Home ଜିଲ୍ଲା ପରିକ୍ରମା ସାଧାରଣ ନିର୍ବାଚନ – ୨୦୨୪ ପ୍ରସ୍ତୁତି, ସମସ୍ତ ଏନ୍‌ଫୋର୍ସମେଣ୍ଟ ଏଜେନସି ପାଇଁ ପ୍ରଥମ ବୈଠକ ଧରପଗଡ଼...

ସାଧାରଣ ନିର୍ବାଚନ – ୨୦୨୪ ପ୍ରସ୍ତୁତି, ସମସ୍ତ ଏନ୍‌ଫୋର୍ସମେଣ୍ଟ ଏଜେନସି ପାଇଁ ପ୍ରଥମ ବୈଠକ ଧରପଗଡ଼ କଡ଼ାକଡ଼ି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

12

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନ ସଭା ସାଧାରଣ ନିର୍ବାଚନ ଉପଲକ୍ଷେ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ଏହାର କାର୍ଯ୍ୟକାରୀତା ନେଇ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେବା ଆରମ୍ଭ କରିଛି । ବିଭିନ୍ନ ଦିଗରେ ଅବୈଧ କାରବାର ରୋକାଯିବା ନେଇ ଧରପଗଡ଼, ଜବଦ, ଜୋରିମାନା ଆଦାୟ, ରାଜସ୍ୱ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଧରପଗଡ଼ ଏଜେନସି ମାନଙ୍କ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ସମ୍ବିତ କୁମାର ଗଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲପାଳ ମନୋଜ ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଜିଲ୍ଲାରେ ଧରପଗଡ଼ ଜନିତ ତଥ୍ୟ ସମୀକ୍ଷାରେ ମତାମତ ପ୍ରଦାନ କରିଥିଲେ । ନିର୍ବାଚନ ବାତାବରଣକୁ ଅବାଧ ସ୍ୱଚ୍ଛ ରଖିବା ପାଇଁ ସମସ୍ତ ଦିଗରେ ଧରପଗଡ଼ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ବୈଠକରେ ସଂପୃକ୍ତ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ଅବକାରୀ, ଡ଼୍ରଗସ, ପୋଲିସ, ଆୟକର, ଜିଏସ୍‌ଟି, ରେଲୱେ, ବ୍ୟାଙ୍କ୍‌, ଡାକ, ରାଜସ୍ୱ ଆଦି ପ୍ରତି ବିଭାଗର ଧରପଗଡ଼ ଧାରା ଓ ଯୋଜନା ବିଷୟରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ସମସ୍ତ ଧରପଗଡ଼ ଟିମ୍ ସଜାଗ ହେଲେ ଯାଇ ସ୍ୱଚ୍ଛ ନିର୍ବାଚନ ମାହୋଲ ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଡେପୁଟୀ କଲେକ୍ଟର ନିର୍ବାଚନ ସାଗରିକା ସାହୁ, ଡି.ଏସ୍‌.ପି.ଡି.ଆଇ.ବି. ପ୍ରଭାତ କୁମାର ବିଶ୍ୱାଳ, ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ର, ଏଲ୍‌.ଡ଼ି.ଏମ୍‌. ନାଗେଶ୍ୱର ରାୟ ସହକାରୀ କମିଶନର ସେଲଟ୍ୟାକ୍‌ସ, ସଂପୃକ୍ତ ଅବକାରୀ ଥାନାଧିକାରୀ, ରେଲୱେ ପୋଲିସ୍ ଏବଂ ଅନ୍ୟ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.