Home ଜିଲ୍ଲା ପରିକ୍ରମା ଭଦ୍ରକରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ, ପ୍ରଶାସନ ଅସହାୟ

ଭଦ୍ରକରେ ଠେଲା ବ୍ୟବସାୟୀଙ୍କ ଦୌରାତ୍ମ୍ୟ, ପ୍ରଶାସନ ଅସହାୟ

22

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମୃତ ସହର ଭଦ୍ରକ ମୁଖ୍ୟ ବଜାରର ରାସ୍ତା ଏବେ ଠେଲା ବ୍ୟବସାୟୀ ଓ ଉଠା ଦୋକାନୀଙ୍କ କବଜ୍‌ାରେ । ଏମାନଙ୍କ ଉପରେ ପୌର ପ୍ରଶାସନ କିମ୍ବା ଜିଲା ପୁଲିସ୍ ପ୍ରଶାସନର କୌଣସି ଲଗାମ ରହୁନି । କାରଣ ଏହି ବର୍ଗର ବ୍ୟବସାୟୀଙ୍କ ପାଇଁ ସହରର ମୁଖ୍ୟ କଚେରୀ ବଜାର ରାସ୍ତାରେ ନାହିଁ ନଥିବା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିପାରୁନି ପ୍ରଶାସନ । ୨ ମାସ ପୂର୍ବେ ପୌର ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାରୁ ସମସ୍ତ ଠେଲା ବ୍ୟବସାୟୀ ପୌର କାର୍ଯ୍ୟାଳୟ ପରିସରରେ ଟ୍ରଲି ରଖି ପ୍ରତିବାଦ କରିଥିଲେ । ଉଭୟ ପୌର ପ୍ରଶାସନ ଓ ଠେଲା ବ୍ୟବସାୟୀଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟରେ ଯେଉଁ ନିଷ୍କର୍ଷ ବାହାରିଥିଲା, ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେଲାନାହିଁ । ଉକ୍ତ ନିଷ୍ପତ୍ତିକୁ ଠେଲା ବ୍ୟବସାୟୀ ପରବର୍ତ୍ତୀ ସମୟରେ ମାନିଲେ ନାହିଁ । ଅପରପକ୍ଷେ ପୌର ପ୍ରଶାସନ ମଧ୍ୟ ଏ ସମସ୍ତ ଠେଲା ବ୍ୟବସାୟୀଙ୍କ ବିରୋଧରେ ଅଧିକ କିଛି କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରିଲା ନାହିଁ ।

ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଠେଲା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ବେଶ୍ ହଟହଟାର ସମ୍ମୁଖୀନ ହୋଇଥିଲେ । ଯଦି ଭଦ୍ରକର ଜଜ୍ କୋର୍ଟକୁ ସହରର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରୁଛି, ତେବେ ଠେଲା ବ୍ୟବସାୟୀମାନଙ୍କୁ ସେମାନଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ କାହିଁକି ବୁଝାଇବାରେ ବିଫଳ ହେଉଛି ଓ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୁଣ୍ଠାବୋଧ କରୁଛି ପୌର ପ୍ରଶାସନ । ଏହାବ୍ୟତୀତ ବାରମ୍ବାର ଚେତାବନୀ ସତ୍ୱେ ସେମାନେ କାହା ସାହାସରେ ସହରର ମୁଖ୍ୟ ବଜାରରେ ନିୟମିତ ଭାବେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛନ୍ତି, ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ୫ ବର୍ଷ ପୂର୍ବେ ଭଦ୍ରକ ସହର କେନ୍ଦ୍ରୀୟ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା । କିନ୍ତୁ ଅମୃତ ଯୋଜନା ସଜ୍ଞା ଆଜିପର୍ଯ୍ୟନ୍ତ ବୁଝିପାରୁନାହାଁନ୍ତି ସହରବାସୀ । ସହରକୁ ସୌନ୍ଦର୍ଯ୍ୟକରଣ କରିବା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସମଗ୍ର ପୌରାଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର କାନ୍ଥବାଡକୁ ବିଭିନ୍ନ କଳାକୃତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଚିତ୍ରିତ କରାଯାଉଛି । କିନ୍ତୁ ଭେଣ୍ଡିଂଜୋନ୍ ପରି ଏକ ଜରୁରୀ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ସହର ମଧ୍ୟରେ ଜବରଦଖଲ ସମସ୍ୟା ବଢିବାରେ ଲାଗିଛି । ତେଣୁ ସ୍ୱାଭାବିକ ଭାବରେ ସହରର ଟ୍ରାଫିକ୍ ବ୍ୟବସ୍ଥା ଠାରୁ ଆରମ୍ଭ କରି ପରିମଳ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଫେଲ୍ ମାରିଛି । ଭେଣ୍ଡିଂଜୋନ୍ ନଥିବାରୁ କିଛି ନାମମାତ୍ର ବ୍ୟବସାୟୀ ଠେଲାଗାଡି ଓ ଟ୍ରଲି ରିକ୍ସା ଧରି ସେମାନଙ୍କ ବ୍ୟବସାୟ ପାଇଁ ମୁଖ୍ୟ ରାସ୍ତାକୁ ମାଡି ବସିଛନ୍ତି । ତେଣୁ ଏହି ଠେଲା ଓ ଟ୍ରଲିର ଭିଡ ମଧ୍ୟରେ ହଜିହଜି ଯାଇଛି ସହରର ସୌନ୍ଦର୍ଯ୍ୟ ଓ ସୃଷ୍ଟି ହୋଇଛି ଟ୍ରାଫିକ୍ ସମସ୍ୟା । ଆଉ ରାଜନୈତିକ ଅଥବା ଅନ୍ୟ କୌଣସି କାରଣରୁ ଏ ସମସ୍ତ ଠେଲା ବ୍ୟବସାୟୀଙ୍କ ଉପରେ ପୌର ଓ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପରୋକ୍ଷରେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏହାର କେବେ ଅନ୍ତ, ତାହାକୁ ଅନାଇ ବସିଛନ୍ତି ସହରବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.