Home ଜିଲ୍ଲା ପରିକ୍ରମା ଭଦ୍ରକ ମୁଖ୍ୟାଳୟରେ କାନ୍ତକବି ସ୍ମାରକୀ ନିର୍ମାଣ କେବେ!, ପ୍ରତିବାଦରେ ଚଳିତବର୍ଷ ଜୁଲାଇ ୨୦ ରୁ କାନ୍ତପ୍ରେମୀମାନେ...

ଭଦ୍ରକ ମୁଖ୍ୟାଳୟରେ କାନ୍ତକବି ସ୍ମାରକୀ ନିର୍ମାଣ କେବେ!, ପ୍ରତିବାଦରେ ଚଳିତବର୍ଷ ଜୁଲାଇ ୨୦ ରୁ କାନ୍ତପ୍ରେମୀମାନେ ରାସ୍ତାକୁ ଓହ୍ଲାଇବେ – କାନ୍ତକବି ମଞ୍ଚ ଓଡ଼ିଶା ପ୍ରଦେଶ

18

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୨୦ ମସିହା ଜୁନ୍ ପ୍ରଥମ ସପ୍ତାହରେ କାନ୍ତକବି ମଂଚ ଓ କାନ୍ତପ୍ରେମୀମାନଙ୍କ ପକ୍ଷରୁ ଭଦ୍ରକ ମୁଖ୍ୟାଳୟରେ ଏକ କାନ୍ତକବି ସ୍ମାରକୀ ନିର୍ମାଣ ପାଇଁ ଆନ୍ଦୋଳନ ଜରିଆରେ ସରକାରଙ୍କ ଠାରେ ଦୃଢ ଦାବି ଉପସ୍ଥାପନ ପରେ ସେହିବର୍ଷ ଜୁନ୍ ୭ ତାରିଖରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ କୁ ପ୍ରଥମେ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରାଯାଇଥିଲା। ଏବଂ ସେହିବର୍ଷ ଜୁନ୍ ୧୧ ତାରିଖରେ ୧ କୋଟି ୫୦ ଲକ୍ଷ ବ୍ୟୟରେ ଭଦ୍ରକ ଜିଲା ମୁଖ୍ୟାଳୟରେ ପାର୍କ, ନାଟ୍ୟ ମଣ୍ଡପ, ଲାଇବ୍ରେରୀ ଇତ୍ୟାଦି ସ୍ଥାନିତ ହୋଇ ଏକ ସ୍ମାରକୀର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ୨୦୨୦ ମସିହା ଡିସେମ୍ବର ୯ ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲାଗି ରାଜ୍ୟ ସରକାରଙ୍କ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧିବଦ୍ଧ ଘୋଷଣା କରିଥିଲେ। ମାତ୍ର ଉକ୍ତ ଘୋଷଣାକୁ ଆଜିର ତାରିଖ ସୁଦ୍ଧା ୨ ବର୍ଷ ସଂପୂର୍ଣ୍ଣ ହେଉଥିଲେ ମଧ୍ୟ ଏଯାବତ୍ ଜିଲା ମୁଖ୍ୟାଳୟରେ ସେଭଳି କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ଦିଗରେ କାନ୍ତକବି ମଂଚ, ଓଡ଼ିଶା ପ୍ରଦେଶ ପକ୍ଷରୁ ଗତ ୨ ବର୍ଷ ଧରି ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛିବି ଫଳାଫଳ ମିଳିନାହିଁ।

ଏଣୁ ଏହାର ପ୍ରତିବାଦରେ ଆଜି ଭଦ୍ରକ ସହରର ଭାଗବତ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାରଙ୍କ ଉପରୋକ୍ତ ଘୋଷଣାର ଠିକ୍ ୨ ବର୍ଷ ପୂର୍ତ୍ତି ଅବସରରେ ମଂଚର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମଂଚର ରାଜ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ସାମାଜିକ କର୍ମୀ ସୋନାଲି କିନ୍ନର ଓ ଯୁବ ସଂଗଠକ ସୁଧୀର ଦ୍ୱିବେଦୀ ଉପସ୍ଥିତ ରହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମଂଚର ଅଭିଯୋଗ ମୂଳେ ଜିଲା ପ୍ରଶାସନ, ଭଦ୍ରକ ବିଧାୟକ ଓ ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀ ତଥା ପଦାଧିକାରୀମାନଙ୍କ ସହିତ ଗତ ୨ ବର୍ଷରେ ଏକାଧିକ ବାର ଘୋଷଣାର ଅଗ୍ରଗତି ବାବଦରେ ଆଲୋଚନା ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ସବୁଠାରୁ ଦୁଃଖର ବିଷୟ ତତ୍‌କାଳୀନ ଜିଲାପାଳ ଡ. ଜ୍ଞାନ ଦାସ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଏକ ମେମୋରିଆଲ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୪ ଏକର ଜମି ଚିହ୍ନଟ ହୋଇଥିବା ବିଷୟ ନିଜର ଟ୍ୱିଟ୍ ମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ବର୍ତ୍ତମାନର ଜିଲାପାଳ ତ୍ରିଲୋଚନ ମାଝୀ ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଙ୍କର ପତ୍ର ନଂ ୪, ତା ୦୫.୦୧.୨୨ ରିଖ ମୂଳେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ବ୍ରୋଞ୍ଚ ପ୍ରତିମୂର୍ତ୍ତି ନିର୍ମାଣ ସରିଛି, ତାହାର ସ୍ଥାପନା ନିମନ୍ତେ ତହସିଲଦାରଙ୍କ ସହ ପରାମର୍ଶ କ୍ରମେ ଜିଲା ସଦର ମହକୁମାରେ ଏକ ପ୍ରମୁଖ ସ୍ଥାନ ନିର୍ମାଣ ପାଇଁ ପତ୍ର ଲେଖିଛନ୍ତି।

ଏବଂ ଏ ଦିଗରେ ପଦକ୍ଷେପ ନେଇ ସ୍ଥାନ ନିରୂପଣ କଲେ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ପିଣ୍ଡି ନିର୍ମାଣ ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସୂଚାଇଛନ୍ତି। ଏବଂ ଏହାର ଏକକିତା ନକଲ ଜ୍ଞାପନ ସଂଖ୍ୟା ୫ ମୂଳେ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ତେଣୁ ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଜଣେ ଜିଲାପାଳ ୪ ଏକର ଜମି ସ୍ଥାନ ନିରୂପଣ ହୋଇଥିବା ବିଷୟ ସୂଚାଇଥିବାବେଳେ ବର୍ତ୍ତମାନର ଜିଲାପାଳ କେଉଁ ପରିପ୍ରେକ୍ଷୀରେ ପୁନର୍ବାର ସ୍ଥାନ ନିରୂପଣ ପାଇଁ ପତ୍ର ଲେଖିଛନ୍ତି। ଏଣୁ ଏହା ଏକ ପ୍ରହସନ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମଂଚ ପକ୍ଷରୁ ଅଭିଯୋଗ କରାଯିବା ସହ ଏ ଦିଗରେ ବାଧ୍ୟହୋଇ ପୁଣି ଥରେ ଜନ ଜାଗରଣ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଆଜିଠାରୁ ମଂଚ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଲେଖାଯାଇ ଏହି ପ୍ରକ୍ରିୟା ଜୁଲାଇ ୧୯ ଯାଏ ଚାଲୁ ରହିବ। ୨୦ ଜୁଲାଇ ଭଦ୍ରକ ମୁଖ୍ୟାଳୟ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ଶାନ୍ତିପୂର୍ଣ୍ଣ ଗଣଧାରଣା କାର୍ଯ୍ୟକ୍ରମ ଓ ଦସ୍ତଖତ ଅଭିଯାନ ଗୁଡିକ ସ୍ମାରକୀ ନିର୍ମାଣ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲୁରହିବ ବୋଲି ମଂଚପକ୍ଷରୁ ସମସ୍ତ ସଂଗଠକମାନେ ଏକ ମିଳିତ ପ୍ରେସ୍ ବିବୃତ୍ତି ଜରିଆରେ ଗଣମାଧ୍ୟମ ଓ ଜିଲା ପ୍ରଶାସନକୁ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.