Home ଜିଲ୍ଲା ପରିକ୍ରମା ଭଦ୍ରକରେ ଫିକା ପଡିଲା ମା’ ଦଶଭୁଜାଙ୍କ ପୂଜା

ଭଦ୍ରକରେ ଫିକା ପଡିଲା ମା’ ଦଶଭୁଜାଙ୍କ ପୂଜା

130

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଏଥର ଛଡାଇ ନେଇଛି ଦେବୀ ଦୁର୍ଗାଙ୍କ ପୂଜାର ମାହୌଲ । ଭକ୍ତଙ୍କ ଭାବାବେଗ ଓ ଛୋଟଛୋଟ ପିଲାଙ୍କ ସରାଗ । ପୂଜା କଟକଣାରେ ଖାଁ ଖାଁ ଲାଗୁଛି ମା’ ଦଶଭୁଜାଙ୍କ ପୂଜା ମଣ୍ଡପ । ଫାଙ୍କା ପଡିଛି ମେଳା ପଡିଆ । ବିନା ମାଇକ୍‌ରେ ଚାଲିଛି ମନ୍ତ୍ର ଉଚ୍ଚାରଣ । ଦୃଶ୍ୟ ହେବନି ଭଳିକି ଭଳି ଆଲୋକ ମାଳା କି ଦର୍ଶନ ପାଇଁ ଲାଗୁନାହିଁ ଆଉ ଭକ୍ତଙ୍କ ଲମ୍ବା ଧାଡି । ମହାମାରୀ କରୋନା ଛଡାଇ ନେଇଛି ଭକ୍ତଙ୍କ ଭକ୍ତିର ଯେତେସବୁ ଭାବାବେଗ । ପ୍ରଶାସନିକ କଟକଣା ଏକ ପ୍ରକାର ପୂଜାର ମାହୌଲକୁ ଫିକା କରିଦେଇଛି । ଭଦ୍ରକ ଜିଲାର ବହୁ ପୁରାତନ ପୂଜାପୀଠ କୁହାଯାଉଥିବା ଜାନୁଗଞ୍ଜ, ବଙ୍କବାସୁଳି, ଗାନ୍ଧିପଡିଆ, ବାଇପାସ ଓ ଚରମ୍ପା ଆଦି ପୂଜା ମଣ୍ଡପରେ ପ୍ରଶାସନିକ କଟକଣାରେ ପୂଜା ପାଉଛନ୍ତି ମା’ ଦଶଭୁଜା । ପୂଜା ପାଇଁ ପୂର୍ବରୁ ପ୍ରଶାସନ ପୂଜା କମିଟିର ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କରିଛି । ମାତ୍ର ୭ ଜଣ ରହି ମା’ଙ୍କ ପୂଜାର୍ଚ୍ଚନା କରିବେ । ଭକ୍ତମାନେ ପୂଜା ମଣ୍ଡପ ନିକଟକୁ ଯିବେନାହିଁ । ସେଥିପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ଭକ୍ତମାନଙ୍କ ପାଇଁ ବେଶ୍ କଟକଣା ଜାରି ହୋଇଥିବାବେଳେ ସବୁ ମେଢ ଆଗରେ ଦେଖାଯାଇଛି ପୁଲିସ୍‌ଙ୍କ କଡା ପ୍ରହରା । ତାହାରି ଭିତରେ ବହୁ ମାନସିକଧାରୀ ମଣ୍ଡପକୁ ଯାଇନପାରି ମନ୍ଦିର ଓ ମେଢ ସମ୍ମୁଖ ରାଜରାସ୍ତା ଉପରେ ବସି ମା’ଙ୍କ ଉଦ୍ଦେଶ୍ୟରେ ତଳେ ନଡିଆ ପିଟି ଆଣିଥିବା ଭୋଗ ସମର୍ପଣ କରୁଥିବାର ଦୃଶ୍ୟ ଦେଖଣାହାରୀଙ୍କୁ ଅଭିଭୂତ କରୁଥିଲା । ସେହିଭଳି ଭଦ୍ରକର ଗୁପ୍ତ ବୃନ୍ଦାବନ କୁହାଯାଉଥିବା ସନ୍ଥିଆ ଓ ନୀଳକଣ୍ଠପୁରର ଅଷ୍ଟାମୀର ଅନନ୍ୟ ଝୁଣା ଆଳତୀ ଏଥର କରୋନା କଟକଣା ଯୋଗୁଁ ସମୂହ ଭାବେ ନହୋଇ ନିଜ ନିଜ ଘର ସହ ପୀଠରେ ସାମାଜିକ ଦୂରତ୍ୱ ମଧ୍ୟରେ ସଂପନ୍ନ ହୋଇଛି । ତେବେ ସକାଳୁ ମା’ଙ୍କ ଘଟ ସ୍ଥାପନା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ପୂଜାକୁ ଶାନ୍ତିଶୃଙ୍ଖଳତାର ସହିତ ସମାପିତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୧୯ ସେକସନ ପୁଲିସ୍ ଫୋର୍ସ ମୁତୟନ ହେବା ସହିତ ୩ ଜଣ ଡିଏସ୍‌ପି, ୪ ଜଣ ଇନ୍ସିପେକ୍ଟର ଓ ୨ ଜଣ ଅତିରିକ୍ତ ଏସ୍‌ପି ଦାୟିତ୍ୱରେ ରହିବେ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏଥର ସହରର ମୋଟ ୨୩ ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା । ସଂପୂର୍ଣ୍ଣ ପୂଜାକୁ ଲକ୍ଷ କଲେ ବିଧିରକ୍ଷା ପାଇଁ ନିରାଡମ୍ବର ଭାବେ କମିଟି ପକ୍ଷରୁ ସମସ୍ତ ବିଧିବିଧାନର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.