Home ଜିଲ୍ଲା ପରିକ୍ରମା ଭଦ୍ରକ : ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ କୋଭିଡ୍ ନିୟମ ଧର୍ମକୁ ଆଖିଠାର, ଲୋକଙ୍କୁ ଭୁଆଁ ବୁଲାଇଲା...

ଭଦ୍ରକ : ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ କୋଭିଡ୍ ନିୟମ ଧର୍ମକୁ ଆଖିଠାର, ଲୋକଙ୍କୁ ଭୁଆଁ ବୁଲାଇଲା ପ୍ରଶାସନ

91

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ପାଳନରେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନର କାର୍ଯ୍ୟ ‘ଧର୍ମକୁ ଆଖିଠାର’ ଭଳି ହୋଇଛି । ଗୋଟିଏ ପଟେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କଡା ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ମନ୍ଦିର, ଧର୍ମାନୁଷ୍ଠାନ ଓ ନଦୀ-ପୁଷ୍କରଣୀ ଗୁଡିକରେ ୧୪୪ ଧାରା ଜାରି ହେଲା । ଯାହା ପ୍ରଶାସନର ସୂଚନା ମତେ ଗଣମାଧ୍ୟମରେ ପ୍ରକାଶ ପାଇଲା । ସାଧାରଣ ଲୋକେ ତାହା ଜାଣି ଅସନ୍ତୋଷ ମଧ୍ୟରେ ବି ମନକୁ ବୁଝାଇ ଚୁପ୍ ରହିଲେ । ମାତ୍ର ଆଜି ରାତି ପାହିଲା ପରେ ଦେଖିଲା ବେଳକୁ କେତେକ ମନ୍ଦିର ସାହାଣ ମେଲାରେ ଭିଡ ନିୟନ୍ତ୍ରଣ ବାହାରେ । କେବଳ ମା’ ଦକ୍ଷିଣେଶ୍ୱରୀ ଓ ବାଇପାସ୍ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଛାଡିଦେଲେ ଅନ୍ୟ ମନ୍ଦିର ଗୁଡିକର ଫାଟକରେ ସିନା ତାଲା, ହେଲେ ଗଳାବାଟରେ ଭକ୍ତଙ୍କ ଭିଡ ଖଚାଖଚ । ନଈରେ ବି ଡଙ୍ଗା ଭାସିଲା । କିନ୍ତୁ ସାଳନ୍ଦୀ ନଦୀଘାଟ ଖାଁ ଖାଁ ଲାଗୁଥିଲା । ସକାଳ ପାହିବା ପୂର୍ବରୁ ରାତି ୪ଟାରୁ ଭୋର୍ ମଧ୍ୟରେ ଲୋକେ କାଁ ଭାଁ ଡଙ୍ଗା ଭସାଇ ନିଜ ମନକୁ ବୁଝାଇଦେଲେ । କିନ୍ତୁ ପ୍ରଶାସନର ନିୟମ ମାନି ଯେଉଁ ମନ୍ଦିର ଯଥା ମା’ ଦକ୍ଷିଣେଶ୍ୱରୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଜନସାଧାରଣ ସୁନାପୁଅ ସାଜିଲେ, ସେମାନେ କଣ ପାଇଲେ? ଅବଶ୍ୟ ଦିନ ୧୦ଟା ପରେ ପୁଲିସ୍ ଗାଡି ଖୋଲା ମନ୍ଦିର ଗୁଡିକ ଉପରେ ଲୋକ ଦେଖାଣିଆ ଚଢାଉ କରି ବନ୍ଦ କରିଥିଲା । ତେବେ ଆଜି କଚେରୀର ମା’ ତାରିଣୀ ମନ୍ଦିର, ମା’ ବଙ୍କବାସୁଳୀ, ବାବା ଲୋକନାଥ, ରାଜଘାଟ ଶନି ମନ୍ଦିର ଓ ମଠସାହି ପଞ୍ଚମୁଖୀ ହନୁମାନ ମନ୍ଦିରରେ ସକାଳ ୧୦ଟା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ସମାପନ ହୋଇଥିବାବେଳେ ମା’ ଦକ୍ଷିଣେଶ୍ୱରୀ, ମା’ ଭଦ୍ରକାଳୀ ଓ ଜଗନ୍ନାଥଙ୍କ ଭଳି ମନ୍ଦିରରେ ଦେବାଦେବୀଙ୍କ ନୀତିକାନ୍ତି ପରେ ଚାବି ପକାଯାଇଥିଲା । ତେବେ ଚାବି ପଡିଥିବା ମନ୍ଦିର ବାହାରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦୀପଦାନ କରୁଥିବାର ଦୃଶ୍ୟ ଦୃଷ୍ଟିଗୋଚର ହୋଇଥିଲା । ଫଳରେ ବହୁ ଶ୍ରଦ୍ଧାଳୁ ଭକ୍ତ ଦେବ ଦର୍ଶନରୁ ନିରାଶ ହୋଇ ଫେରିଥିବାର ଦେଖାଯାଇଥିଲା । ଏଣୁ ଧନ୍ୟ କହିବା ଆମ ଜିଲା ପ୍ରଶାସନର ଦୋମୁହାଁ ନୀତିକୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.