Home ଜିଲ୍ଲା ପରିକ୍ରମା ବିଭିନ୍ନ ସ୍ଥାନରେ ମକରମେଳା

ବିଭିନ୍ନ ସ୍ଥାନରେ ମକରମେଳା

43

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ସରକାରଙ୍କର କରୋନା କଟକଣା ନିର୍ଦ୍ଦେଶକୁ ଗ୍ରହଣକରି ମକରମେଳା ପାଳନ କରାଯାଇଛି । ଧାମାନଗର ନିକଟସ୍ଥ କାଞ୍ଜିଆପାଳ ମଠରେ ମକରଉତ୍ସବ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ପୂର୍ବରୁ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଥିବାବେଳେ ଏଥର କାଁ ଭାଁ ଭକ୍ତଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା । ସେହିପରି ଫଳପୁର ଠାରେ ମା’ ଦପାନାୟକାଣୀ ପୀଠରେ ମେଳା ନିରାଡ଼ମ୍ବରଭାବେ ପୂଜା ହେଉଛି । ଏହି ଦପାନାୟକାଣୀ ପୀଠ ଚାଷୀମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ବୈତରଣୀ ନଦୀର ଶାଖାନଦୀ ଗେଙ୍ଗୁଟି ନଦୀର ବନ୍ଧୁମୁଣ୍ଡା ନିକଟରେ ମା’ଙ୍କର ବିଜେସ୍ଥଳି ହୋଇଥିବାବେଳେ ପୂର୍ବରୁ ଚାଷୀମାନେ ଏହି ବନ୍ଧମୁଣ୍ଡା ସ୍ଥାନରେ ଦୀର୍ଘବର୍ଷ ବନ୍ୟାଜଳକୁ ଅଟକରଖି ମରୁଡ଼ିରୁ ଚାଷକୁ ଉଦ୍ଧାର କରିଥିଲେ । ନିକଟସ୍ଥ ପଂଚାୟତ ଗୁଡ଼ିକର ଚାଷୀ ମେଳି ହୋଇ ନାଗରା ପିଟାଯାଇ ଚାଷୀମାନେ ଏକଜୁଟ ହୋଇ ବନ୍ଧବାନ୍ଧୁଥିଲେ । ୧୯୪୯ ମସିହାରେ କୌଣସି ପ୍ରକାର ତିଆରିବନ୍ଧକୁ ଚାଷୀମାନେ ବନ୍ୟା ଦାଉରୁ ଅଟକାଇ ନପାରିବାରୁ ମାଟିଖୋଳି ବନ୍ଧ ବାନ୍ଧିବାରେ ବିଫଳ ହୋଇଥିଲେ । ପ୍ରଖର ସ୍ରୋତରେ କୌଣସିପ୍ରକାର ବନ୍ଧରେ ମାଟିରଖିନଥିଲା ।

ଏନେଇ ଚାଷୀମାନେ ଈଶ୍ୱରପୁର ସ୍ଥିତ ମା’ ତଳଦପାଙ୍କୁ ପାର୍ଥନା କରିଥିଲେ । ବନ୍ଧପାଇଁ ମାଟି ଖୋଳିବା ସମୟରେ ଏକ ସୁନ୍ଦର ପଥରମୁର୍ତ୍ତି ଉଦ୍ଧାର କରିଥିଲେ । ସେହି ମୁର୍ତ୍ତିକୁ ନିକଟସ୍ଥ ଏକ ଓସସ୍ଥ ଗଛମୂଳରେ ରଖି ଈଶ୍ୱରପୁର ପ୍ରସିଦ୍ଧ ମା’ ଦପାନାୟକାଣୀଙ୍କ ନାମଦେଇ ପୂଜାର୍ଚ୍ଚନା କରି ପୁଣି ବନ୍ଧକାର୍ଯ୍ୟ ଆରମ୍ଭ କରିଥିଲେ । ତାହା ପରେ ବନ୍ଧକାର୍ଯ୍ୟ ସମ୍ପୁର୍ଣ୍ଣ ହେବାଦ୍ୱାରା ବନ୍ୟାଜଳକୁ ଅଟକାଇ ମରୁଡ଼ିରୁ ହଜାର ହଜାର ଏକର ଜମି ଧାନଚାଷକୁ ରକ୍ଷାକରାଯାଇ ପ୍ରଚୁର ପରିମାଣରେ ଧାନ ଅମଳ କରାଯାଇଥିଲା । ସେହି ବର୍ଷଠାରୁ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନହେଲା ମରୁଡ଼ି ହୋଇନଥିଲା । ଚାଷୀମାନେ ଫଳପୁର ଦପାନାୟକାଣୀ ପୀଠ ନାମକରଣ କରି ସେହି ସ୍ଥାନରେ ପୂଜାର୍ଚ୍ଚନା କରିଆସୁଛନ୍ତି । ମା’ଙ୍କ ପୂଜାର୍ଚ୍ଚନା ପରେ ବହୁଭକ୍ତଙ୍କୁ ମା’ ଦପାନାୟକାଣୀ ବନ୍ଧ ମୁଣ୍ଡାରେ ଆବିର୍ଭାବ ହୋଇଥିବାନେଇ ସ୍ୱପ୍ନାଦେଶ ଦେଇଥିଲେ । ମା’ଙ୍କ ପୀଠକୁ ଘେରିରହିଥିବା ଭଟ୍ଟସାହି, ନଦୀଗାଁ, କୋଠାର, ବୟାଂଡ଼ିହ, ଦଳାଙ୍ଗ ଓ ଅର୍ଜ୍ଜୁନପୁର ଇତ୍ୟାଦି ପଂଚାୟତର ଚାଷୀମାନେ ମିଳିତ ଭାବେ ମକର ସଂକ୍ରାନ୍ତି ଦିନଠାରୁ ୭ଦିନଧରି ମକରମେଳା ସର୍ବଜନନୀ ଭାବେ ପାଳନ କରିଆସୁଛନ୍ତି । ଭକ୍ତଙ୍କ ମନସ୍କାମନା ପୁରଣ ପାଇଁ ମାନସିକ ଧାରିମାନେ ମା’ଙ୍କ ନିକଟରେ କୁକୁଡ଼ା ଉଡ଼ା, ମାଟିଘୋଡ଼ା, ଦୀପ ଓ ବସ୍ତ୍ର ଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । ଚଳିତବର୍ଷ ଏହି ମେଳାର ଆୟୋଜନକୁ ସରକାରଙ୍କ କୋଭିଡ କଟକଣାରେ ପାଳନ କରାଯାଉଥିବାରୁ ମା’ ଦପାନାୟକାଣୀ ପୀଠର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଶ୍ରମସୁନ୍ଦର ବାରିକ, ରଘୁନାଥ ସାହୁ, ସଞ୍ଜୀବ ସାହୁ, ହରେକୃଷ୍ଣ ମହାଳିକ, ନରହରି ମହାଳିକ, ସୁକାନ୍ତ ମହାରଣା, ଦାମୋଦର ମହାକୁଡ଼, ସୁଧୀରରଂଜନ ଦାସ, ଧନେଶ୍ୱର ବିନ୍ଧାଣୀ, ଲମ୍ବୋଦର ବେହେରା, ଉମାକାନ୍ତ ସାହୁ, କୈଳାଶ ଚନ୍ଦ୍ର ସାହୁ, ଆଦିକନ୍ଦ ବାରିକଙ୍କ ସମେତ ଅଂଚଳବାସୀ ମାନେ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.