Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ମନୁଷ୍ୟାକୃତ ପାନୀୟ ଜଳ ସମସ୍ୟାର ଉତ୍କଟ ରୂପ ନେଇଛି, ବିଭାଗୀୟ ଉଚ୍ଚ ପଦାଧିକାରୀ...

ଭଦ୍ରକ ସହରରେ ମନୁଷ୍ୟାକୃତ ପାନୀୟ ଜଳ ସମସ୍ୟାର ଉତ୍କଟ ରୂପ ନେଇଛି, ବିଭାଗୀୟ ଉଚ୍ଚ ପଦାଧିକାରୀ ଓ ପ୍ରଶାସନ ବିରୁଦ୍ଧରେ ବିଶୋଦଗାର କଲା ‘ଲୋ ଲ୍ୟାଣ୍ଡ ଇନ୍ ହେବିଟାଣ୍ଟ ଅଫ୍ ଭଦ୍ରକ’

18

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ଏକ ସମ୍ବେଦନଶୀଳ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଭାବେ ପରିଚିତ ଭଦ୍ରକରେ ମନୁଷ୍ୟାକୃତ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ଆକାର ଧାରଣ କରିଛି । କାରଣ ଅମୃତ ଯୋଜନା ଓ ଦୀର୍ଘଦିନରୁ ଜଳ ପରିମଳ ବିଭାଗ ଦ୍ୱାରା ସହରବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଏବେ ବିଷାକ୍ତ ପାଲଟିଛି । ନିମ୍ନମାନର ପାଇପ୍ ଯୋଗାଣ ତଥା ଡ୍ରେନେଜ୍‌ର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ଶୁଦ୍ଧ ଜଳ ସହରର ଅନେକ ସ୍ଥାନରେ ନିମ୍ନମାନର ପାଇପ୍ ଦ୍ୱାରା ନିଷ୍କାସିତ ହେଉଥିବାବେଳେ ଅନେକ ସ୍ଥାନରେ ଅପରିଷ୍କୃତ ନାଳ ନର୍ଦ୍ଦମା ଜଳ ଫଟା ପାଇପ୍ ମଧ୍ୟକୁ ପ୍ରବେଶ କରି ଲୋକଙ୍କୁ ବିଭିନ୍ନ ରୋଗରେ ପୀଡିତ କରାଉଛି । ବିଶେଷକରି ଭଦ୍ରକ ସହର ଏକ ସଂଖ୍ୟାଲଘୁ ବହୁଳ ଅଂଚଳ ଅଟେ । ପୌରପାଳିକାରେ ବସବାସ କରୁଥିବା ଅଧିକାଂଶ ଲୋକଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଥିବାରୁ ସେମାନେ ଏଭଳି ଉଦ୍‌ବେଗ ଜନକ ପରିସ୍ଥିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁନାହାଁନ୍ତି । ଯେଉଁଥିପାଇଁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଅମୃତ ଯୋଜନା ଭଳି ଏକ ଜନହିତକାରୀ କାର୍ଯ୍ୟକୁ ହାତକୁ ନେଇଥିବା କେତେକ ଅସାଧୁ ଘରୋଇ କଂପାନୀ, ପ୍ରଶାସନ ଓ ଜନନେତାଙ୍କ ଇଚ୍ଛାଶକ୍ତିର ଅଭାବରୁ ସହରବାସୀ ନିଜ ଅଜାଣତରେ ବିଶୁଦ୍ଧ ପାନୀୟ ଜଳ ବଦଳରେ ବିଷାକ୍ତ ଜଳ ପାନକରି ମୃତ୍ୟୁମୁଖକୁ ଠେଳି ହୋଇଯାଉଛନ୍ତି ବୋଲି ଆଜି ଲୋ ଲ୍ୟାଣ୍ଡ ଇନ୍ ହେବିଟାଣ୍ଟ ଅଫ୍ ଭଦ୍ରକ ସଂସ୍ଥା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ସଲାମ ଭାଇ, ପବନ କୁମାର ବାଗାଡିଆ ଓ ତାଜ୍ ମହମ୍ମଦ ଖାନ୍ ପ୍ରମୁଖ ଅଭିଯୋଗ କରିଛନ୍ତି ।

ଭଦ୍ରକର ବାଇପାସ୍‌ସ୍ଥିତ ସୋସାଇଟ ଫର ଉଇକର କମ୍ୟୁନିଟିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ସେଭ୍ ଡ୍ରିଙ୍କିଂ ୱାଟରର ନାରା କିଭଳି ଭଦ୍ରକ ସହରରେ ବିଫଳ ହୋଇ ଏକ ପ୍ରହସନରେ ପରିଣତ ହୋଇଛି, ସେ ସଂପର୍କରେ ସୂଚନା ଦେଇଥିଲେ । ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ପାନୀୟ ଜଳ ଯୋଗାଣ ନେଇ ସରକାରଙ୍କର ଯେଉଁ ଅମୃତ ଯୋଜନା ୨-୩ ବର୍ଷ ହେବ କାର୍ଯ୍ୟକାରୀ ହୋଇଚାଲିଛି, ତାହା ଏଭଳି ନିମ୍ନମାନର ଯେ କେଉଁଠି ପାଇପ୍ ଭାଙ୍ଗି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛ ତ କେଉଁଠି ପାଇପ୍ ଫାଟି ନାଳନର୍ଦ୍ଦମାର ପାଣି ତା ଭିତରେ ପ୍ରବେଶ କରୁଛି । ଏ ସଂପର୍କରେ ସ୍ଥାନୀୟ ଜନସାଧାରଣଙ୍କ ବାରମ୍ବାର ଅଭିଯୋଗକୁ ବିଭାଗୀୟ ପଦାଧିକାରୀ ଓ ଜିଲା ପ୍ରଶାସନ ଅଣଦେଖା କରିଚାଲୁଥିବାରୁ ଏବେ ବାଧ୍ୟହୋଇ ‘ଲୋ ଲ୍ୟାଣ୍ଡ ଇନ୍ ହେବିଟାଣ୍ଟ ଅଫ୍ ଭଦ୍ରକ’ ସଂସ୍ଥା ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁହଁ ଖୋଲିଲା ବୋଲି କହିଛନ୍ତି । ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କେବଳ ଏହି ସମସ୍ୟା ଲୋକଙ୍କୁ ବିଚଳିତ କରିନାହିଁ, ଏତଦ୍‌ବ୍ୟତୀତ ପୌରପାଳିକା ପକ୍ଷରୁ ସହରରେ ଥିବା ବହୁ ପୁରାତନ କୂଅ ପୋଖରୀକୁ ପୋତିଦିଆଯିବା ସହ ରାସ୍ତାପାଶ୍ୱର୍ରେ ଲଗାଯାଇଥିବା ପୁରାତନ ବୃକ୍ଷଗୁଡିକୁ ସହରର ସୌନ୍ଦର୍ଯୀକରଣ ନାମରେ କାଟିଦିଆଯିବା ଫଳରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ଫଳରେ ସହରର ବହୁ ନଳକୂପ ଏବେ ଅଚଳ ହେବାକୁ ବସିଲାଣି । ଏଣୁ ଏଭଳି ସମସ୍ୟାର ନିରାକରଣ ଦିଗରେ ବିଭାଗୀୟ ପଦାଧିକାରୀ, ପ୍ରଶାସନ, ଜନନେତା ଯଥାଶୀଘ୍ର ଆଶୁ ପଦକ୍ଷେପ ନେବାର ସମୟ ଆସିଛି ବୋଲି ଶ୍ରୀ ବାଗିଡିଆ ଓ ତାଜ ମହମ୍ମଦ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.