Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବିଜେଡି କାର୍ଯ୍ୟକାରିଣୀ ଘୋଷଣା ପରେ ଚର୍ଚ୍ଚାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ

ଭଦ୍ରକ ଜିଲା ବିଜେଡି କାର୍ଯ୍ୟକାରିଣୀ ଘୋଷଣା ପରେ ଚର୍ଚ୍ଚାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ

26

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ପରେ ବହୁ ପ୍ରତୀକ୍ଷିତ ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଘୋଷଣା କରାଯାଇଛି । କାର୍ଯ୍ୟକାରୀ ସଭାପତି ରହିଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସହ ସମଗ୍ର ଜିଲାରୁ ୭ ଜଣ ଉପସଭାପତିଙ୍କ ସହ ୧୩ ଜଣ ସାଧାରଣ ସଂପାଦକ ଓ ୭ ଜଣ ସଂପାଦକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଭଦ୍ରକ କୋଟାରୁ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନାଙ୍କୁ ଉପସଭାପତି ଓ ପୂର୍ବତନ କାଉନ୍‌ସିଲର ପ୍ରଣୟ କୁମାର ଦାସ, ପ୍ରବୀର ଜେନା, ମହମ୍ମଦ ଜକାଉଲ୍ଲାଙ୍କ ସମେତ ଯୋଗେନ୍ଦ୍ର ଘଡାଇ ଓ ଅମିତାବାଳା ଆଚାର୍ଯ୍ୟଙ୍କୁ ଜିଲା ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି । ସବୁଠାରୁ ତାତ୍ପର୍ଯ୍ୟର ବିଷୟ ଜିଲାର ୩ ଜଣ ପୁରୁଖା ବିଧାୟକ ଓ ସାଂସଦଙ୍କୁ ପଛରେ ପକାଇ ଭଦ୍ରକ ନବାଗତ ବିଧାୟକ ସଂଜୀବ ମଲ୍ଲିକ ଜିଲା କାର୍ଯ୍ୟକାରୀରେ ନିଜର ସର୍ବାଧିକ ସମର୍ଥକଙ୍କୁ ଥଇଥାନ କରାଇବାରେ ସମର୍ଥ ହୋଇଛନ୍ତି । ଉଭୟ ବ୍ଲକ୍ ଓ ପୌରାଞ୍ଚଳର ପୁରୁଖା ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିର୍ବାଚନ ପୂର୍ବରୁ ଥଇଥାନ କରି ବିଧାୟକ ଶ୍ରୀ ମଲ୍ଲିକ ଦଳୀୟ ଭାରସାମ୍ୟ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ଅତୀତକୁ ଦୃଷ୍ଟି ଦେଲେ ଜଣାଯାଏ ଏକଦା ଏବର ନବ ନିଯୁକ୍ତ ଜିଲା ସଭାପତି ଶ୍ରୀ ସ୍ୱାଇଁ ଏବଂ ଉପସଭାପତି ଶ୍ରୀ ଜେନା ବିଧାୟକ ଟିକେଟ୍ ଲବିରେ ରହିଥିବାବେଳେ ପ୍ରଣୟ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ପଦକୁ ନେଇ ବିଦ୍ରୋହ କରିବା ସହ ତାଙ୍କ ମା’ ସ୍ୱର୍ଗତଃ ହେମପ୍ରଭା ଦାସଙ୍କୁ ସ୍ୱାଧୀନ ଭାବେ ଲଢେଇ କରି ସମାନ ସଂଖ୍ୟକ ଭୋଟ୍ ହାସଲ ପୂର୍ବକ ଦଳୀୟ ନେତୃତ୍ୱ ନିକଟରେ ଭଦ୍ରକ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ନବନିଯୁକ୍ତ ସମସ୍ତ ପଦାଧିକାରୀମାନଙ୍କ ମଧ୍ୟରୁ ପ୍ରବୀର ଜେନାଙ୍କ ବ୍ୟତୀତ ସମସ୍ତେ ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏବଂ ତାଙ୍କ ପୁତ୍ର ଆଶାୟୀ ବିଧାୟକ ପ୍ରାର୍ଥୀ ଅସିତ୍ ପଟ୍ଟନାୟକଙ୍କୁ ଘୋର ବିରୋଧ କରିଆସୁଥିଲେ । ଏମାନଙ୍କ ସହ ଯୁଗଳ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପୂର୍ବତନ ବ୍ଲକ୍ ଉପସଭାପତି ପ୍ରଫୁଲ୍ଲ ନାୟକ ଏବଂ ତାହେର ମହମ୍ମଦଙ୍କୁ ବିଧାୟକ ସଂଜୀବ ଯଥାକ୍ରମେ ବ୍ଲକ୍ ଓ ନଗର ସଭାପତି ପଦରେ ଆସୀନ କରାଇଛନ୍ତି । ଆଗକୁ ପଂଚାୟତ ଓ ପୌର ନିର୍ବାଚନର ବିଗୁଲ ବାଜିଲାଣି । ନିକଟ ଅତୀତରେ ବିଧାୟକଙ୍କ ଆବାହକତ୍ୱରେ ନିର୍ବାଚନ ମଣ୍ଡଳୀର ବହୁ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱଙ୍କୁ ସାଙ୍ଗରେ ନେଇ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଦଳକୁ ମଜବୁତ କରି ସବୁବର୍ଗର କର୍ମୀଙ୍କୁ ସାଙ୍ଗରେ ନେଇ କିପରି ନିର୍ବାଚନ ବୈତରଣୀ ପାର କରାହେବ, ସେ ନେଇ ମନ୍ତ୍ର ଫୁଙ୍କିଥିଲେ । ଭଦ୍ରକ ଭଳି ଏକ ରାଜନୈତିକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀରେ ଉପରୋକ୍ତ ଦମଦାର ନେତୃତ୍ୱ ମାନଙ୍କୁ ସାଙ୍ଗରେ ନେଇ ଜିଲାସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ବିଧାୟକ ସଂଜୀବ ସକ୍ଷମ ହୋଇଥିବାର ଚର୍ଚ୍ଚା ଜୋର ଧରିଥିବାବେଳେ ଦଳମଧ୍ୟରେ ବିରୋଧୀଙ୍କୁ ମଧ୍ୟ ହତୋତ୍ସାହିତ କରିଛି ଏଥିରେ ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.