Home ଓଡ଼ିଶା ଭାରତୀୟ ଭାଷାର ସମ୍ବଲପୁରୀ ଅନୁବାଦ ସଂକଳନ ‘କଥା ଭିନ୍‌ଭିନ୍‌, ମୁନୁଷ୍‌ଏକା’ ଲୋକାର୍ପିତ

ଭାରତୀୟ ଭାଷାର ସମ୍ବଲପୁରୀ ଅନୁବାଦ ସଂକଳନ ‘କଥା ଭିନ୍‌ଭିନ୍‌, ମୁନୁଷ୍‌ଏକା’ ଲୋକାର୍ପିତ

262

ସମ୍ବଲପୁର, ୧ା୮ (ଓଡ଼ିଆ ପୁଅ): ବିଭିନ୍ନ ଭାରତୀୟ ଭାଷାର ସମ୍ବଲପୁରୀ ଅନୁବାଦ ଗଳ୍ପ ସଂକଳନ ‘କଥା ଭିନ୍‌ଭିନ୍‌, ମୁନୁଷ୍‌ଏକା’ ଗୁରୁବାର କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରୀ ଲେଖକ ପରିଷଦ ପକ୍ଷରୁ ଦ୍ୱାରିକା ପ୍ରସାଦ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁରାରେ ସମ୍ବଲପୁରୀ ସାହିତ୍ୟର ଜନକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ୧୦୬ତମ ଜନ୍ମ ଦିବସ ‘ସମ୍ବଲପୁରୀ ଦିନ୍‌’ ପାଳନ କରାଯାଇଥିଲା। ପ୍ରାରମ୍ଭରେ ମା’ ସମଲେଶ୍ୱରୀ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ ହୋଇଥିଲା। ଏହାପରେ ଅଧ୍ୟାପକ ଯତୀନ୍ଦ୍ର କୁମାର ପ୍ରଧାନଙ୍କ ରଚିତ ସ୍ୱାଗତ ସଙ୍ଗୀତ “ନାଚ୍‌ମୁ ସମ୍ବଲପୁରୀ ଗୋ, ଆମେ ଗାଏମୁ ସମ୍ବଲପୁରୀ; ପିନ୍ଧମୁଁ ସମ୍ବଲପୁରୀ ଗୋ, ଆମେ କହେମୁ ସମ୍ବଲପୁରୀ”କୁ ଛାତ୍ରୀ ତୃପ୍ତି ବାରିକ, ନମିତା ପ୍ରଧାନ, ରଶ୍ମିତା ରଣା, ଆରତୀ ପ୍ରଧାନ ଓ ରିଙ୍କି ଖମାରୀ ଗାଇଥିଲେ।

ପରିଷଦର ସଭାପତି ମୁକ୍ତକଣ୍ଠ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡ. ଦ୍ୱାରିକାନାଥ ନାୟକ କହିଲେ ଯେ, ସତ୍ୟନାରାୟଣ ବହିଦାରଙ୍କ ଆଗରୁ ସାହିତ୍ୟ ସୃଷ୍ଟି ହେଉଥିଲା ଏବଂ ପରେ ବି ଆହୁରି ଅଧିକ ସାହିତ୍ୟ ସୃଷ୍ଟି ହୋଇଛି କିନ୍ତୁ ବହିଦାର ଜଣେଇଦେଲେ ଯେ ‘ସମ୍ବଲପୁରୀ’ ଏକ ସ୍ୱତନ୍ତ୍ର ଭାଷା। ଯାହାର ଶବ୍ଦାବଳୀ ଅଛି, ଶିଷ୍ଟ ସାହିତ୍ୟ ଅଛି ଓ ସ୍ୱତନ୍ତ୍ର ବ୍ୟାକରଣ ମଧ୍ୟ ଅଛି। ଗୁରୁ ସତ୍ୟନାରାୟଣ ବହିଦାର ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଆଦି ସବୁ ଭାଷାରେ ପାରଙ୍ଗମ ଥିଲେହେଁ ସମ୍ବଲପୁରୀ ଭାଷାରେ ଲେଖୁଥିଲେ ଓ ଅନ୍ୟମାନଙ୍କୁ ଲେଖିବା ପାଇଁ ପ୍ରୋତ୍ସାହିତ କରୁଥିଲେ ବୋଲି ଡ. ନାୟକ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଡ. ଗୌରୀଦାସ ପ୍ରଧାନ କହିଲେ ଯେ, ଭାଷା ବୋଲି ସ୍ୱୀକାର କରାଯାଉନଥିବା ଓ ଲିପି ନାହିଁ ବୋଲି ଲୋକେ ତାତ୍ସଲ୍ୟ କରୁଥିବା କୋଙ୍କଣୀ ଭାଷାର ଲେଖକଙ୍କୁ ୨୦୧୦ରେ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ‘ସମ୍ବଲପୁରୀ’ ଭାଷାର କବିତା ପ୍ରାୟ ଏକ ଶହ ବର୍ଷ ପୂର୍ବେ କଲିକତା ଓ କଟକରୁ ପ୍ରକାଶିତ ସେହି ସମୟର ପ୍ରମୁଖ ଓଡ଼ିଆ ପତ୍ରପତ୍ରିକାରେ ଗୁରୁ ସତ୍ୟନାରାୟଣ ବହିଦାର ପ୍ରକାଶିତ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର କବି ଓ ଲେଖକ ମାନେ ତାଙ୍କ ରଚନାରେ ସମ୍ବଲପୁରୀ ଶବ୍ଦ ବ୍ୟବହାର କରୁଥିଲେ ବୋଲି ସେ ସୂଚନା ଦେଇଥିଲେ।

ସମ୍ବଲପୁରୀ ଲେଖକ ପରିଷଦର ସମ୍ପାଦକ ଦେବାର୍ଚ୍ଚନ ଠାକୁର ସ୍ୱାଗତ ଭାଷଣ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ତାଙ୍କ ଅଭିଜ୍ଞତା ବଖାଣିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଯତୀନ୍ଦ୍ର ପ୍ରଧାନ। ଏହି ଅବସରରେ ମାନସ ରଞ୍ଜନ ଷଡଙ୍ଗୀ ସତ୍ୟନାରାୟଣ ବହିଦାରଙ୍କ କବିତାକୁ ଗାନ କରିଥିଲେ। ଡ. ସିଦ୍ଧାର୍ଥ ପଣ୍ଡା, ସୁକାନ୍ତ କର ଓ ଗୋବିନ୍ଦ ମହାରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.