Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାର ୫ ବିଧାନସଭାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷିତ, ଧାମନଗରରେ ନୂଆ ମୁହଁ, ଭଦ୍ରକ...

ଭଦ୍ରକ ଜିଲାର ୫ ବିଧାନସଭାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷିତ, ଧାମନଗରରେ ନୂଆ ମୁହଁ, ଭଦ୍ରକ ଓ ଭଣ୍ଡାରିପୋଖରୀରେ ଅଦଳ ବଦଳ

55

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ୫ ବିଧାନସଭା ଆସନରେ ବିଜେଡି ଟିକଟ ବଣ୍ଟନକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡି ସୁପ୍ରିମୋ ୭୧ ବିଧାନସଭା କ୍ଷେତ୍ରର ଦଳୀୟ ଟିକଟ ଘୋଷଣା କରିବା ଅବସରରେ ଭଦ୍ରକ ଜିଲାର ସମସ୍ତ ୫ ଟି ବିଧାନସଭା ଆସନର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଚାନ୍ଦବାଲି ଆସନରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପରେ ଦଳ ପୁନଃ ଆସ୍ଥା ପ୍ରକଟ କରିଛି । ବ୍ୟୋମକେଶ ଏଥରକ ମିଶାଇ ୩ ଥର ଲଗାତର ଦଳୀୟ ଟିକଟ ପାଇଛନ୍ତି । ବାସୁଦେବପୁରରୁ ପୁଣି ଥରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଦଳୀୟ ଟିକଟ ପାଇଛନ୍ତି । ଚର୍ଚ୍ଚିତ ଧାମନଗର ଆସନରେ ଏଥରକ ନୂଆଁ ମୁହଁ ଭାବେ ଡା. ସଂଜୟ ଦାସଙ୍କ ନାମ ଘୋଷଣା କରାଯାଇଛି । ଧାମନଗର ଉପ ନିର୍ବାଚନବେଳେ ସଂଜୟଙ୍କ ନାମ ଚର୍ଚ୍ଚାକୁ ଆସିଥିବାବେଳେ ତାଙ୍କୁ କିନ୍ତୁ ବିଜେଡି ଟିକଟ ମିଳିନଥିଲା । ଉପ ନିର୍ବାଚନରେ ଧାମନଗର ଆସନରେ ପରାଜୟ ପରେ ସଂଜୟଙ୍କୁ ଆଗକୁ ପ୍ରାର୍ଥୀ କରିବ ବୋଲି ଦଳ ଏକ ପ୍ରକାର କର୍ମୀଙ୍କୁ ଆଗୁଆ ସୂଚନା ଦେଇସାରିଥିଲା । ତେବେ ଭଦ୍ରକ ଓ ଭଣ୍ଡାରିପୋଖରୀ ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛି ବିଜେଡି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନାମ ଭଣ୍ଡାରିପୋଖରୀ ଆସନ ଲାଗି ଘୋଷଣା କରାଯାଇଥିବାବେଳେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାମ ଭଦ୍ରକ ଆସନ ପାଇଁ ଘୋଷଣା କରିଛି । ଏଭଳି ଅଦଳ ବଦଳ ହେଉଥିବା ନେଇ କିଛିଦିନ ହେବ ଦଳ ଭିତରେ ଟୁପୁରୁ ଟାପୁରୁ ଚାଲିଥିଲା । ଯାହା ଆଜି ସ୍ପଷ୍ଟ ହୋଇଛି । ପ୍ରଫୁଲ୍ଲ ସାମଲ ପୂର୍ବରୁ ଭଦ୍ରକ ବିଧାୟକ ଥିଲେ । ମାତ୍ର ୨୦୦୯ ନିର୍ବାଚନରେ ବିଜେଡି ପ୍ରଫୁଲ୍ଲଙ୍କୁ ଭଣ୍ଡାରିପୋଖରୀ ଆସନରେ ଲଢିବାର ସୁଯୋଗ ଦେଇ ଭଦ୍ରକରୁ ଯୁଗଳ କିଶୋର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା । ଯୁଗଳ ଦୁିଥର ବିଜେଡି ଟିକଟରେ ବିଧାୟକ ନିର୍ବାଚିତ ହେବା ପରେ ୨୦୧୯ ରେ ତାଙ୍କ ପୁଅ ଅସିତ୍ ପଟ୍ଟନାୟକ ଦଳୀୟ ଟିକଟ ପାଇଁ ଆଶାୟୀ ଥିଲେ । ମାତ୍ର ଦଳ ପକ୍ଷରୁ ସଂଜୀବଙ୍କୁ ଟିକଟ ମିଳିଥିଲା । ସଂଜୀବ ବିଧାୟକ ନିର୍ବାଚିତ ହେବା ପରେ ଅସିତ୍ ଅସନ୍ତୁଷ୍ଟ ଥିଲେ । ତେବେ ବିଧାୟକ ପ୍ରାର୍ଥୀ ହେବା ଲାଗି ଲବି ଜାରି ରଖିଥିଲେ । ପ୍ରାର୍ଥୀ ଘୋଷଣା ପରେ ଅସିତ ନିରାଶ ହୋଇଛନ୍ତି । ଏବେ ଅସିତଙ୍କ ରାଜନୈତିକ ଗତିବିଧି କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.