Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ତ୍ତବ୍ୟ ଦିବସ ପାଳିତ

67

ଭଦ୍ରକ, ୨-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଆଦର୍ଶ ରାଷ୍ଟ୍ର ଗଠନର ମୌଳିକ ଅଧିକାରର ଯେତିକି ଗୁରୁତ୍ୱ ରହିଛି, ଠିକ୍ ସେହିପରି ସମାଜ ପ୍ରତି କର୍ତ୍ତବ୍ୟବୋଧର ଆବଶ୍ୟକତା ମଧ୍ୟ ରହିଛି। କର୍ତ୍ତବ୍ୟବୋଧରୁ ହିଁ ସମାନତା ଆସେ, ଆଉ ମଣିଷ ଭୋଗବିଳାସ ଛାଡ଼ି ତ୍ୟାଗପୂତ ଜୀବନଧାରା ପ୍ରତି ମନ ବଳାଏ। ଏ ପ୍ରକାର ଆଦର୍ଶବାଦୀ ଚିନ୍ତାଧାରାକୁ ପାଥେୟ କରି ବିଶିଷ୍ଟ ମାନବାଧିକାର କର୍ମୀ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ପ୍ରତିବର୍ଷ ଜୁନ୍ ୩୦ ତାରିଖକୁ “ବିଶ୍ୱ କର୍ତ୍ତବ୍ୟ ଦିବସ’ ରୂପେ ପାଳନ କରିଆସୁଛନ୍ତି। ତାଙ୍କ ମତରେ ଆମମାନଙ୍କର କର୍ତ୍ତବ୍ୟବୋଧ କେବଳ ମଣିଷ ସମାଜ ମଧ୍ୟରେ ସିମୀତ ନୁହେଁ; ବରଂ ପଶୁ, ପକ୍ଷୀ ସର୍ବୋପରି ପରିବେଶ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଦରକାର। ଜୁନ୍ ୩୦ ତାରିଖ ବର୍ଷର ଅର୍ଦ୍ଧେକ ଭାଗକୁ ସୁଚାଇଥାଏ। ଏ ସମୟରେ ଆମେ ନିଜର ଆତ୍ମସମୀକ୍ଷା କରି ପରବର୍ତ୍ତୀ ଅର୍ଦ୍ଧେକ ସମୟ କିପରି ଅଧିକ ଦାୟିତ୍ୱବାନ ତଥା କର୍ତ୍ତବ୍ୟ ସଚେତନ ହୋଇ ମାନବ ବାଦୀ ଚିନ୍ତାଧାରାକୁ ଉଦ୍‌ଜୀବିତ କରିପାରିବା ତା’ ପାଇଁ ଏ ଉତ୍ସବ ପାଳନ ଏକ ଅବସର। ଏବର୍ଷ ଭଦ୍ରକ ସହରର ଉପକଣ୍ଠ ଡଗମୁଣ୍ଡ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କ ସହିତ ଶ୍ରୀ ତ୍ରିପାଠୀ ଉକ୍ତ ଦିବସର ମୁଖ୍ୟ ଉତ୍ସବ କରିବା ପାଇଁ ନିଷ୍ପତ୍ତି ନେଇ ସେମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ବୁଲା ଗୋରୁଗାଈ, ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ ତଥା ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଉକ୍ତ ଦିବସ ପାଳନ ଆଜିର ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ କର୍ତ୍ତବ୍ୟ ସଚେତନ କରିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.