସଂର୍କରେ ଜାଣି ସାରିଥିବା କାରଣରୁ ଭୟଭୀତ ହୋଇ ହତ୍ୟା କରାଯାଇଛି। ଏଭଳି ଅନେକ କଥା ଭାଇରାଲ ହୋଇଥିବା ଭିଡିଓରେ ମମିତାଙ୍କ ବାପା ସିଧାସଳଖ ଭାବେ ଦିବ୍ୟଶଙ୍କରଙ୍କ ନାଁ ନେଇ ତାଙ୍କୁ ଦୋଷୀ ବୋଲି କହୁଛନ୍ତି। ମାଜିଷ୍ଟ୍ରେଟଙ୍କ ଅର୍ଡରରେ ମଧ୍ୟ ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ ହେଉଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏଭଳି ବିଭତ୍ସ ଘଟଣାରେ ନିଜ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଶାସକ ବିଜେଡି କଣ ଜବାବ୍ ଦେବ ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ ପ୍ରକ୍ରିୟା ଯେଉଁ ବାଟରେ ଯାଉଛି, ସେଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କେବେହେଲେ ଦୋଷୀ ଭାବେ ପ୍ରମାଣିତ ହୋଇପାରିବେ ନାହିଁ। ମମିତାକୁ ପ୍ରକୃତ ନ୍ୟାୟ ପ୍ରଦାନ ଏବଂ ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଡ. ଲେଖାଶ୍ରୀ ପୁଣି ଥରେ ଦାବି କରିଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.