Home ଜିଲ୍ଲା ପରିକ୍ରମା ଭଦ୍ରକ ଡିଏଚ୍‌ଏଚ୍‌ରେ କରୋନା ଭୟ : ଡାକ୍ତରଖାନା ଆସିବାକୁ ରୋଗୀ ଡରୁଛନ୍ତି

ଭଦ୍ରକ ଡିଏଚ୍‌ଏଚ୍‌ରେ କରୋନା ଭୟ : ଡାକ୍ତରଖାନା ଆସିବାକୁ ରୋଗୀ ଡରୁଛନ୍ତି

90

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ ଆତଙ୍କ ଯୋଗୁଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆସିବାକୁ ରୋଗୀ ଡରୁଛନ୍ତି । କେବଳ ରୋଗୀ ନୁହଁନ୍ତି ସେମାନଙ୍କ ଅବିଭାବକ ଏବଂ ଡାକ୍ତରଖାନାରେ ସେବା ଯୋଗାଇ ଦେଉଥିବା ଡାକ୍ତର, ନର୍ସ ଏବଂ ଅଫିସ୍ କର୍ମଚାରୀମାନେ ମଧ୍ୟ କୋଭିଡ୍ ପ୍ରଭାବ ଲାଗି ଭୟଭୀତ ହୋଇପଡିଛନ୍ତି । ଗତ କିଛିଦିନ ହେବ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) କୋଭିଡ୍ ଆଇସୋଲେସନ ୱାର୍ଡରୁ କ୍ରମାଗତଭାବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଆଶଙ୍କା ବଢିଯାଇଛି । ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବାବେଳେ ସମଗ୍ର ଡାକ୍ତରଖାନାରେ ଏକ ଭୟର ବାତାବରଣ ଲାଗି ରହିଛି । କୋଭିଡ୍ ଭୟ ଯୋଗୁଁ ପୂର୍ବ ତୁଳନାରେ ଡିଏଚ୍‌ଏଚ୍‌ରେ ରୋଗୀ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଛି । ଶନିବାର ଡିଏଚ୍‌ଏଚ୍ କୋଭିଡ୍ ଆଇସୋଲେସନ୍ ୱାର୍ଡରେ ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରବିବାର ଏହି ୱାର୍ଡରେ ଥିବା ଅନ୍ୟ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲା ସହିତ ପାଖଆଖ ୪ଟି ଜିଲାର ଅନ୍ୟୁନ ୩୦ ଲକ୍ଷ ଲୋକ ନିର୍ଭରଶୀଳ ଏହି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଆଉଟଡୋର ଏବଂ ଇନଡୋରରେ ପ୍ରାୟ ୨ ହଜାର ରୋଗୀ ନିଦାନ ପାଇଁ ଆସିଥାନ୍ତି । ତା ଛଡା ଗୁରୁତ୍ୱପୂର୍ଣ୍ଣ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତି ଯୋଗୁଁ ଏହି ଡା୍‌କତରଖାନାକୁ ଦୈନିକ ଶହ ଶହ ଦୁର୍ଘଟଣା ଏବଂ ଆଘାତପ୍ରାପ୍ତ ରୋଗୀ ଆସିଥାନ୍ତି । ତେବେ କୋଭିଡ୍ ମହାମାରୀ ବ୍ୟାପିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଜିଲାରେ ପ୍ରାୟ ୩ ଶହ ପାଖାପାଖି କୋଭିଡ୍ କେୟାର ସେଣ୍ଟର, ଟିଏମ୍‌ସି ସହିତ ଜିଲା ହେଡ୍‌କ୍ୱାର୍ଟରେ ଏକ ଅସ୍ଥାୟୀ କୋଭିଡ୍ ହସ୍‌ପିଟାଲ ପ୍ରତିଷ୍ଠା କରିଛନ୍ତି । ଏଥିସହ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୪ଟି ସିସିସି ଏବଂ ଟିଏମ୍‌ସି ପ୍ରତିଷ୍ଠା କରାଯାଇଛି ।

 

 

ସବୁଠାରୁ ବଡ କଥା ହେଲା ସରକାରୀ ପରିଚାଳନା ଏବଂ ଘରୋଇ ମାଲିକାନାରେ ପ୍ରତିଷ୍ଠା କରାଯାଇଥିବା ଜିଲାର ଏକମାତ୍ର କୋଭିଡ୍ ହସ୍ପପିଟାଲ ଡିଏଚ୍‌ଏଚ୍ ଠାରୁ ମାତ୍ର ଅଧକିମି ଦୂରତାରେ ରହିଥିବା ସତ୍ୱେ ଜିଲା ପ୍ରଶାସନ ଦୈନିକ ହଜାର ହଜାର ରୋଗୀ ନିଦାନ ସକାଶେ ଆସୁଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଗୁରୁତ୍ୱପୂର୍ଣ୍ଣ ମେଲ୍ ମେଡିସିନ୍ ୱାର୍ଡ ଉପର ମହଲାରେ କୋଭିଡ୍ ଆଇସୋଲେସନ୍ ୱାର୍ଡ ପ୍ରତିଷ୍ଠା କରିବା ଘଟଣା ସବୁ ମହଲରେ ଆଲୋଡନ ସୃଷ୍ଟି କରିଛି । ପରିସ୍ଥିତି ଏବେ ଏପରି ହୋଇଛି ଏହି ୱାର୍ଡକୁ ଯିବା ପାଇଁ ଡାକ୍ତରଖାନାର ଷ୍ଟାଫମାନେ ମଧ୍ୟ ରାଜି ହେଉନଥିବା ଜଣାପଡିଛି । ଡିଏଚ୍‌ଏଚର କିଛି ବରିଷ୍ଠ କର୍ମଚାରୀଙ୍କ କହିବା କଥା ହେଲା ଜିଲା ପ୍ରଶାସନ ଏଠାରେ କୋଭିଡ୍ ହସ୍‌ପିଟାଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଜନଗହଳିପୂର୍ଣ୍ଣ ଜିଲା ମୁଖ୍ୟ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଇସୋଲେସନ୍ ୱାର୍ଡ କରିବା ଆଦୌ ଯଥାର୍ଥ ନୁହେଁ । ୱାର୍ଡର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ୱାର୍ଡରେ ରହୁଥିବା ଅଧିକାଂଶ ରୋଗୀ ୱାର୍ଡରୁ ବାହାରି ଡାକ୍ତରଖାନା ପରିସରରେ ବୁଲାବୁଲି କରୁଥିବା ଯୋଗୁଁ ଏହା ଅନ୍ୟମାନଙ୍କ ପାଇଁ ଆଉ ଏକ ବିପଦର କାରଣ ହୋଇଛି । ଫଳରେ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ କେବଳ ଡାକ୍ତରଖାନା କର୍ମଚାରୀ ନୁହଁନ୍ତି, ଡାକ୍ତରଖାନାକୁ ସେବା ପାଇବାକୁ ଆସୁଥିବା ଶହ ଶହ ରୋଗୀ ଏବଂ ସେମାନଙ୍କ ପରିବାରଙ୍କ ଜୀବନକୁ ସଂକଟରେ ପକାଇ ଦେଇଛି । ସବୁଠାରୁ ବଡ କଥା ହେଲା ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ଦୀର୍ଘଦିନ ଏଠାରେ ଆଇସୋଲେସନ୍ ୱାର୍ଡ ପ୍ରତିଷ୍ଠା କରିଥିଲେ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ଡାକ୍ତର ଏବଂ କର୍ମଚାରୀଙ୍କର ନିୟମିତ ସ୍ୱାବ ପରୀକ୍ଷା କରୁନାହାଁନ୍ତି । ଫଳରେ କର୍ମଚାରୀମାନେ ସେମାନଙ୍କୁ ନିରାପଦ ମନେ କରୁନାହାଁନ୍ତି । ଯାହାକୁ ନେଇ କିଛି କର୍ମଚାରୀ ଲମ୍ବା ଛୁଟିରେ ଚାଲିଯିବାକୁ ଯୋଜନା କରୁଥିବା କଥା କହୁଥିବାବେଳେ ଆଉ କିଛି ଏହି ୱାର୍ଡରେ ଡିୟୁଟି କରିବାକୁ ମଧ୍ୟ ନାରାଜ ହେଉଛନ୍ତି । ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୧୫ ଦିନ ମଧ୍ୟରେ ଡିଏଚ୍‌ଏଚ୍ କୋଭିଡ୍ ଆଇସୋଲେସନ୍ ୱାର୍ଡରୁ ପ୍ରାୟ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଗକୁ ଅଧିକ ସଂକ୍ରମିତ ହେବା ଆଶଙ୍କା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.