Home ଓଡ଼ିଶା ଚାହିଦା ବୃଦ୍ଧି ସାଙ୍ଗକୁ ଲୁହାପଥର ଚୋରା ଚାଲାଣ ବୃଦ୍ଧି ପାଉଛି, ଖଣି ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରୀୟ...

ଚାହିଦା ବୃଦ୍ଧି ସାଙ୍ଗକୁ ଲୁହାପଥର ଚୋରା ଚାଲାଣ ବୃଦ୍ଧି ପାଉଛି, ଖଣି ବିଭାଗ ସମ୍ପୂର୍ଣ୍ଣ ନିଷ୍କ୍ରୀୟ ; ପୃଥକ ଘଟଣାରେ ୬ ଟ୍ରଲର ଜବତ, ୧୧ ଗିରଫ, ନଗଦ ୮୦ ହଜାର ଜବତ

24

ଯୋଡା,୩୦ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଆନ୍ତର୍ଜାତିକ ବଜାରରେ ଲୁହାପଥର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହା ସାଙ୍ଗକୁ ତାଳ ଦେଇ କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଆନ୍ତଃରାଜ୍ୟ ଲୁହାପଥର ତସ୍କରଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ସୁନ୍ଦରଗଡ ଜିଲ୍ଲା କୋଇଡା, କେନ୍ଦୁଝର ଜିଲ୍ଲାର ବଡବିଲ, ଯୋଡା, ବାମେବାରୀ ଏବେ ଖଣି ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି । ବାରମ୍ବାର ବିପୁଳ ପରିମାଣରେ ଲୁହାପଥର ଜବତ ହୋଇଥିଲେ ମଧ୍ୟ ଖଣି ବିଭାଗ ନିଷ୍କ୍ରୀୟତା ଆନ୍ତଃରାଜ୍ୟ ଲୁହାପଥର ତସ୍କରିକୁ ରୋକିବାରେ ବ୍ୟର୍ଥ ହୋଇଥିବା ଜଣାପଡିଛି । ଗତ ଗୁରୁବାର ଦିନ ବିଳମ୍ବିତ ରାତ୍ରୀରେ ବାଂଶପାଣି ଟୁଲଗେଟ ନିକଟରୁ ଯୋଡା ପୁଲିସ ୫ଟି ଚୋରା ଲୁହାପଥର ଟ୍ରକ ଜବତ କରି ୨ଜଣ ଆସାମୀକୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଫେରାର ଥିବା ଅନ୍ୟ ଟ୍ରକ ଡ୍ରାଇଭର ଏବଂ ଏହି ଚୋରକାରବାର ମାଷ୍ଟରମାଇଣ୍ଡ କୁହାଯଉଥିବା ୫ଜଣଙ୍କୁ ଗିରଫ କରାଯାଇଛି । ସେମାନେହେଲେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଆସିଫ୍ ଅନଶାରି, ଶଶିକାନ୍ତ ବିନ୍ଧାଣୀ, ବାମେବାରୀ ପଳସାର ସୁରେଶ କୁମାର ବାରି, ସପନ କୁମାର ବାରିକ୍‌, ଝାରଖଣ୍ଡ ଜଗନ୍ନାଥପୁରର ସୁବ୍ରତ ପ୍ରଧାନ । ତାଙ୍କର ପାଖରୁ ପୁଲିସ ନଗଦ ୮୦ ହଜାର ଟଙ୍କା, ମୋବାଇଲ ଫୋନ, ଗୋଟିଏ ବାଇକ ଏବଂ ଗାଡିର ନକଲି କାଗଜପତ୍ର ପୁଲିସ ଜବତ କରିଛି । ଏଥିରେ ବୋଝେଇ ଲୁହାପଥର ୨ଶହ ଟନ୍‌ର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଥିଲା । ପୁନଃର୍ବାର ରବିବାର ବିଳମ୍ବିତ ରାତ୍ରୀରେ ବାମେବାରୀ ପୁଲିସ ଅନୁରୂପ ୬ଟି ଲୁହାପଥର ବୋଝେଇ ବାହାର ରାଜ୍ୟର ଟ୍ରଲରକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନାରୁ ଜଣାପଡିଛି ଯେ, ହାଣ୍ଡିଭଙ୍ଗା ନିକଟରେ ଏକ ପୁରୁଣା କ୍ରସରରେ ପୂର୍ବରୁ ଗଚ୍ଛିତ ଥିବା ଲୁହାପଥର ଗୁଣ୍ଡକୁ ମାଫିଆମାନେ ବଡ ବଡ ଟ୍ରଲରରେ ବୋଝେଇ କରି ଭିସାକାପାଟନା ବନ୍ଦରକୁ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ଚଢୋଉ କରିଥିଲେ । ଫଳରେ କାଳିମାଟି ଛକ ନିକଟରୁ ୫ଟି ଟ୍ରଲର ଓ ଜୁରୁଡି ଛକ ନିକଟରୁ ଗୋଟିଏ ଟ୍ରଲର ଜବତ କରିବାରେ ସଫଳ ହୋଇଥିଲେ । ଜବତ ଟ୍ରଲର ଗୁଡିକ ହେଲା ଜିଜେ୦୧ଚିଜେଡ୍‌-୦୬୭୪, ୟୁପି୬୧ଏଟି-୩୨୩୮, ଆରଜେ୨୯ଜିଏ-୫୩୪୯, ଆରଜେ୦୨ଜିବି-୦୩୪୩, ଆରଜେ୦୨ଜିବି-୨୬୩୭, ସିଜି୦୭ବିସି-୦୧୨୮ । ଗିରଫ ଅଭିଯୁକ୍ତମାନେ ହେଲେ ଗାଡିର ଡ୍ରାଇଭର ଏମ୍‌ଡି ଆବାଦ, ମନୋଜ କୁମାର ୟାଦବ, ଯୋଗେନ୍ଦ୍ର ୟାଦବ, ସମୟା ଦିନ, କୁଲୁରାମ ୟାଦବ, ରାମପ୍ରସାଦ ୟାଦବ । ତେବେ ଏହି ଘଟଣାଟିରେ ମୁଖ୍ୟ ଦଲାଲ ଏବଂ ଟ୍ରକ ମାଲିକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇନାହିଁ । ଜବତ ଏହି ଉଚ୍ଚମାନର ଲୁହାପଥର ଗୁଣ୍ଡର ପରିମାଣର ୧୭୦ ଟନ୍ ହୋଇଥିବା ବେଳେ ବର୍ତ୍ତମାନ ବଜାର ଦର ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ବାମେବାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବାରମ୍ବାର ପୁଲିସର ଏହି ଚଢୋଉ ଫଳରେ କେବଳ ଡ୍ରାଇଭରମାନେ ଗିରଫ ହେଉଥିବା ବେଳେ ପ୍ରକୃତ ଆସାମୀକୁ ପୁଲିସ ଗିରଫ କରିପାରୁନଥିବାରୁ ଖଣି ଚୋରାକାରବାରକୁ ରୋକାଯାଇପାରିନାହିଁ । ଏହି ଚୋରା ଲୁହାପଥର ଗୁଣ୍ଡ ବିଭିନ୍ନ ବନ୍ଦରରୁ ବାହାର ଦେଶକୁ ଲୁହାପଥର ରପ୍ତାନୀ କରାଯାଉଥିବା ବେଳେ ରାଜ୍ୟ ତଥା ଦେଶ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡିଛି । ରାଜ୍ୟ ଭିତରର ଟ୍ରକ ଗୁଡିକୁ ଜିପିଏସ୍ ପଦ୍ଧତି ଅନିର୍ବାଜ୍ୟ କରାଯାଇଥିବା ବେଳେ ବାହାର ରାଜ୍ୟର ଟ୍ରଲର ପ୍ରତି ଏହାକୁ ଲାଗୁ କରାଯାଉନାହିଁ । ଖଣି ବିଭାଗର ଗୋଚରରେ ନକଲି ଟ୍ରାଞ୍ଜିଟ୍ ପାସ ତିଆରି କରାଯାଇ ଏହି ଲୁହାପଥର ଚୋରା ଚାଲାଣ କରାଯାଉଛି । ତେବେ ପ୍ରଶାସନ ଚୋରାକାରବାରକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.