Home ଜିଲ୍ଲା ପରିକ୍ରମା ଭଦ୍ରକ ନୂତନ ବସଷ୍ଟାଣ୍ଡ ଉଦ୍‌ଘାଟନରେ ପୌରାଧ୍ୟକ୍ଷା ଓ ୧୩ ପାରିଷଦଙ୍କୁ ଅଣଦେଖା କାହିଁକି! ସାମ୍ବାଦିକ ସମ୍ମିଳନୀ...

ଭଦ୍ରକ ନୂତନ ବସଷ୍ଟାଣ୍ଡ ଉଦ୍‌ଘାଟନରେ ପୌରାଧ୍ୟକ୍ଷା ଓ ୧୩ ପାରିଷଦଙ୍କୁ ଅଣଦେଖା କାହିଁକି! ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲାପାଳଙ୍କୁ ଅବଗତ କଲେ ପୌରାଧ୍ୟକ୍ଷା ଗୁଲମକ୍କୀ

11

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇ ଅଚଳ ଅବସ୍ଥାରେ ପଡିଥିବା ଭଦ୍ରକର ବହୁ ଚର୍ଚ୍ଚିତ ନୂତନ ବସ୍‌ଷ୍ଟାଣ୍ଡକୁ ତରବରିଆ ଭାବେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଓ ବହୁ ପାରିଷଦଙ୍କ ବିନା ଆଲୋଚନା ଓ ନିମନ୍ତ୍ରଣରେ ଉଦ୍‌ଘାଟନ ହେବାକୁ ଆଜି ପୌରାଧ୍ୟକ୍ଷ ଗୁଲମକ୍କୀ ଦଲୱାଜି ହବିବ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ବିରୋଧ କରିଛନ୍ତି । ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏହି ବସ୍‌ଷ୍ଟାଣ୍ଡଟି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ଉଦ୍‌ଘାଟିତ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଅଚଳାବସ୍ଥାରେ ପଡିରହିଥିବାବେଳେ ପୁନର୍ବାର ଏହାର ନବୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗତକାଲି ତରବରିଆ ଭାବେ ତାଙ୍କ ସମେତ ଅନ୍ୟ ପାରିଷଦଙ୍କ ସହ ଆଲୋଚନା ନକରି ଉଦ୍‌ଘାଟନ କରାଯାଇଛି । ଏଥିରେ ସାଂସଦ, ବିଧାୟକ ଓ କିଛି ପାରିଷଦଙ୍କୁ ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଉଦ୍‌ଘାଟନ କରିଛନ୍ତି । ଯାହାର ସମୟସୀମା ସନ୍ଧ୍ୟା ୫ ଘଟିକା ଥିଲା । ଏବେ ପବିତ୍ର ରମଜାନ ମାସର ଉପବାସ ଥିବାରୁ ସେ କୌଣସି କାର୍ଯ୍ୟରେ ଯୋଗଦେବା ସମ୍ଭବପର ହୋଇନଥିବାରୁ ଉଦ୍‌ଘାଟନ ଧାର୍ଯ୍ୟ ସମୟକୁ ପରିବର୍ତ୍ତନ କରିବା ପାଇଁ କାର୍ଯର୍୍ୟନିର୍ବାହୀ ଅଧିକାରୀଙ୍କୁ କହିଥିଲେ ମଧ୍ୟ ସେ ତାହା କରିନଥିଲେ । ଏଥିସହ କୌଣସି ପାରିଷଦଙ୍କ ସହିତ କିଛି ବି ଆଲୋଚନା ନକରି ଏହି ଉଦ୍‌ଘାଟନ କାର୍ଯ୍ୟ କିଭଳି ଓ କାହା ଇଙ୍ଗିତରେ ସେ ଧାର୍ଯ୍ୟ କଲେ, ସେଥିନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବିଶେଷକରି ଏହି ନୂତନ ବସଷ୍ଟାଣ୍ଡର ସମସ୍ତ ରକ୍ଷଣାବେକ୍ଷଣ ପୌରପାଳିକାର ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଇ ପାରିଷଦମାନଙ୍କ ସହ ଆଲୋଚନା କରିବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ୍‌ୁ ନିର୍ଦ୍ଦେଶ ଦେବା ସତ୍ୱେ ସେ ତାଙ୍କ ପ୍ରସ୍ତାବକୁ ଏଡାଇ ଦେଇ ଉକ୍ତ କାର୍ଯ୍ୟକ୍ରମ ସଂପାଦନ କରିଛନ୍ତି । ବିଶେଷକରି ପୌରାଧ୍ୟକ୍ଷା ନିଜେ ଜଣେ ମୁସଲିମ୍ ସଂପ୍ରଦାୟରୁ ଆସିବା ସହ ଅନ୍ୟ ୧୩ ଜଣ ପାରିଷଦ ମଧ୍ୟ ଏହି ସଂପ୍ରଦାୟର ଅଟନ୍ତି । ରମଜାନ ମାସର ଉପାସ ଫିଟାଇବା ସମୟ ନିର୍ଦ୍ଧାରିତ ଥିବାରୁ ସେହି ସମୟରେ ସେ ଓ ଅନ୍ୟ ପାରିଷଦ ମାନେ ଯୋଗଦେଇନପାରିବା ଜାଣି ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ବିଧାୟକଙ୍କ ଇଙ୍ଗିତରେ ଏଭଳି ତରବରିଆ କାର୍ଯ୍ୟକ୍ରମ କରି କାର୍ଯ୍ୟନିର୍ବାହୀ ଅଧିକାରୀ କଣ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏବଂ ଏଭଳି ଉଦ୍‌ଘାଟନକୁ ସେ ଦୃଢ ବିରୋଧ କରିବା ସହ ବସଷ୍ଟାଣ୍ଡରେ ଲାଗିଥିବା ଫଳକରେ ସମସ୍ତ ପାରିଷଦଙ୍କ ନାମ ଦେବାକୁ ଇଚ୍ଛା କରୁଥିବା ସତ୍ୱେ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ସହ ଏଥିପାଇଁ କୌଣସି ଆଲୋଚନା କରିନାହାଁନ୍ତି । ଏଣୁ ସେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମରେ ଯାହା ତ୍ରୁଟି ରହିଛି, ୩ ଦିନ ଭିତରେ ତାଙ୍କ ସହ ଆଲୋଚନା କରି ତାହାର ସୁଧାର ନକଲେ ସେମାନେ ଫଳକଟିକୁ ଭାଙ୍ଗି ନୂତନ ଫଳକ ଲଗାଇବା ପାଇଁ ବାଧ୍ୟ ହେବେ ବୋଲି ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ଆଜି ପୌରାଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ୧୭ନଂ ୱାର୍ଡର କାଉନ୍‌ସିଲର ଫରୟାଜ ଅଲ୍ଲୀ ଖାଁ, ୨୪ନଂର ଜାହିଦ ସାହା, ୨୫ନଂ ର ସେକ୍ ସହିଦ କାଦ୍ରୀ, ୨୩ନଂ ର ରେଶମା ଖାତୁନ, ୧୯ନଂ ର ରୁକସାନା ଖାତୁନ, ୧୨ ନଂ ର ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.