Home ଜିଲ୍ଲା ପରିକ୍ରମା ଦୁଇବର୍ଷରେ ଦୁଇଥର ଶିଳାନ୍ୟାସ ହେଲା , ଗେଙ୍ଗୁଟି ନଦୀ ଉପରେ ବିଜୁ ସେତୁ ନିର୍ମାଣ ନୋହିଲା

ଦୁଇବର୍ଷରେ ଦୁଇଥର ଶିଳାନ୍ୟାସ ହେଲା , ଗେଙ୍ଗୁଟି ନଦୀ ଉପରେ ବିଜୁ ସେତୁ ନିର୍ମାଣ ନୋହିଲା

30

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗମନାଗମନ କ୍ଷେତ୍ରରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବାଧକ ସାଜିଛି ଜୁଆରିଆ ନଦୀ । ଏଠାରେ ପ୍ରବାହିତ ବୈତରଣୀ, ସାଳନ୍ଦୀ, ମନ୍ତେଇ ଓ ଗେଙ୍ଗୁଟି ଆଦି ନଦୀ ସଂପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ବିଚ୍ଚିନ୍ନ କରି ରଖିଛି । ଫଳରେ ସ୍ଥାନୀୟ ଅଂଚଳର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ୨୦୦୮ ମସିହାରେ ବୈତରଣୀ ନଦୀରେ ନିର୍ମାଣ ହୋଇଥିବା ପୋଲ ଏବେ ବିପଦସଂକୁଳ, ମନ୍ତେଇ ନଦୀର ବାଂଶଡା ଠାରେ ନିର୍ମାଣାଧୀନ ପୋଲଟି ସଂପୂର୍ଣ୍ଣ ହୋଇପାରୁନି, ସାଳନ୍ଦୀ ନଦୀର ତିନିତର ଠାରେ ହେବାକୁ ଥିବା ପୋଲ ଆରମ୍ଭ ପର୍ଯ୍ୟାୟରେ । ଏଭଳି ସ୍ଥିତିିରେ ବ୍ଲକ୍‌ର ଆରଡି ସହିତ ତିହିଡି ବ୍ଲକ୍‌କୁ ସିଧାସଳଖ ସଂଯୋଗ ପାଇଁ ୨୦୧୯ ମସିହା ମାର୍ଚ୍ଚ ମାସ ୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାନ୍ଦବାଲି ଦୁର୍ଗା ପଡିଆରେ ଗେଙ୍ଗୁଟି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ୯ କୋଟି ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ହେବାକୁ ଥିବା ଏହି ପୋଲ ନିର୍ମାଣ ପାଇଁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ (୨) ତରଫରୁ ଟେଣ୍ଡର କରାଯାଇଥିଲା । ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିଲା । ଫର୍ଚୁନ ନାମକ ଏକ ଠିକା ସଂସ୍ଥା ଏହି କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲା । ହେଲେ ମୂଳରୁ ଝୁଣ୍ଟିଥିଲା ଠିକା ସଂସ୍ଥା । ଅନ୍ୟ ଏକ ଠିକା ସଂସ୍ଥାକୁ ଏହି କାମ ସବଲେଟ୍ ଦେଇ ନିରବରେ ବସିଯାଇଥିଲା ଫର୍ଚୁନ ସଂସ୍ଥା । ଅପରପକ୍ଷରେ ସବଲେଟ ନେଇଥିବା ସଂସ୍ଥା କେବଳ ମାଟି ପକାଇ କାମ ବନ୍ଦ କରିଦେଇଥିଲା । ଯାହାକୁ ନେଇ ଏହି ପୋଲ କାମ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା । ଆରଡି ଧାମକୁ ସିଧାସଳଖ ରାସ୍ତା ଲୋକଙ୍କ ପାଇଁ ସ୍ୱପ୍ନ ହୋଇଗଲା ।

ପରେ ବିଭାଗ ସାନି ଟେଣ୍ଡର କରିବାକୁ ସୁପାରିଶ କରିଥିଲା । ହେଲେ ଠିକା ସଂସ୍ଥା ଫର୍ଚୁନ ଗ୍ରୁପ୍ ଏହି କାମ କରିବ ବୋଲି ପୁନର୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଣ୍ଡରଟେକିଂ ଦେଇଥିଲା । ଚଳିତବର୍ଷ ଜାନୁଆରୀ ମାସ ୨୩ ତାରିଖ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଡ. ବ୍ୟୋମକେଶ ରାୟ ତିହିଡି ବ୍ଲକ୍‌ର ମଧୁପୁର ଠାରେ ପୁଣି ଥରେ ଏହି ପୋଲ କାମର ଶିଳାନ୍ୟାସ କରିଥିଲେ । ଆଶା କରାଯାଉଥିଲା ପୁଣି କାମ ତ୍ୱରାନ୍ୱିତ ହେବ । ହେଲେ ୩ ମାସ ପରେ ବି ଫଳ ଶୂନ । କେବଳ କିଛି ଲୁହାରଡ ତଥା ପୋଲ ନିର୍ମାଣ ପାଇଁ ଛାଞ୍ଚ ଜିନିଷ ଛଡା ଆଉ କିଛି କାମ ଅଗେଇନାହିଁ । ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏହି ପୋଲର ଡିଜାଇନ୍‌ରେ ପରିବର୍ତ୍ତନ ହେବ । ବୈତରଣୀ ପୋଲ ଦବିବା କାରଣରୁ ଉଭୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଜୁଆରିଆ ନଦୀଗୁଡିକରେ ହେଉଥିବା ପୋଲ ଗୁଡିକର ଡିଜାଇନ୍ ପରିବର୍ତ୍ତନ କରାଯାଉଛି । ଏଣୁ ଏହି ପୋଲରେ ବି ଡିଜାଇନ୍ ପରିବର୍ତ୍ତନ ହେବ । ଫଳରେ କାମ କେବେ ଆରମ୍ଭ ହେବ, ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିବା ତଥା ବିଳମ୍ବିତ କାର୍ଯ୍ୟ ପାଇଁ ଅଧିକ ବ୍ୟବବରାଦ କଥା ଏବେ ସଂପୂର୍ଣ୍ଣ କାମକୁ ବ୍ୟାକଫୁଟରେ ପହଞ୍ଚାଇ ଦେଇଛି । ଅଭିଯୋଗ ସମ୍ବନ୍ଧରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନ ସାହୁଙ୍କୁ ପଚାରିବାରୁ କାମ ବିଳମ୍ବକୁ ସ୍ୱୀକାର କରିବା ସହ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଘଟଣାସ୍ଥଳ ଅନୁଧ୍ୟାନ କରି ନୂତନ ଡିଜାଇନ୍‌କୁ ସୁପାରିଶ କଲା ପରେ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ମାତ୍ର ମୁଖ୍ୟଯନ୍ତ୍ରୀ କେବେ ଆସିବେ, ତାହା ସ୍ଥିରୀକୃତ ହୋଇନଥିବାରୁ ପୋଲ କାମ ବି ବିଳମ୍ବ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.