Home ଜିଲ୍ଲା ପରିକ୍ରମା ଭାରତୀୟ ପ୍ରଶାସନିକ ସେବା ପରକ୍ଷୀରେ କୃତିତ୍ୱ ହାସଲ କରିଥିବା ୩ ଜଣଙ୍କୁ ସମ୍ବର୍ଦ୍ଧିତ, ସଫଳତା ଆତ୍ମବିଶ୍ୱାସ...

ଭାରତୀୟ ପ୍ରଶାସନିକ ସେବା ପରକ୍ଷୀରେ କୃତିତ୍ୱ ହାସଲ କରିଥିବା ୩ ଜଣଙ୍କୁ ସମ୍ବର୍ଦ୍ଧିତ, ସଫଳତା ଆତ୍ମବିଶ୍ୱାସ ଓ ଏକାଗ୍ରତାରୁ ଜନ୍ମନିଏ – ଜିଲାପାଳ

71

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ଭଦ୍ରକର ମାଟିର ଗର୍ବ ଓ ଗୌରବ କସ୍ତୁରୀ ପଣ୍ଡା, ଶୋଭାଙ୍ଗୀ ଖୁଣ୍ଟିଆ ଓ ରାକେଶ ସାହୁଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବ ‘ସାଫଲ୍ୟ ପର୍ବ’ ଜରିଆରେ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରୟାସରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସହ ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବା ୩ ଜଣଙ୍କ ପିତା ଯୋଗ ଦେଇଥିଲେ । ଏହି ଉତ୍ସବର ଏକ ମହତ୍ ଉଦ୍ଦେଶ୍ୟ ଥିଲା ଜିଲାର ମ୍ୟାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା । ଏହାବ୍ୟତୀତ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଦୁଇ ଝିଅଙ୍କ ଅଭିଜ୍ଞତାରୁ ମେଧାବୀ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଠନ କରିବା ଉତ୍ସବର ଅନ୍ୟ ଏକ ଦିଗ ଥିଲା । ବିଧାୟକ ଶ୍ରୀ ମଲ୍ଲିକଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜିଲାପାଳ ଶ୍ରୀ ବୋନ୍ଦର କହିଲେ ଯେ ଶୃଙ୍ଖଳିତ ଜୀବନ ଓ ଦୃଢ ମନୋବଳ ଛାତ୍ରଛାତ୍ରୀଙ୍କୁ ଆଗକୁ ଟାଣିନେଇଥାଏ । ନିଜର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଭଦ୍ରକ ମାଟିର ୩ ସନ୍ତାନ ଆଜି ସଫଳତାର ଶୀର୍ଷରେ ପହଞ୍ôଚ ପାରିଛନ୍ତି । ପରେ ସେ ନିଜର କ୍ୟାରିୟର ଅଭିଜ୍ଞତା ସଂପର୍କରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ବଖାଣିଥିଲେ । ସେ କହିଥିଲେ ମୁଁ ଏକ ସରକାରୀ ସ୍କୁଲରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲି ।

ସଫଳତା ନିଜର ଆତ୍ମବିଶ୍ୱାସରୁ ଆସେ ଓ ଆତ୍ମବିଶ୍ୱାସ ନିଜର ଏକାଗ୍ରତାରୁ ଜନ୍ମ ନିଏ । ମ୍ୟାଟ୍ରିକ୍ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ ଯେ ଏବେଠାରୁ ତମର ଯାତ୍ରା ଆରମ୍ଭ ହେଲା । ଆଗେଇବାକୁ ଉଦ୍ୟମ ଜାରି ରଖ । ଏସ୍‌ପି ଶ୍ରୀ ଗୁଣ୍ଟୁପାଲି ନିଜର କ୍ୟାରିୟରର ଅଭିଜ୍ଞତା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ରଖିବା ସହ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଶୁଭକାମନା ଜଣାଇଥିଲେ । ଭାରତୀୟ ପ୍ରଶାସନିକ ସେବାରେ ୬୭ତମ ର‌୍ୟାଙ୍କରେ ଥିବା କସ୍ତୁରୀ ପଣ୍ଡାଙ୍କ ପିତା ତଥା ସୁଡାର ଡାଇରେକ୍ଟର ସାରଦା ପଣ୍ଡା କହିଲେ ଯେ ଆଜି ଭଦ୍ରକରେ ଯେଉଁ ସାଫଲ୍ୟ ପର୍ବର ଆୟୋଜନ କରାଯାଇଛି, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ଉତ୍ସବରେ ମୁଁ ଜିଲାବାସୀଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମୋତେ ସୁଯୋଗ ମିଳିଛି ବୋଲି କହିଥିଲେ । ସେ ଆହୁରି କହିଲେ ଯେ ଉଚ୍ଚଶିକ୍ଷିତ ହେବାପାଇଁ ଏବେ ରାଜ୍ୟରେ ବହୁ ସୁଯୋଗ ରହିଛି । ୨୦ ବର୍ଷର ତଳର ଆମ ରାଜ୍ୟ ଏବେ ସବୁ କ୍ଷେତ୍ରରେ ଆଗୁଆ ରହିଛି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି । ଏହି ରାଜ୍ୟର ଯୋଗ୍ୟ ଛାତ୍ରଛାତ୍ରୀମାନେ ଆଜି ଦେଶ ବିଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡ଼ିଶାର ଗୌରବ ଆଣିଦେଇଛନ୍ତି । ଦାରିଦ୍ର‌୍ୟ ପାଠପଢାରେ ପ୍ରତିବନ୍ଧକ ସାଜେ ନାହିଁ । ଏଣୁ ପିଲାମାନେ ନିଜର ନିଷ୍ଠା ଓ କଠିନ ପରିଶ୍ରମ ସହ ଏବେକାର ଟେକ୍‌ନୋଲୋଜିକୁ ସଦୁପଯୋଗ କରି କୃତିତ୍ୱ ହାସଲ ପାଇଁ ଆହ୍ୱାନ ଦେଇଥିଲେ । ସେ ପୁଣି କହିଥିଲେ ଯେ ଶିକ୍ଷା ରାଜ୍ୟ ଓ ଦେଶର ପରିବର୍ତ୍ତନ ଆଣେ । ପ୍ରକାଶଯୋଗ୍ୟ ଏହି ଉତ୍ସବରେ ଭାରତୀୟ ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବା ରାକେଶ ସାହୁ ଅନୁପସ୍ଥିତ ଥିଲେ । ଅନୁଷ୍ଠିତ ଉତ୍ସବରେ କସ୍ତୁରୀ ଓ ଶୋଭାଙ୍ଗୀ ଓ ତାଙ୍କର ପିତାମାତାଙ୍କୁ ବିଧାୟକ, ଜିଲାପାଳ ଓ ଏସ୍‌ପି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉପସ୍ଥିତ ମ୍ୟାଟ୍ରିକ୍ ପ୍ରତିଭାଧାରୀ ଛାତ୍ରଛାତ୍ରୀମାନେ କସ୍ତୁରୀ ଓ ଶୋଭାଙ୍ଗୀଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ଦିଗଦର୍ଶନ ପାଇବାର ସୁଯୋଗ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.