Home ଜିଲ୍ଲା ପରିକ୍ରମା ଭାଟପଡା ପଞ୍ଚାୟତରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା , ସମଗ୍ର ଜିଲାବ୍ୟାପୀ ହେବ ଆନ୍ଦୋଳନ –...

ଭାଟପଡା ପଞ୍ଚାୟତରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା , ସମଗ୍ର ଜିଲାବ୍ୟାପୀ ହେବ ଆନ୍ଦୋଳନ – ମନମୋହନ

49

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଭାଟପଡ଼ା ପଞ୍ଚାୟତରେ ଗତ ୫ ବର୍ଷ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା ହୋଇଛି । ସୂଚନା ଅଧିକାର ଆଇନ ବଳରେ ସଂଗୃହିତ ତଥ୍ୟ ଅନୁଯାୟୀ ପଞ୍ଚାୟତରେ ବହୁ ପ୍ରକଳ୍ପର ବିନା କାମରେ ବିଲ୍ କରାଯାଇ ଟଙ୍କା ହଡ଼ପ ହୋଇଛି । କେତେକ କାମ ପାଇଁ ବହୁବାର ଟଙ୍କା ଅନୁମୋଦନ ହୋଇ ବିଲ ଉଠାଣ ହୋଇଛି । ଏହାର ସମ୍ପୂର୍ଣ୍ଣ ତଥ୍ୟଗତ ପ୍ରମାଣ ରହିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଏହାକୁ ନେଇ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ଧାରଣା ଓ ପରେ ଅନଶନ ଜାରି ରହିଥିଲେ ମଧ୍ୟ ଶାସକ ଦଳର ନେତାଙ୍କ ଚାପରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁନାହିଁ । ଯେଉଁ ପ୍ରଶାସନିକ ଅଧିକାରୀ ପଦକ୍ଷେପ ନେବାର ପ୍ରତିଶୃତି ଦେଲେ, ତାଙ୍କୁ ମଧ୍ୟ ବଦଳି କରାଗଲା । ସ୍ଥାନୀୟ ବିଧାୟକ ରାଜ୍ୟ ଯୁବ ବିଜେଡ଼ିର ସଭାପତି ଥିବା ବେଳେ ଭାଟପଡ଼ା ପଞ୍ଚାୟତର ସରପଞ୍ଚ ବ୍ଲକ ଯୁବ ବିଜେଡ଼ି ସଭାପତି । ଉଭୟଙ୍କ ସଲାସୁତରାରେ ପଞ୍ଚାୟତରେ ହରିଲୁଟ ଚାଲିଛି । ଏହି ହରିଲୁଟ ଯେ କେବଳ ଭାଟପଡ଼ା ପଞ୍ଚାୟତରେ ହୋଇଛି ତାହା ନୁହେଁ, ସମଗ୍ର ଜିଲ୍ଲାର ପ୍ରତି ପଞ୍ଚାୟତରେ ବିଜେଡ଼ି ଏହିଭଳି ଦୁର୍ନୀତି କରି ଚାଲିଛି । ଯାହା ପାଇଁ ଆଗାମୀ ଦିନରେ ଚାନ୍ଦବାଲିରେ ଚାଲିଥିବା ଆନ୍ଦୋଳନକୁ ଜିଲ୍ଲାସ୍ତରକୁ ଆଣି ବିଜେପି ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ଚାନ୍ଦବାଲିର ବିଜେପି ନେତା ମନମୋହନ ସାମଲ ଚେତାବନୀ ଦେଇଛନ୍ତି ।

ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ପୌରୋହିତ୍ୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀ ସାମଲ ତଥ୍ୟଗତ ପ୍ରମାଣ ଦେଇ କହିଥିଲେ କି ଏହି ପଞ୍ଚାୟତର ଦୋଳମଣ୍ଡପ ଠାରୁ ଭାଟପଡ଼ା ପର୍ଯ୍ୟନ୍ତ ପାଇପ୍ ଲାଇନ କାମ ପାଇଁ ୪ ଲକ୍ଷ ୧୭ହଜାର ୯୫୦ଟଙ୍କା ବିଲ ପେମେଣ୍ଟ ହୋଇଥିଲେ ବି କୌଣସି କାମ ହୋଇ ନାହିଁ । କମ୍ୟୁନିଟି ସେଣ୍ଟର ନାମରେ ନାଉଗରଡା ପାଟଣା କମ୍ୟୁନିଟି ସେଣ୍ଟର, ଉଗ୍ରତାରା କମ୍ୟୁନିଟି ସେଣ୍ଟର, ଅବଧୂତ ଧାମ କମ୍ୟୁନିଟି ସେଣ୍ଟର, ବ୍ରହ୍ମା ବିଷ୍ଣୁ ମହେଶ୍ୱର କମ୍ୟୁନିଟି ସେଣ୍ଟର, ତିନିଘରିଆ କମ୍ୟୁନିଟି ସେଣ୍ଟର ଭଳି ବହୁ କମ୍ୟୁନିଟି ସେଣ୍ଟର, ମନ୍ଦିର, ଭାଗବତ ଟୁଙ୍ଗି, କ୍ଳବ ଘର ଆଦି ନାମରେ ବିଲ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି । ସେହିଭଳି ଭଉଁରୀ ଶ୍ମଶାନ ଘାଟ, ତେଲିପୋଖରୀ ଡ୍ରେସ ଚେଞ୍ଜିଙ୍ଗ୍ ରୁମ୍‌, ପଞ୍ଚାୟତକୁ ଡଷ୍ଟବିନ୍ ଯୋଗାଣ, ଷ୍ଟ୍ରିଟ ଲାଇଟ ସ୍କାମ, ଦୋଳ ମଣ୍ଡପ ଖେଳ ପଡ଼ିଆ ଉନ୍ନତିକରଣ, ଡ୍ରେନ ନିର୍ମାଣ, ଭାଟପଡ଼ା ପଞ୍ଚାୟତ ଗେଟ୍ ନିର୍ମାଣ, ରତ୍ନେଶ୍ୱର ମନ୍ଦିର ଗେଟ ନିର୍ମାଣ ଭଳି ବହୁ କାର୍ଯ୍ୟର ମିଥ୍ୟା ବିଲ କରାଯାଇ ଟଙ୍କା ହଡ଼ପ ହୋଇଛି ବୋଲି ଶ୍ରୀ ସାମଲ ଅଭିଯୋଗ କରି ପ୍ରକାଶ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରି ପ୍ରକୃତ ସତ୍ୟ ପ୍ରକାଶ ନକରନ୍ତି ତେବେ ବିଜେପି ଦଳ ଜିଲ୍ଲାସ୍ତରୀୟ କମିଟିର ନିଷ୍ପତି ମୂଳେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି ଗଣମାଧ୍ୟମ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ଜିଲ୍ଲା ସମ୍ପାଦିକା ମାଳତୀଲତା ସାହୁ, କାହ୍ନୁ ଚରଣ ବେହେରା, ବିଶ୍ୱକେଶରୀ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଣି, କିଶୋର ଚନ୍ଦ୍ର ନାୟକ, ଅଶୋକ ରାଉଳ, ଜଗନ୍ନାଥ ଦାଶ, ଶରତ ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.