Home ଜିଲ୍ଲା ପରିକ୍ରମା ଭଦ୍ରକ-ପଂଚାୟତ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳଙ୍କ ସଜବାଜ

ଭଦ୍ରକ-ପଂଚାୟତ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳଙ୍କ ସଜବାଜ

56

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ତାରିଖ ଘୋଷଣା ସରିଛି । ଗାଁ ରାଜନୀତି ଏବେ ଜୋର ଧରିଛି । ତେବେ ସମର୍ଥିତ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ଆଉ ୩ ଦିନ ପରେ ନାମାଙ୍କନ ପତ୍ର ଦାଖଲ ହେବ । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଲବି ଆରମ୍ଭ କରିଛନ୍ତି । ଗାଁ ଗହଳିରେ ଆଶାୟୀ ପ୍ରାର୍ଥୀମାନଙ୍କର ପୋଷ୍ଟର, ହୋର୍ଡିଂ ଆଦି ଦେଖିବାକୁ ମିଳିଲାନି । ଭଦ୍ରକ ଜିଲାର ୭ଟି ବ୍ଲକ୍‌ର ୨୧୮ ଟି ପଂଚାୟତ ଓ ୨୮ଟି ଜିଲା ପରିଷଦ ଜୋନ୍ ଲାଗି ଆସନ୍ତା ୧୭ ରୁ ୨୧ ତାରିଖ ଯାଏ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ଜିଲା ପରିଷଦ ସଭ୍ୟ ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ହେବ । ଜିଲା ପରିଷଦ ସଭ୍ୟ ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ସେହିଭଳି ସମିତିସଭ୍ୟ ବ୍ଲକ୍ ବିଡିଓଙ୍କ ଠାରେ ଓ ସରପଞ୍ଚ ପଦବୀ ଲାଗି ପଂଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ହେବ । ଚଳିତ ନିର୍ବାଚନରେ ୧୧ ଲକ୍ଷ ୮ ହଜାର ୪୨୭ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫ ଲକ୍ଷ ୩୭ ହଜାର ୨୬୧ ମହିଳା ଥିବାବେଳେ ୫ ଲକ୍ଷ ୭୧ ହଜାର ୧୫୮ ପୁରୁଷ ଭୋଟର ଓ ମାତ୍ର ୮ ଜଣ କିନ୍ନର ଭୋଟର ମତଦାନରେ ଅଂଶଗ୍ରହଣ କରିବେ । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ୬ଟି ପଂଚାୟତ ସମିତି ଦଖଲ କରିବା ସହ ଜିଲା ପରିଷଦ ଅଧ୍ୟକ୍ଷ ପଦବୀକୁ ବି ହାତେଇଥିଲା । ତେବେ ଧାମନଗର ବ୍ଲକ୍ ଅଧୀନରେ ଥିବା ୪ଟି ଜିଲା ପରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା । ଚଳିତ ନିର୍ବାଚନରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ ହୋଇଥିବାରୁ ବହୁ ଆଶାୟୀ ହେଭିୱେଟ୍ ନେତାଙ୍କ ଆଶା ମଉଳି ଯାଇଛି ।

ଏପରିକି ଏହି ନେତାମାନେ ସଂରକ୍ଷଣ ବଦଳିବା ପରେ ଆଗକୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ମନ ବଳାଉଥିବା ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ଫଳାଫଳରେ ବିଜେପି ଧାମନଗର ଆସନରେ ବିଜୟୀ ହୋଇଥିବାବେଳେ ଭଦ୍ରକ, ଚାନ୍ଦବାଲି ଆସନରେ ୨ୟ ସ୍ଥାନରେ ରହିଥିଲା । ସେହିପରି କଂଗ୍ରେସ, ଭଣ୍ଡାରିପୋଖରୀ ଓ ବାସୁଦେବପୁର ବିଧାନସଭା ଆସନରେ ବିଜେଡିକୁ କଡା ଟକ୍କର ଦେଇଥିଲା । ତେଣୁ ଚଳିତ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ବଜାୟ ରଖିବାକୁ ବିରୋଧୀୟ ବିଜେପି-କଂଗ୍ରେସ ଅଣ୍ଟା ଭିଡିଛି । ତେବେ ଶାସକ ଦଳର ସବୁ ବର୍ଗର ଭୋଟରଙ୍କୁ ଆକର୍ଷିତ କଲା ଭଳି ମାଳ ମାଳ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିଜେଡି ପଂଚାୟତ ନିର୍ବାଚନ ବୈତରଣୀ ପାରିହେବାକୁ ଲକ୍ଷ୍ୟ ରଖିଛି । ବିଜେପି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଫୋକସରେ ନେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ରଣନୀତି ପ୍ରସ୍ତୁତ କରିଛି । କଂଗ୍ରେସ ଦଳ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ସମ୍ମୁଖରେ ରଖି ଭୋଟ ହାତେଇବା ପାଇଁ ପ୍ରୟାସ ଜାରି ରଖିଛି । ଚଳିତ ପଂଚାୟତ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଗତ ସାଧାରଣ ନିର୍ବାଚନର ଫଳାଫଳକୁ ଦୋହରାଇବା ପାଇଁ ରଣନୀତି ଆପଣାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାମନଗର ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଥିବା ଏଥର ଧାମନଗର ବ୍ଲକ୍ ହାତେଇବାକୁ ବିଧାୟକ ବିଷ୍ଣୁ ସେଠୀଙ୍କ ଲାଗି ସମ୍ମାନର ପ୍ରଶ୍ନ ହୋଇଛି । ସେହିଭଳି ୪ ବିଧାନସଭା ଆସନରୁ ବିଜୟୀ ବିଜେଡି ବିଧାୟକଙ୍କ ଲାଗି ସେମାନଙ୍କ ନିଜ ବ୍ଲକ୍ ଦଖଲ କରିବା ସହ ଧାମନଗର ବ୍ଲକ୍‌କୁ ହାତେଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ପ୍ରାର୍ଥୀ ଚୟନ ନେଇ ବିରୋଧୀ କଂଗ୍ରେସ, ବିଜେପି ପାଇଁ ସେତେଟା ସମସ୍ୟା ଉପୁଜୁନଥିବାବେଳେ ଶାସକ ବିଜେଡିର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ମୁଣ୍ଡବ୍ୟଥାର କାରଣ ସାଜିଛି । ପ୍ରାର୍ଥୀ ଚୟନ ଓ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.