Home ଜିଲ୍ଲା ପରିକ୍ରମା ଭଦ୍ରକ : ଜଳକଷ୍ଟ ଭୋଗୁଛନ୍ତି ବଳସାହି ଗ୍ରାମବାସୀ

ଭଦ୍ରକ : ଜଳକଷ୍ଟ ଭୋଗୁଛନ୍ତି ବଳସାହି ଗ୍ରାମବାସୀ

27

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବେଳେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଗାଁରେ ଗାଡିଆ ପୋଖରୀଟିଏ ନଥିବା ବେଳେ ପାନୀୟଜଳ ଟୋପାଏ ସଂଗ୍ରହ କରିବାକୁ ନଳ କୂପ ଟିଏ ନାହିଁ । ଗାଁ ପାଖ ଦେଇ ଯାଇଥିବା ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ଫଟା ପାଇପରୁ ଅତ୍ୟନ୍ତ ଅସ୍ୱାସ୍ଥ୍ର‌୍ୟକର ପରିବେଶରେ ପାନୀୟଜଳ ସଂଗ୍ରହ କରୁଛନ୍ତି ଗାଁ ଲୋକେ । ପାଣିଟୋପାଏ ପାଇବା ସକାସେ ଲୋକଙ୍କୁ ଗରାମାଠିଆ ଧରି ଫଟାପାଇପ ଆଗରେ ଘଂଟା ଘଂଟା ଧରି ଲମ୍ଭା ଲାଇନ ବାନ୍ଧି ଛିଡାହେବାକୁ ପଡୁଛି । ଆଜିକୁ ପ୍ରାୟ ୫ ବର୍ଷ ହେବ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏହି ଜଳକଷ୍ଟ ସଂର୍ପକରେ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ପାନୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରୀ କରି କରି ଥକିଲେଣି । ହେଲେ କେହିବି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ପଂଚାୟତ ବଳ ସାହିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପାଳସାହି ପଂଚାୟତ ବଳ ସାହିରେ ପ୍ରାୟ ୨୦ ପାଖାପାଖି ପରିବାର ରହନ୍ତି । ସମସ୍ତେ ପ୍ରାୟ ଚାଷବନ୍ଦୀ ଗରୀବ ଏବଂ ମଧ୍ୟବିତ୍ତ ବର୍ଗର ଅଟନ୍ତି । ଗାଁଠାରୁ ପ୍ରାୟ ୨ କିମି ଦୁରରେ ବୈତରଣୀ ନଦୀ ପ୍ରବାହିତ ହେଉଥିବା ବେଳେ ଗାଁଠାରୁ ପ୍ରାୟ ଏକକିମି ଦୁରତ୍ୱରେ ରହିଛି ଗାଁର ଏକମାତ୍ର ସରକାରୀ ପରିଚାଳିତ ନଳକୂପ । ଯାହାକି ଏବେ ପାନୀୟଜଳ ଅନୁପଯୋଗୀ ହୋଇ ପଡିଛି । ଜଳସ୍ତର ହ୍ରାସ ଯୋଗୁ ଏହି ନଳକୂପରୁ ମଇଳା ଏବଂ ବ୍ୟବହାର ଅନୁପଯୋଗି ଜଳ ନିର୍ଗତ ହେଉଛି । ଗ୍ରାମବାସୀଙ୍କ ସକାସେ ଏକମାତ୍ର ଭରସା ହେଉଛି ଭଦ୍ରକ-ଆରଡି ରାସ୍ତାଦେଇ ଯାଇଥିବା ପାଇପଜଳ ଯୋଗାଣ ବ୍ୟବସ୍ଥା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ତଦାରଖ ଅଭାବରୁ ପାଇପ ଫାଟି ରାସ୍ତାରେ ପାଣି ବୋହି ଯାଉଛି ।

ରାତିପାହିଲେ ଏହି ଫଟା ପାଇପ ଆଗରେ ଲାଗେ ଗ୍ରାମୀଣ ମହିଳାଙ୍କ ଲମ୍ଭା ଲାଇନ । ଗରା-ମାଠିଆ ଏବଂ ବାଲତି ଧରି ମହିଳାମାନେ ଫଟାପାଇପ ଆଗରେ ଘଂଟା ଘଂଟା ଧରି ଛିଡାହୋଇ ପାନୀୟଜଳ ସଂଗ୍ରହ କରନ୍ତି । ବୈଦ୍ୟୁତିକ ତୃଟି ଯୋଗୁ ହେଉ ଅଥବା ପାଣି ପ୍ରେସର କମ୍ ହେଉଥିବା ହେତୁ ହେଉ ଫଟାପାଇପରୁ ସ୍ୱଳ୍ପ ପରିମାଣର ଜଳ ନିର୍ଗତ ହୋଇଥାଏ । ମାଟିତଳୁ ସଂଗ୍ରହ କରାଯାଉଥିବା ଏହି ଜଳକୁ ବାଂଟିକୁଂଟି ଲୋକେ ନେଇଥାନ୍ତି । ବିଜୁଳି ନଥିଲେ ସେତକ ମଧ୍ୟ ଲୋକଙ୍କୁ ମିଳେନାହିଁ । ଭଦ୍ରକ-ଆରଡି ରାସ୍ତା କଡରେ ଯାଇଥିବା ଏହି ପାଇପଲାଇନରୁ ଜଳ ସଂଗ୍ରହ କରିବାକୁ ଲୋକଙ୍କୁ ବିପଦପୁର୍ଣ୍ଣ ରାଜପଥ ଉପରେ ଯାତାୟତ କରିବାକୁ ପଡିଥାଏ । ଗ୍ରାମବାସୀଙ୍କ ଏହି ଦୁଃଖ ଦିନକର କଥା ନୁହେଁ ବର୍ଷ ବର୍ଷ ଧରି ଲୋକେ ଭୋଗୁଛନ୍ତି ଏହି କଷ୍ଟ । ବର୍ଷାଦିନରେ ଯାହା ଯେମିତି କଟି ଯାଉଥିଲେ ମଧ୍ୟ ଖରାଦିନରେ ଲୋକଙ୍କ ଦୁର୍ଦ୍ଧଶା ବଢି ଯାଇଥାଏ ବୋଲି ଅଭିଯୋଗ କରନ୍ତି ଗ୍ରାମବାସୀ । ଏଥିନେଇ ସେମାନେ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ବିଭାଗିୟ ନିର୍ବାହୀ ଯନ୍ତ୍ରୀଙ୍କ ପାଖରେ ଗୁହାରୀ କରି କରି ଥକିଲେଣି ହେଲେ ପରିସ୍ଥିତି ଅପରିବର୍ତନୀୟ ରହିଛି । ଏଥିନେଇ ପାଳସାହି ସରପଂଚଙ୍କ ପ୍ରତିନିଧି ପଂଚାନନ ମିଶ୍ରଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଥିଲେ ସେ ଏଥିନେଇ ବିଡିଓଙ୍କୁ କହିଛନ୍ତି ହେଲେ ୨୦/୨୧ ଆର୍ଥିକ ବର୍ଷରେ ଏଠାରେ ନଳକୂପ ଖୋଳିବାକୁ ସରକାରୀ ଭାବେ କୌଣସି ବ୍ୟବସ୍ଥା ନାହିଁ । ତାଛଡା ଏଠରେ ଭୁତଳ ଜଳସ୍ତର ଦୃତ ହ୍ରାସ ପାଉଥିବା ହେତୁ ଲୋକେ ନଳକୂପ ବସାଇବା ସମ୍ଭବପର ହେଉନଥିବା ସେ କହିଛନ୍ତି । ତେବେ ନଳକୂପ ଜରିଆରେ ନହେଲେ ମଧ୍ୟ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ଲୋକଙ୍କୁ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.