Home ଜିଲ୍ଲା ପରିକ୍ରମା କରୋନା କଟକଣା : ଚାବି ପଡିଛି ମା’ ଭଦ୍ରକାଳୀ ମନ୍ଦିର, ଭକ୍ତଙ୍କ ଭକ୍ତି ଭାବନାରେ ରୋକ

କରୋନା କଟକଣା : ଚାବି ପଡିଛି ମା’ ଭଦ୍ରକାଳୀ ମନ୍ଦିର, ଭକ୍ତଙ୍କ ଭକ୍ତି ଭାବନାରେ ରୋକ

94

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଭଦ୍ରକରୁ କେତେକ ଦୁର୍ଗାପୂଜା ମଣ୍ଡପ କରୋନା କଟକଣା ଯୋଗୁଁ ଫିକା ପଡିଛି । ତେବେ କେବଳ ଭଦ୍ରକ ନୁହେଁ, ସମଗ୍ର ରାଜ୍ୟର ଅନ୍ୟତମ ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଦ୍ରକାଳୀ ମନ୍ଦିରରେ ଏବେ ଚାବି ପଡିବା ଘଟଣା ଶ୍ରଦ୍ଧାଳୁ ଭକ୍ତଙ୍କ ଭକ୍ତି ଭାବନାରେ ଆଘାତ ଆଣିଛି । ପୂଜା ପାଉଥିବା ପୂଜା ମଣ୍ଡପ ଗୁଡିକରେ ସପ୍ତମୀଠାରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାବେଳେ ଏବର୍ଷ ମା’ ଭଦ୍ରକାଳୀଙ୍କ ପୂଜା ମଣ୍ଡପ ପଡିଛି ଖାଲି । ଜନଶୂନ୍ୟ ପାଲଟିଛି ଆରଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ପୀଠ । କରୋନା କଟକଣା ପାଇଁ ସପ୍ତମୀ ଠାରୁ ପୂଜା ପଡିଛି ଫିକା । ଜିଲା ପ୍ରଶାସନ ପକ୍ଷରୁ ଲାଗିଛି ରୋକ । ଗେଟ୍‌ରେ ପଡିଛି ତାଲା । ଜଗିଛନ୍ତି ପୁଲିସ୍ ଓ ପ୍ରଶାସନ ଅଧିକାରୀ । ଭକ୍ତ ଆସିଲେ ଫେରି ଯାଉଛନ୍ତି । ଲକଡାଉନ୍ କଟକଣା ଯୋଗୁଁ ସମସ୍ତ ମଠ, ମନ୍ଦିର ବନ୍ଦ ରହିଛି ଭଗବାନଙ୍କ ଦର୍ଶନରୁ । ବଂଚିତ ଅଛନ୍ତି ଶ୍ରଦ୍ଧାଳୁ । ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିର କରୋନା ମହାମାରୀ ଲକଡାଉନ୍ କଟକଣା ଯୋଗୁଁ ବନ୍ଦ ରହିଛି । ଭକ୍ତ ଆସୁନଥିବାରୁ ଜୀବିକା ହରାଇଛନ୍ତି ସେବାୟତ । ସବୁଆଡେ ଶୂନଶାନ ରାଜତ୍ୱ କରୁଛି । ଏଠାକାର ସେବାୟତମାନେ ମା’ଙ୍କର ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତ ଆସୁନାହାଁନ୍ତି ସତ, ମାତ୍ର ମା’ଙ୍କର ପୂଜାର୍ଚ୍ଚନା କେବେ ବନ୍ଦ ହୋଇନାହିଁ । ଭକ୍ତମାନଙ୍କ ଠାରୁ ଯାହା କିଛି ଦକ୍ଷିଣା ଆସେ ସେଥିରେ ସେମାନଙ୍କ ପରିବାର ଚଳନ୍ତି । ତେବେ ରାଜ୍ୟ ସରକାର ଅନ୍ୟାନ୍ୟ ମନ୍ଦିର ପାଇଁ ଯେପରି ସୁବିଧା-ସୁଯୋଗ କରିଛନ୍ତି, ଏହି ମା’ଙ୍କ ମନ୍ଦିର ସେବାୟତ ମାନଙ୍କୁ ସେଥିରୁ ବଂଚିତ କରିଛନ୍ତି । ଏଣୁ ସେମାନଙ୍କୁ ସେହିଭଳି ସୁବିଧା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ବହୁ ସେବାୟତ । ମା’ଙ୍କ ଆବିର୍ଭାବର କଥା କିଛି କମ୍ ନୁହେଁ । ଶକ୍ତିମୟୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଭ୍ରକ ନାମିତ । ଭଦ୍ରକ ସଦର ମହକୁମା ଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ଭଦ୍ରକାଳୀସାହି ଠାରେ ମା’ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକର ସର୍ବପ୍ରାଚୀନ ତଥା ମୁଖ୍ୟ ଶକ୍ତିପୀଠ । ଲୋକକଥା ଅନୁଯାୟୀ ମେଘାସନ ପର୍ବତର ଏକ ଗୁମ୍ପାରେ ତାପସ ନାମକ ଋଷି ଭଦ୍ରକାଳୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ଦେବୀଙ୍କୁ ଆରାଧନା କରୁଥିଲେ । ମାତ୍ର ପରବର୍ତ୍ତୀ ସମୟରେ ମା’ ଭୂୟାଁମହଲାର ଏକ ସୁରମ୍ୟ ମନ୍ଦିରରେ ପୂଜା ପାଇଲେ । ଷଷ୍ଠ ଶତାବ୍ଦୀରେ ଯେତେବେଳେ ହିନ୍ଦୁ ବିଦ୍ୱେଷୀ କଳାପାହାଡ ଗୋଟିଏ ପରେ ଗୋଟିଏ ମନ୍ଦିର ଧ୍ୱଂସ କରିଚାଲିଥିଲା, ଠିକ୍ ସେତିକିବେଳେ ଭଦ୍ରକାଳୀଙ୍କୁ ତାଙ୍କ ଉପାସକମାନେ ମା’ଙ୍କ ସ୍ୱପ୍ନାଦେଶ ପାଇଁ ସାଳନ୍ଦୀ ନଦୀରେ ଲୁଚାଇ ରଖି ପୂଜାର୍ଚ୍ଚନା କଲେ । ତେଣୁ ସେହି ସ୍ଥାନକୁ ଭଦ୍ରକାଳୀସାହି ନାମରେ ନାମିତ କରାଯାଇଛି । ପ୍ରଚଳିତ ଲୋକ କଥା ଅନୁଯାୟୀ ଗୋହିରାଟିକିରୀ ଠାରେ ରାଜା ମୁକୁନ୍ଦଦେବ ଯୁଦ୍ଧରେ ନିହତ ହେବା ପୂର୍ବରୁ ସେ ତାଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଏହିଠାରେ ଛାଡି ଯାଇଥିଲେ । ଯେକି ଆଜି ମା’ଙ୍କ ପାଶ୍ୱର୍ଦେବତା ଭାବେ ପୂଜା ପାଉଛନ୍ତି । ମା’ଙ୍କ ପୀଠ ଆଜି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ହେଲେ ଭଦ୍ରକର ଆରାଧ୍ୟ ତଥା ଅଧିଷ୍ଠାତ୍ରୀ ଦେବୀ ଭାବରେ ‘ମା’ ଭଦ୍ରକାଳୀ’ କୋଟି ହୃଦୟର ଦେବୀ ଭାବେ ରହିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.