Home ଜିଲ୍ଲା ପରିକ୍ରମା ଅକ୍ଷୟ ବାରିକ୍‌ଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସଭା : ଅକ୍ଷୟଙ୍କ ପ୍ରତିଭା ଅନାଲୋଚିତ ହୋଇ...

ଅକ୍ଷୟ ବାରିକ୍‌ଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସଭା : ଅକ୍ଷୟଙ୍କ ପ୍ରତିଭା ଅନାଲୋଚିତ ହୋଇ ରହିଗଲା

205

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ନୁହେଁ, ସମଗ୍ର ଓଡ଼ିଶାରେ ଯେଉଁଠି ବି ପୁସ୍ତକ ମେଳା ହେବ ସର୍ବାଗ୍ରେ ଅକ୍ଷୟ ବାରିକ୍‌ଙ୍କ ନାମ ଆସିବ । ଓଡ଼ିଶାର ପ୍ରାୟ ଅଧିକାଂଶ ଲବ୍‌ଧ ପ୍ରତିଷ୍ଠିତ ସାହିତ୍ୟିକ, ପ୍ରକାଶକ, ପୁସ୍ତକ ବିକ୍ରେତାଙ୍କ ହୃଦୟରେ ଅକ୍ଷୟ ଚିର ଅମର ହୋଇ ରହିଛି । ଭଦ୍ରକବାସୀଙ୍କୁ ପୁସ୍ତକ ମେଳାର ସ୍ୱାଦ ଚଖାଇଥିବା ଅକ୍ଷୟ ଆର ପାରିରେ ଥିଲେ ବି ଭଦ୍ରକ ମାଟିରେ ଯେଉଁଠି ପୁସ୍ତକ ମେଳା ଅନୁଷ୍ଠିତ ହେବ ସେଠାରେ ବହିମାନେ ହିଁ ବହି ମଣିଷକୁ ଖୋଜି ବୁଲିବେ ବୋଲି ଭଦ୍ରକ ପୁସ୍ତକ ମେଳା ଆଦ୍ୟ ସୌରଭର ପ୍ରତିଷ୍ଠାତା ବହି ମଣିଷ ସ୍ୱର୍ଗତ ଅକ୍ଷୟ ବାରିକ୍‌ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ତ୍ୟାଗଭୂମି ସମ୍ମେଳନ କକ୍ଷରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟିର ସଭାପତି ଅଜୟ ନାୟକଙ୍କ ସଂଚାଳନରେ ଅଧ୍ୟାପକ ଡ. ଅଭୟ ଦାସ, ପ୍ରଫେସର ରାଜକିଶୋର ସାହୁ, ବସନ୍ତ ମହାନ୍ତି, ଶିଳ୍ପୀ ଅଶୋକ ମହାନ୍ତି, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ସାମ୍ବାଦିକ ତପନ କୁମାର ମିଶ୍ର, ରୂପକ ବିହାରୀ ରାୟ, ଜୟଜଗନ୍ନାଥ ମଲ୍ଲିକ, ଅଧିବକ୍ତା ଗଦାଧର ବଳ, ସମାଜସେବୀ ସୁଧାକର ରାଉତ ପ୍ରମୁଖ ସ୍ୱର୍ଗତ ବାରିକଙ୍କ ସ୍ମୃତି ଚାରଣ କରି ଅକ୍ଷୟ ଯେ କେବଳ ପୁସ୍ତକ ମେଳା କରୁଥିଲେ ତାହା ନୁହେଁ । ସେ ଜଣେ କବି ମଧ୍ୟ ଥିଲେ । ସେ ବହୁ କବିତା ରଚନା କରିଥିଲେ ମଧ୍ୟ ତାହା ପ୍ରକାଶିତ ହୋଇ ପାରିନାହିଁ । ଏହା ବ୍ୟତୀତ କେବଳ ଓଡ଼ିଆ ଭାଷା ସାହିତ୍ୟର ସାହିତ୍ୟିକ ନୁହେଁ, ବିଭିନ୍ନ ଭାଷାଭାଷୀର ସାହିତ୍ୟିକଙ୍କ ସମ୍ପର୍କରେ ତାଙ୍କର ଅଗାଧ ଜ୍ଞାନ ଥିଲା । ସେ କେବେ ତାଙ୍କ ପ୍ରତିଭାର ପ୍ରଚାର ପ୍ରସାର କରି ନଥିବାରୁ ତାଙ୍କ ଭିତରେ ରହିଥିବା ପ୍ରତିଭା ଅନାଲୋଚିତ ହୋଇ ରହିଗଲା ବୋଲି କହିଥିଲେ । ସଭାପତି ଅଜୟ ନାୟକ ଆଗାମୀ ଦିନରେ ପୁସ୍ତକ ମେଳା ନିଶ୍ଚିତ ହେବ ଏବଂ ଏହା ଅକ୍ଷୟ ବାରିକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିବା ସହିତ ଭଦ୍ରକ ଅକ୍ଷୟପ୍ରେମୀଙ୍କ ଠାରୁ ଲେଖା ସଂଗ୍ରହ କରାଯାଇ ଏକ ଶ୍ରଦ୍ଧାଞ୍ଜଳି ପତ୍ରିକାଟିଏ ପ୍ରକାଶ କରାଯିବ ବୋଲି କହିଥିଲେ । ଏଥିଲାଗି ସମସ୍ତଙ୍କ ସହଯୋଗ ଓ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅକ୍ଷୟଙ୍କ ଫଟୋଚିତ୍ରରେ ଧୂପ ଅର୍ପଣ କରି ସମସ୍ତେ ଶ୍ରଦ୍ଧା ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.