Home ଜିଲ୍ଲା ପରିକ୍ରମା ଭଦ୍ରକ : ବନ୍ଧୁ ସାଜିଲା ବଇରୀ

ଭଦ୍ରକ : ବନ୍ଧୁ ସାଜିଲା ବଇରୀ

63

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଏ ବନ୍ଧୁଟିଏ କରେ ସୁବିଧା ଅସୁବିଧାରେ ପାଖରେ ଠିଆ ହେବାକୁ, ହେଲେ ଆଜିକାଲିକା ବନ୍ଧୁ କିପରି ସରୁ କଥା କହି ଚିତା କାଟିଛନ୍ତି, ତାହା ଏବେ ଏ ଅଂଚଳରେ ଆଲୋଚନାର ବିଷୟ ହୋଇଛି । ସୂଚନା ଅନୁସାରେ ନିଆଜପୁର, ପୁରୀର ବାସିନ୍ଦା ଲକ୍ଷ୍ମଣ ଦଳାଇ ରାଣୀତାଲସ୍ଥିତ ଭାରତୀୟ ଖାଦ୍ୟ ନିଗମରେ ଚାକିରୀ କରିଥିଲେ । ଚାକିରୀ ଜୀବନ ମଧ୍ୟରେ ଭଲ ସାଙ୍ଗଟିଏ ପାଇଥିଲେ ଚରମ୍ପା ଅଂଚଳର ବସନ୍ତ କୁମାର ବିଶ୍ୱାଳ । ଏକା ସାଙ୍ଗରେ ଅଫିସ୍ ଯିବା, ଏକା ସାଙ୍ଗରେ ବସି ଦୁଃଖସୁଖ ହେବା ଥିଲା ଦୁଇବନ୍ଧୁଙ୍କର ନୀତିଦିନିଆ ଜୀବନ । ଏହା ମଧ୍ୟରେ ଦୁଇ ସାଙ୍ଗ ଜାନୁଆରୀ ୩୧ ତାରିଖରେ ଅବସର ନେଲେ । ଅବସରର କିଛଦିନ ପରେ ନିଜର ପେନସନ ତଥା ଯାବତୀୟ କାମ ପାଇଁ ମୁଖ୍ୟ କାର୍ଯ୍ୟାଳୟ କଲିକତା ଯିବାକୁ ଦୁହେଁ ସ୍ଥିର କଲେ । ହେଲେ ପରଦିନ ବସନ୍ତ ଆସି ଏକା ଯିବାକୁ କହିଲେ ଓ ଲକ୍ଷ୍ମଣଙ୍କର କାମ କରିଦେବେ ବୋଲି କହିଲେ । ସରଳ ବିଶ୍ୱାସୀ ଲକ୍ଷ୍ମଣ ବନ୍ଧୁର ଛନ୍ଦକପଟ ବୁଝି ନପାରି ବନ୍ଧୁ କହିବା ମୁତାବକ ସବୁ କାଗଜପତ୍ରର ସହ ଏକ ଦସ୍ତଖତ ଥିବା ଚେକ୍ ତାଙ୍କୁ ଦେଇଥିଲେ । ବନ୍ଧୁ ବସନ୍ତ କଲିକତା ଯାଇ ନିଜର ତଥା ନିଜ ବନ୍ଧୁର ଅଫିସ୍ କାମ କରିଆସିଲେ । ତାର କିଛିଦିନ ପରେ ଲକ୍ଷ୍ମଣଙ୍କ ଏସ୍‌ବିଆଇ ଆକାଉଣ୍ଟକୁ ଟଙ୍କା ଆସିବାରୁ ସେ ଖୁସି ହୋଇ ବନ୍ଧୁ ବସନ୍ତଙ୍କୁ ଡାକି ଖୁଆଇ ପିଆଇ ଚର୍ଚ୍ଚା କଲେ । ହେଲେ ବନ୍ଧୁ ଟଙ୍କା ଆସିବା କଥା ଜାଣିବା ପରେ ଆଗରୁ ରଖିଥିବା ଦସ୍ତଖତ ଚେକ୍ ମାଧ୍ୟମରେ ଲକ୍ଷ୍ମଣଙ୍କ ଆକାଉଣ୍ଟରୁ ଗତ ଫେବୃୟାରୀ ୧୯ ତାରିଖରୁ ୭ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଯାହାକି ଲକ୍ଷ୍ମଣ ନିଜ ବ୍ୟାଙ୍କ ଖାତା ଅପଡେଟ୍ କରିବାକୁ ଆସି ଏହି ବିଷୟ ଜାଣି ପ୍ରତିନିଧିଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ । ଅବସର ଟଙ୍କାରେ ଆଗକୁ ଗୋଟିଏ ଝିଅ ଓ ଦୁଇ ପୁଅର ବାହାଘର କରିବାକୁ ସ୍ୱପ୍ନ ଦେଖିଥିବା ଲକ୍ଷ୍ମଣ ଏବେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ପ୍ରତ୍ୟକ୍ଷ ଭାବେ ଏହି କେଶ୍‌ଟିକୁ ବୁଝୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.